ଜନସାଧାରଣଙ୍କୁ ଅଧୀକାର ଦେବାକୁ “୫-ଟିକୁ ଗୁରୁତ୍ୱ ଦିଅ”- ମନ୍ତ୍ର ଦେଲେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସୁପ୍ରିମୋ

0
703

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରବିବାର ଦିନ ଭୁବନେଶ୍ୱରର ଇଡକଲ ଅଡିଟୋରିୟମରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଆଜି ଏହି ବୈଠକରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି – ରାଜ୍ୟର ସାଧାରଣ ଲୋକମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ୫ଟିକୁ ଗୁରୁତ୍ୱ ଦିଅ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ କର୍ମକର୍ତ୍ତାଙ୍କୁ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବାପାଇଁ ଆହ୍ୱାନ ଜଣାଇଥିଲେ। କର୍ମୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁ ନିର୍ବାଚନରେ ବିଜୟ ଧାରା ବଜାୟ ରହିଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ। ସେ କହିଲେ ଗତ ସାଧାରଣ ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ମିଳିଥିବାରୁ ସେମାନଙ୍କ ପାଖରେ ସେ ଋଣୀ। ତେଣୁ ଲୋକମାନେ ଯେପରି ସରକାରୀ ଯୋଜନାରୁ ଲାଭ ପାଇବେ ତାହା ସୁନିଶ୍ଚିତ କରାଯିବ। ଏହାଛଡା ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବାକୁ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇ ଗାନ୍ଧିଜୀଙ୍କ ଚିନ୍ତାଧାରାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଅଧିକ ସଂଖ୍ୟକ ସଭ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲିଠାରୁ ବିଜେଡିର ମେମ୍ବରସିପ ଡ୍ରାଇଭ ଆରମ୍ଭ ହୋଇ ଅକ୍ଟୋବର ୩୧ ଯାଏଁ ଚାଲିବ ।ପ୍ରତି ୧୫ ଦିନରେ ଥରେ ସଭ୍ୟ ସଂଗ୍ରହ କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପ୍ରତି ଓ୍ୱାର୍ଡରୁ ୪ଜଣ ଲେଖାଏ, ଏନଏସିରୁ ୫ଜଣ, ମ୍ୟୁନିସିପାଲଟିରୁ ୧୫ଜଣ,ମହାନଗର ନିଗମରୁ ୪୦ଜଣ ଲେଖାଏ ସକ୍ରିୟ ସଦସ୍ୟ ରହିବେ। ନିଜକୁ ମିଶାଇ ପ୍ରତ୍ୟେକ ସକ୍ରିୟ ସଦସ୍ୟ ୨୫ଜଣ ସଭ୍ୟ ସଂଗ୍ରହ କରିବେ। ତେବେ ୨ଗୁଣା ଅର୍ଥାତ ୪୭ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସମସ୍ତଙ୍କର ଆଧାର ଲିଙ୍କ୍ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଭିନ୍ନ ଶାଖାର ସଦସ୍ୟ, ଜିଲ୍ଲା ସଭାପତି ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here