ଟୀକାଦେବାକୁ ଯାଇ ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

0
245

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି କଲ୍ୟାଣୀ ମଣ୍ଡପ ଟୀକାଦାନ କେନ୍ଦ୍ରକୁ ଟୀକା ଦେବାକୁ ଯାଇ ଦଳାଚକଟାରେ ଜଣେ ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ପୋଲସରା କଲ୍ୟାଣି ମଣ୍ଡପ ଠାରେ ପୋଲସରା ବ୍ଲକ ଓ ଏନ୍ଏସି ଉଭୟର ଟୀକାକରଣ ପାଇଁ ନିର୍ଦ୍ଦାରଣ ହୋଇଥିଲା। ସକାଳୁ ସକାଳୁ କୋଭିଡି ଟୀକାଦେବା ପାଇଁ ଶତାଧିକ ପୁରୁଷ ଓ ମହିଳାଙ୍କ ଗହଳି ଟିକାଦାନ କେନ୍ଦ୍ର ସମ୍ମୁଖରେ ହୋଇଥିବା ଦେଖାଦେଇଥିଲା। ସକାଳ ୯ ଘଣ୍ଟା ସମୟରେ ଅସ୍ଥାୟୀ କୋଭିଡି ଟୀକାକରଣ କେନ୍ଦ୍ରର ମୁଖ୍ୟ ଫାଟକ ଖୋଲା ଯାଇଥିଲା । ଶତାଧିକ ପୁରୁଷ ଓ ମହିଳା ଗୋଟିଏ ମୁଖ୍ୟ ଫାଟକ ଦେଇ ଠେଲା ପେଲାରେ ପ୍ରବେଶ କରିଥିଲେ । ଠେଲା ପେଲା ମଧ୍ୟରେ ଟିକାଦାନ କେନ୍ଦ୍ର ପରିସରକୁ ଲକ୍ଷ୍ମଣପଲ୍ଲୀ ଗ୍ରାମର ଭାନୁମତି ସାହୁ ଯିବା ସମୟରେ ଫାଟକ ସମ୍ମୁଖରେ ପଡିଯାଇଥିବା ବେଳେ କିଛି ଲୋକ ତାଙ୍କ ଉପରେ ଦଳି ଚକଡି ଚାଲି ଯାଇଥିଲେ । ଯାହା ଫଳରେ ଭାନୁମତି ସାହୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଦ୍ବାରା ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରିବା ସହ ବହୁ ଟଙ୍କା ଖର୍ଚ୍ଚ ହେବାର ସୂଚନା ପାଇବା ପରେ ଅସହାୟ ଅବସ୍ଥାରେ ମାଆଙ୍କୁ ଧରି ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରି ଆସିଥିଲେ। ପରିବା ବିକ୍ରୀକରି ପରିବାର ପ୍ରତିପୋଷଣ କରୁଥିବା ବୁଲୁ ସାହୁ ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିପାରି ନଥିବା ବେଳେ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ଯୋଗୁଁ ଭାନୁମତି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କୋଭିଡି ଟୀକା ଦେବାପାଇଁ ଆସିଥିଲେ ମହିଳା ଜଣକ, ହେଲେ ଟୀକା ଦେବା ପୂର୍ବରୁ ଠେଲା ପେଲାରେ ପଞ୍ଜରା ହାଡ଼ଟି ଭାଙ୍ଗି ଭାନୁମତି ଯନ୍ତ୍ରଣା ଭୋଗୁଥିବା ବେଳେ ଅର୍ଥ ବାଧକ ସାଜିଥିବା ଯୋଗୁଁ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here