ଗୁଣିଗାରେଡି ଅନ୍ଧ ବିଶ୍ବାସକୁ ନେଇ ତିନି ଜଣଙ୍କୁ ଆକ୍ରମଣ

0
291

ପୋଲସରା: : ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଗୁଣି ଗାରେଡି ଭଳି ଏକ ଅନ୍ଧ ବିଶ୍ୱାସକୁ ଆଧାର କରି ଗୋଟିଏ ପରିବାର ତିନି ଜଣଙ୍କୁ ଜୁଲାଇ ୧୬ ତାରିଖ ଦିନ ଖଦାଳ ସାହି ଲୋକମାନେ ଆକ୍ରମଣ କରିଥିବା ଜଣାପଡିଛି। ଖବର ସଂଗ୍ରହ ବେଳେ ଜଣାପଡ଼ିଛି ଯେ ଚିରିକିପଡା ଶାସନ ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିର ମୁଳିଆ ନାହାକ(୫୫)ଙ୍କ ଗତ ଦେଢ ମାସ ପୂର୍ବେ ମୃତ୍ୟୁ ହୋଇଥିଲା । ୩୮ ଦିନ ପୂର୍ବେ ବିଶୁ ନାହାକ(୫୩ ) ଓ ୩୩ ଦିନ ପୂର୍ବେ ପାଣ୍ଡି ନାହାକ(୪୭)ଙ୍କ ମଦ୍ୟ ମୃତ୍ୟୁ ହୋଇଥିଲା। ସେହିପରି ଅଢେ଼ଇ ସପ୍ତାହ ପୂର୍ବେ ଅଜିତ ନାହାକ(୨୪), ଗତ ସପ୍ତାହ ରେ ଟୁକୁନା ନାହାକ(୩୩) ଓ ଜୁଲାଇ ୧୬ ତାରିଖ ଦିନ ସକାଳେ କିର୍ତ୍ତନ ନାହାକ (୬୭)ଙ୍କ ମୃତ୍ୟୁ ହୋଇଥିଲା।ମାତ୍ର ଦେଢ ମାସ ମଧ୍ୟରେ ସାହିର ଛଅ ଜଣଙ୍କ ମୃତ୍ୟୁ ହେବା ଘଟଣା ରେ ଗୁଣି ଗାରେଡି ଯୋଗୁଁ ଏପରି ମୃତ୍ୟୁ ହୋଇଥିବା ସାହି ଲୋକମାନେ ସନ୍ଦେହ କରିଥିଲେ। ବିମଳ ନାହାକ ପୂର୍ବରୁ ଗୁଣିଗାରେଡି କରୁଥିବା ସାହି ଲୋକ ଅଭିଯୋଗ ଆଣିଥିଲେ। ଆଜି ସକାଳେ ବିମଳ ନିଜ ଘରେ କିଛି ପୂଜାର୍ଚ୍ଚନା କରୁଥିବା ସାହି ଲୋକମାନେ ଦେଖି ବିମଳ ହିଁ ଗୁଣି କରି ସମସ୍ତ ଙ୍କୁ ମାରିଥିବା ସନ୍ଦେହ କରି ପୂର୍ବାହ୍ନରେ ବିମଳ ନାହାକ, ତାଙ୍କ ପୁଅ ପୂର୍ଣ୍ଣ ନାହାକ ଓ ସ୍ତ୍ରୀ ରଞ୍ଜୁ ନାହାକ କୁ ଆକ୍ରମଣ କରିଥିଲେ। ସାହି ଲୋକଙ୍କ ଆକ୍ରମଣ ରେ ବିମଳ ନାହାକ ଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର ଯାଇଥିବା ଖବର ମିଳିଛି। ଖବର ପାଇ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ସାହି ଲୋକମାନେ ପୋଲିସକୁ ମଧ୍ୟ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ଗୁରୁବାର ଦିନ ଖଦାଳ ସାହି ଲୋକମାନେ ପୋଲସରା ଥାନା ଆସି ବିମଳ ନାହାକ ଗୁଣି କରି ସାହି ଲୋକଙ୍କୁ ମାରୁଥିବା ଅଭିଯୋଗ କରିଥିଲେ। ତେବେ ଗୁଣିଗାରେଡି ଏକ ଅନ୍ଧ ବିଶ୍ଵାସ କହି ପୋଲିସ ସାହି ଲୋକଙ୍କ ଅଭିଯୋଗ ଶୁଣି ନଥିଲେ। ସାହି ଲୋକମାନେ ପୋଲିସ ବିମଳ ନାହାକକୁ ଘଣ୍ଟ ଘୋଡାଉଥିବା ଭାବି ପୋଲିସ କୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ପୋଲସରା ଓ ବୁଗୁଡା ପୋଲିସର ମିଳିତ ଉଦ୍ୟମ ଯୋଗୁଁ ଗଣ୍ଡଗୋଳ ଆୟତ୍ତ ହୋଇଥିଲା। ଅନ୍ଧ ବିଶ୍ୱାସ ଯୋଗୁଁ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଗୁଣିଗାରେଡି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here