ଆର୍.କେ.ଡାଇବେଟିସ୍ ଏଣ୍ଡ ଏଣ୍ଡୋକ୍ରାଇନ୍‌ ସେଣ୍ଟର ପକ୍ଷରୁ ମଧୁମେହ ମାତ୍ ଅଭିଯାନ

0
259

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ରଘୁନାଥ ନଗର ସ୍ଥିତ କଳିଙ୍ଗ ବିଦ୍ୟାମନ୍ଦିର ପରିସରରେ ଆର୍.କେ.ଡାଇବେଟିସ୍ ଏଣ୍ଡ ଏଣ୍ଡୋକ୍ରାଇନ୍‌ ସେଣ୍ଟର ପକ୍ଷରୁ ମଧୁମେହ ମାତ୍ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କର ରକ୍ତ ଶର୍କରା ସ୍ତରର ପରୀକ୍ଷା କରାଯିବା ସହିତ ଏକ ମଧୁମେହ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।କଳିଙ୍ଗ ବିଦ୍ୟାମନ୍ଦିରର ସଭାପତି ଶ୍ରୀଯୁକ୍ତ ଜବାହାରଲାଲ ପାତ୍ର ଉକ୍ତ କର୍ମଶାଳାକୁ ଉଦ୍‌ଘାଟନ କରିବା ସହିତ,ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଶର୍ମିଳା ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଏଥିରେ ମୁଖ୍ୟବକ୍ତା ଭାବରେ ଏମ୍.କେ.ସି.ଜି. ମେଡିକାଲ କଲେଜ ଅନ୍ତସ୍ରାବ ବିଭାଗର ସହଯୋଗୀ ଅଧ୍ୟାପକ ଡାକ୍ତର ପି.ରବି କୁମାର ଯୋଗ ଦେଇ କର୍ମଶାଳାରେ ଭାଗ ନେଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ କରୋନା ଜନିତ ମଧୁମେହ ଏବଂ ମାତ୍ରାଧିକ ଷ୍ଟେରଏଡ୍‌ ବ୍ୟବହାର ଯୋଗୁଁ ନୂଆ କରି ପୀଡିତ ମଧୁମେହ ରୋଗୀ ଏବଂ ରୋଗ ସଂପର୍କରେ ପୁଙ୍ଖାନୁପ୍ନଙ୍ଖ ଆଲୋଚନା କରିଥିଲେ।ପରିବାରରେ ଥିବା ବୟସ୍କ ସଦସ୍ୟ ଏବଂ ମଧୁମେହ ରେ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କର ସଂପ୍ରତିକ କରୋନା ସ୍ଥିତିରେ କିଭଳି ଯତ୍ନ ନେବା ଆବଶ୍ୟକ ତାହାର ଏକ ବାସ୍ତବିକ ଦୃଷ୍ଟାନ୍ତ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ନିୟମିତ ଔଷଧ ସେବନ,ସଠିକ ବ୍ୟାବଧାନରେ ଡାକ୍ତରଙ୍କ ପରମର୍ଶ ସହିତ,ଜଣେ ମଧୁମେହ ରୋଗୀ ରକ୍ତ ଶର୍କରା ସ୍ତରରେ ନିୟନ୍ତ୍ରଣ ରଖିବା ଉଚିତ।ଏତଦ୍‌ ବ୍ୟତୀତ ସୁଷମ ଆହାର, ପ୍ରତିଦିନ ବ୍ୟାୟମ, ଯୋଗ ଏବଂ ପ୍ରାଣାୟମ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।ଡଃ.ଶଙ୍କର ମାଝୀ( ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ), ଡଃ ରମେଶ ପ୍ରଧାନ(ପ୍ରାଧ୍ୟାପକ, ମହାମାୟୀ ମହିଳା ମହାବିଦ୍ୟାଳୟ), ଶ୍ରୀଯୁକ୍ତ ବନମାଳୀ ପ୍ରଧାନ(କମିଟି ସଦସ୍ୟ,କଳିଙ୍ଗ ବିଦ୍ୟାମନ୍ଦିର) ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ହରେକୃଷ୍ଣ କୋଠିଆ କାର୍ଯ୍ୟକ୍ରମଟିକୁ ସଫଳ କରିଥିବା ହେତୁ ମୁଖ୍ୟବକ୍ତା ଡାକ୍ତର ପି.ରବି କୁମାର ଏବଂ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ ଓ ଶିକ୍ଷାୟତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ଆର୍. କେ. ଡାଇବେଟିସ୍ ଏଣ୍ଡ ଏଣ୍ଡୋକ୍ରାଇନ୍‌ ସେଣ୍ଟରର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here