ମୌଳିକ ସେବା ଯୋଗାଇବାରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ

0
722

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହାସହ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ବା କମ୍ପୋଷ୍ଟ ପ୍ଲାଣ୍ଟ, ବିଡିଏର ଅନଲାଇନ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା, ଅନଲାଇନ୍ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଖୋଲିଥିବା ୬୭ଟି ୱାର୍ଡ ଅଫିସକୁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ମୋଟ ୨୦୩୫ଟି ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବ। ପ୍ରତି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଭଳି ଏଣିକି ସହରାଞ୍ଚଳର ପ୍ରତି ୱାର୍ଡରେ ୱାର୍ଡ ଅଫିସ କାର୍ଯ୍ୟ କରିବ ଏବଂ ୱାର୍ଡ ବାସିନ୍ଦା ସେମାନଙ୍କ ଅଭିଯୋଗ ଏଠାରେ ଜଣାଇବା ସହ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଏହିଠାରୁ ହିଁ ପାଇବେ।
ପୁରୀର ୪୧୦୩ଜଣ କ୍ଷୁଦ୍ର ବ୍ୟବସାୟୀ ଫନିରେ କ୍ଷତିଗ୍ରସ୍ତ ହୋଇଥିଲେ, ଆଜି ପ୍ରଥମ ପର୍ଯ୍ୟାୟରେ ୧୩୬୯ ଜଣଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନଲାଇନ୍ ଜରିଆରେ ଆରମ୍ଭ ହୋଇଛି।
କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କମ୍ପୋଷ୍ଟ ପ୍ଲାଣ୍ଟ କାମ ଆରମ୍ଭ କରାଗଲା। ଆସନ୍ତା ୧ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥାଗୁଡ଼ିକୁ ଆବର୍ଜନାମୁକ୍ତ ସହର କରିବା ପାଇଁ ଲକ୍ଷ୍ୟ ରଖି,ଏହି କାର୍ଯ୍ୟକ୍ରମରେ ମା’ମାନଙ୍କୁ ସାମିଲ୍ କରାଯାଇଛି । ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି କମ୍ପୋଷ୍ଟ ପ୍ଲାଣ୍ଟ କରାଯିବା ସହ ୨୬ଟି ପୌର ସଂସ୍ଥାରେ ୭୦କୋଟି ବ୍ୟୟରେ ୪୦ଟି ମଳ ପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଗଲା। ଏହାଦ୍ୱାରା ଦୈନିକ ୪ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ ଏବଂ ୮ଲକ୍ଷ ଲୋକ ଉପକୃତ ହେବେ।
ଆଜି ମଧ୍ୟ ଭୁବନେଶ୍ୱର ପାଇଁ ଫାଷ୍ଟ ଟ୍ରାକ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଛୋଟ(୫୦୦ ବର୍ଗ ମିଟରରୁ କମ୍)ରେ ଘର ନିର୍ମାଣ କରିବାକୁ ଚାହୁଁଥିବା ଲୋକଙ୍କୁ ୪୮ଘଣ୍ଟାରେ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ ଅଂଶୁମାନ ରଥ ନାମକ ଜଣେ ବ୍ୟକ୍ତିଙ୍କୁ ବିଲଡିଂ ପ୍ଲାନ୍ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ। ଏଥିରେ ଲୋକମାନେ ୧୦୦ଟି ପୂର୍ବ ଅନୁମୋଦିତ ନକ୍ସାକୁ ଭିତ୍ତି କରି ଆବେଦନ କରିପାରିବେ। ଏହି ବ୍ୟବସ୍ଥା ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସବୁ ସହରରେ କାର୍ଯ୍ୟକାରୀ ହେବ। ନଗର ଉନ୍ନୟନ ବିଭାଗ ଏଥିପାଇଁ ଏକ ମାସ ମଧ୍ୟରେ ପଦକ୍ଷେପ ନେଇଛନ୍ତି ।
ସହରବାସୀଙ୍କୁ ଅଧିକରୁ ଅଧିକ ମୌଳିକ ସେବା ଯୋଗାଇବା ବିଭିନ୍ନ ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବିଏମ୍ସି ପ୍ରଶାସକ ସଂଗ୍ରାମଜିତ ନାୟକ, କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକ, ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର, ଶୁଭେନ୍ଦୁ ସାହୁ, ଶ୍ୟାମସୁନ୍ଦର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ଏଥିପାଇଁ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହୋଇ କହିଛନ୍ତି, ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାର୍ଯ୍ୟ କରିବା ଓ ୫ଟିର ନୀତିକୁ ଅନୁସରଣ କରିବା, ତେବେ ଜନସାଧାରଣ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ଭାବେ ହାସଲ କରିପାରିବା।

LEAVE A REPLY

Please enter your comment!
Please enter your name here