୨୦୨୪ ସାଧାରଣ ନିର୍ବାଚନ ; ସନ୍ଥଶ୍ରୀ ଦେବଦତ୍ତ ରାଜନୀତିକୁ ଓହ୍ଲାଇବା ନେଇ ଚର୍ଚ୍ଚା

0
197

ଗଞ୍ଜାମ:ରାଜ୍ୟ ରାଜନୀତିରେ ନିର୍ବାଚନକୁ ଏକପ୍ରକାର ସ୍ୱତନ୍ତ୍ରତା ଦିଆଯାଇଥିବା ବେଳେ ଆଉ କିଛିଟା ମାସର ବ୍ୟବଧାନ ପରେ ଆରମ୍ଭ ହେବ ୨୦୨୪ ସାଧାରଣ ନିର୍ବାଚନ । ଯାହାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ପଦବୀ ହାସଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଟିକଟ ପାଇଁ ଚାଲିଛି ଟଣାଓଟରା । ଏଭଳି ସମୟରେ କୌଣସି ରାଜନୈତିକ ଦଳରେ ସଂଶ୍ଳିଷ୍ଟ ନଥିବା ତଥା ଲୋକଙ୍କ ଜନସେବା କରୁଥିବା ହରିପ୍ରିୟା ଆଶ୍ରମର ସନ୍ଥଶ୍ରୀ ଦେବଦତ୍ତ ମେକାପ ରାଜନୀତିକୁ ପ୍ରାର୍ଥୀ ଭାବେ ଓହ୍ଲାଇବା ସମଗ୍ର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି । ଯେହେତୁ ଦିଗପହଣ୍ଡି ବ୍ଳକର ୨୫ ଗୋଟି ପଞ୍ଚାୟତ ଏବଂ କୁକୁଡାଖଣ୍ଡି ବ୍ଳକର ୧୭ ଟି ପଞ୍ଚାୟତକୁ ନେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଗଠିତ । ପୂର୍ବରୁ ଏହା ମୋହନା ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ରହିଥିଲା । ତେବେ ୨୦୦୯ ମସିହାରେ ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପ୍ରକ୍ରିୟାରେ ବିଭାଜନ ହୋଇ ନୂତନ ଭାବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ନାମକରଣରେ ନାମିତ ହୋଇଥିଲା । ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ୧୯୯୦ ମସିହାରେ ରାଜନୀତିରେ ପାଦଦେଇ ମୋହନା ନିର୍ବାଚନ ମଣ୍ଡଳୀରୁ ଲଢି ବିଧାୟକ ଭାବେ ପ୍ରତିନିଧିତ୍ଵ କରି ନିର୍ବାଚିତ ହୋଇଥିଲେ । ଏପରିକି ମୋହନା ନିର୍ବାଚନ ମଣ୍ଡଳୀରୁ ୪ ଥର ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ଲୋକଙ୍କ ସମର୍ଥନରେ ଜିତି ଆସୁଛନ୍ତି । ସେ ଜଣେ ରାଜନୀତିରେ ସକ୍ରିୟ ନେତା ହେବା ସହ ପରବର୍ତ୍ତୀ ସମୟରେ ବାଚସ୍ପତି , ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ଵ ମଧ୍ୟ ତୁଲାଇ ଆସିଛନ୍ତି । ଦୀର୍ଘବର୍ଷ ଧରି ଦିଗପହଣ୍ଡି ଗଡକୁ ସମ୍ଭାଳି ଆସୁଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ଯୋଗୁଁ ରାଜନୀତିକୁ ଆସୁନାହାନ୍ତି । ଯାହାଫଳରେ ତାଙ୍କ ପୁତ୍ର ବିପ୍ଳବ ପାତ୍ର ଦଳକୁ ସୁଦୃଢ କରିବା ପାଇଁ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସମସ୍ୟା ବୁଝି ଆସୁଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ପରଠାରୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ଏପରିକି ଏହି ଗୋଷ୍ଠୀ କନ୍ଦଳ ଯୋଗୁଁ ୬ ଟି ନିରୀହ ଲୋକଙ୍କ ଜୀବନ ଚାଲି ଯାଇଛି । ଯାହାଫଳରେ ବିପ୍ଳବ ସମର୍ଥକ ଓ ବିପିନ ସମର୍ଥକଙ୍କ ହିଂସା ବୃଦ୍ଧି ପାଇ ଆସୁଥିବା ବେଳେ ଆଗାମୀ ନିର୍ବାଚନରେ ବିଜେଡି ପକ୍ଷରୁ ଟିକେଟ ପାଇବା ପାଇଁ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ସେହିପରି ବିଜେପି ଦଳରେ ମଧ୍ୟ ଦଳ ଭାଗବଣ୍ଟାକୁ ନେଇ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଏହି ସମୟରେ ୧୯୭୦ ଓ ୧୯୭୫ ମସିହାରେ ଦିଗପହଣ୍ଡି ବ୍ଳକର ଦୁଇଥର ଅଧ୍ଯକ୍ଷ ଦାୟିତ୍ଵ , ଚାଷୀ ମାନଙ୍କ ନିମନ୍ତେ ଆନ୍ଦୋଳନ ପ୍ରତିବାଦ , ପଲ୍ଲୀଶ୍ରୀ ପତ୍ରିକାର ପ୍ରତିଷ୍ଠାତା ସ୍ବର୍ଗତ ଚନ୍ଦ୍ରଶେଖର ମେକାପଙ୍କ ପୁତ୍ର ସନ୍ଥଶ୍ରୀ ଦେବଦତ୍ତ ମେକାପ ସନ୍ୟାସୀ ଜୀବନ ଅତିବାହିତ ପରେ ବର୍ତ୍ତମାନ ଦିଗପହଣ୍ଡି ଗଡବାସୀଙ୍କ ସେବା କରିବା ପାଇଁ ରାଜନୀତିରେ ଏକ ନୁଆ ଚେହେରା ଭାବରେ ଉଭାନ ହୋଇଛନ୍ତି । ସେ ଦୀର୍ଘଦିନ ଧରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜରିଆରେ ସମସ୍ତ ପଞ୍ଚାୟତ ଭ୍ରମଣ କରି ଲୋକଙ୍କ ନିକଟତର ହେଉଛନ୍ତି ଏବଂ ଲୋକଙ୍କ ସମସ୍ୟା ବୁଝିବା ସହ ଗରୀବର ସହାୟତା ପାଇଁ ହାତ ବଢାଇ ଆସୁଛନ୍ତି । ଏପରିକି ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଅତିଥି ଭାବେ ଯୋଗଦେବା ଯାହାକି ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇବା ଚାରିଆଡ଼େ ଚର୍ଚ୍ଚିତ ହେଉଛି । ତେବେ ସେ କେଉଁ ଦଳରୁ ଟିକେଟ ପାଇବା ପାଇଁ ଆଶା ରଖିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଗାମୀ ଦିନରେ ଦିଗପହଣ୍ଡି ଗଡ଼ କାହା ହାତରେ ନ୍ୟସ୍ତ ରହିବ ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here