କୋଭିଡର ତୃତୀୟ ଲହରରୁ ବଞ୍ଚିବା ସକାଶେ ଟିକାକରଣର ସଠିକ୍ ପରିଚାଳନା ଜରୁରୀ- ଜିଲ୍ଲାପାଳ

0
230

ଛତ୍ରପୁର:କୋଭିଡ୍ ର ତୃତୀୟ ଲହରଠାରୁ ବର୍ତ୍ତିବା ସକାଶେ ସମସ୍ତ ଜିଲ୍ଲାବାସୀଙ୍କ ଟିକାକରଣ ଜରୁରୀ, ଏଣୁକରି ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା ଆବଶ୍ୟକ । ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବା ଆବଶ୍ୟକ ଓ ଏହି ଦିଗରେ ଗୁରୁତ୍ବ ଦେବାକୁ ଗଞ୍ଜାମ ଜିଲ୍ଲାପାଳ ସୋମବାର ଅନୁଷ୍ଠିତ କୋଭିଡ୍ ପରିଚାଳନା ଭିଡିଓ କନଫରେନ୍ସିଂ ରେ ଜଣାଇଛନ୍ତି । ପ୍ରାପ୍ତ ଟିକାର ସ୍ଥିତି ଅନୁଯାୟୀ ଦୈନିକ ଲକ୍ଷ୍ୟଧାର୍ଯ୍ୟ ଟିକାକରଣ ଯେପରି ପୂର୍ଣ୍ଣ ହେବ ସେଥି ସକାଶେ ଚେଷ୍ଟା କରିବା ତେବେଯାଇ ସମସ୍ତ ଜିଲ୍ଲାବାସୀ ଟିକା ନେଇପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରାଥମିକତା ଭିତ୍ତିରେ ଦୋକାନୀ ମାନଙ୍କୁ, ଟ୍ୟାକ୍ସି ଡ୍ରାଇଭର୍, ଅଟୋ ଡ୍ରାଇଭର୍ ,ର୍ହାଟବଜାରରେ ବିକ୍ରି କରୁଥିବା ବିକ୍ରେତା ମାନଙ୍କୁ ଟିକା ଦିଆଯିବ । ତତ୍ ସହିତ ବୃହତ ବଜାର ଅଞ୍ଚଳ ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥିବା ଦୋକାନୀ ମାନଙ୍କୁ ମଧ୍ୟ ଗୁରୁତ୍ବ ଦିଆଯାଇ ଟିକା ପ୍ରଦାନ କରାଯିବ । ବ୍ୟବସାୟୀଗଣ ନିଜେ ଟିକା ଗ୍ରହଣ କରି ଏବଂ ସେମାନଙ୍କ ଦୋକାନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଟିକା ଦେଇ ଟିକାଗ୍ରହଣ କରିଥିବାର ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ ଯେପରି ଗ୍ରାହକ ଦୋକାନୀ ଟିକା ନେଇଥିବା ଜାଣିପାରିବେ । ଯଦି ଦୋକାନୀ ଟିକା ଗ୍ରହଣ କରିଥିବା ପ୍ରମାଣ ପତ୍ର ନିଜ ଦୋକାନ ସମ୍ମୁଖରେ ଲଗାନ୍ତି ନାହିଁ ତେବେ ସେହି ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାକୁ ୨୬୩୮୧୩୨ ଟିକା କରଣ ର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ପ୍ରତି ବ୍ଲକ୍ ପିଛା ଦୈନିକ ପାଖାପାଖି ୧୨୦୦ ଜଣ ଯେପରି ଟିକା ଗ୍ରହଣ କରିବେ ସେହି ଅନୁସାରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ ଜଣାଇଥିଲେ । ସେଥି ସକାଶେ ଦଳ ଗଠନ, ପ୍ରଶିକ୍ଷଣ ଏବଂ ପରିଚାଳନା କାର୍ଯ୍ୟ ତ୍ବରାନ୍ବୀତ କରିବାକୁ କୁହାଯାଇଛି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପ୍ରଦାନ କରାଯାଥିବା ଟିକାକରଣର ଫଳାଫଳ ବର୍ତ୍ତମାନ ଦେଖାଯାଉଛି ବୋଲି ଜିଲ୍ଲାପାଳ ଅବଗତ କରାଇଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ତ୍ତମାନ ସକାଳ ୭ଟା ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯାଉଛି । ଦୋକାନୀ ବା ବ୍ୟବସାୟୀ ମାନେ ପଞ୍ଚସୂତ୍ର ନିୟମର କଡା ପାଳନ କରୁଛନ୍ତି କି ନାହିଁ ସେ ଦିଗରେ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଔଷଧ ଦୋକାନ ବ୍ୟବସାୟୀ ସଂଘସହ ଯୋଗସୂତ୍ର ରକ୍ଷାକରି ବର୍ତ୍ତମାନ ସ୍ଥିତିରେ କେଉଁ ଔଷଧର ବ୍ୟାପକ ବିକ୍ରି ହେଉଛି ଏବଂ କେଉଁ ଲକ୍ଷଣ ଜନିତ ଔଷଧ ଅଧିକ ମାତ୍ରାରେ ବିକ୍ରି ହେଉଛି ସେହି ତଥ୍ୟ ସ୍ବାସ୍ଥ୍ୟ ଅଧିକାରୀଗଣ ଜୁମ୍ ବୈଠକ କରି ପଚାରି ବୁଝନ୍ତୁ । ସେହି ତଥ୍ୟ ଆଧାରରେ ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ । ଜନ ପ୍ରତିନିଧିଗଣ, ସ୍ବୟଂସହାୟକ ଗୋଷ୍ଠୀ, ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ନେଇ ଗୋଷ୍ଠୀଗତ ଆଲେଚନା ଦ୍ବାରା ସଚେତନତା ସହ କୋଭିଡ୍ କୁ ନେଇ ଲୋକେ କେତେ ପରିମାଣରେ ସତର୍କତା ଅଛନ୍ତି ସେଥିନେଇ ବୈଠକଦ୍ବାରା ଆଲୋଚନା କରିବାକୁ କୁହାଯାଇଛି ।
ଜିଲ୍ଲାର ଯେ କୌଣସି ବୈଠକରେ ପ୍ରଥମ ୫ ମିନିଟ୍ କୋଭିଡ୍ ସଚେତନତା ସମ୍ପର୍କିତ ଆଲୋଚନା କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ରାତ୍ରିକାଳୀନ ସଫେଇ, ୫ମିଟର ଦୂରତ୍ବ ଓ ଅନ୍ୟସବୁ ସମସ୍ୟାର ସମାଧାନ ମୋଓ୍ବାର୍ଡ କାର୍ଯ୍ୟକ୍ରମ ଜରିଆରେ କରିବାକୁ କୁହାଯାଇଛି । ରାତ୍ରି ସମୟରେ ମଦଦୋକାନ ଖୋଲିବା ନଜରକୁ ଆସୁଛି । ସେ ଦିଗରେ ତହସିଲଦାର ଗଣ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାତ୍ରକାଳୀନ କର୍ଫ୍ୟୁର ଠିକ୍ ପରିଚାଳନା କରିବାକୁ କୁହାଯାଇଛି । ବାହାଘର ଭୋଜି, ବଣଭୋଜି ଇତ୍ୟାଦି ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି ଅବଂ ଜବତ କରାଯାଉଥିବା ରନ୍ଧା ଖାଦ୍ୟକୁ ନଷ୍ଟ ନ କରି ତାର ସୁଷମ ବଣ୍ଟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କୋଭିଡ୍ ଚିକିତ୍ସା କେନ୍ଦ୍ର ରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏମ୍.କେ.ସି.ଜିର ଡିସିଏଚ୍-୧ ବନ୍ଦ କରି ଡିସିଏଚ୍-୨ କୁ ଚାଲୁ ରଖୁବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଏମ୍.କେ.ସି.ଜି. ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ରହିଥିବା ଚିକିତ୍ସା କେନ୍ଦ୍ର ଗୁଡିକର ସ୍ଥିତି ଏବଂ ସେହିଠାରେ ଉପଲବ୍ଧ ଥିବା ସୁବିଧା ସମ୍ପର୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଯାଂଚ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ସ୍ତରୀୟ ନିର୍ଦ୍ଦେଶକୁ ଅପେକ୍ଷା ନକରି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସିଡିପିଓ କିମ୍ବା ସଂପୃକ୍ତ ଅଧିକାରୀ ଗଣ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା ହୋଇଥିବା ଆଶିର୍ବାଦ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା ନିଜଆଢୁ ଆରମ୍ଭ କରିବାକୁ କୁହାଯାଇଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଫଟୋ ଉତ୍ତୋଳନ କରି ଟ୍ବିଟ୍ ମାଧ୍ୟମରେ ଜିଲ୍ଲାକୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ରେ ପ୍ରେରଣ କଲେ କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସାଧାରଣ ଅବଗତ ହୋଇପାରିବେ ଏବଂ ସେମାନଙ୍କ ଆପତ୍ତି ଅଭିଯୋଗ ସମ୍ବନ୍ଧରେ ଟ୍ବିଟ୍ ମାଧ୍ୟମରେ ଦାଖଲ କରିବାର ସୁବିଧା ପାଇଲେ ପ୍ରଶାସନିକ କାର୍ଯ୍ୟର ଦକ୍ଷତା ବୃଦ୍ଧି ହେବା ସଙ୍ଗେସଙ୍ଗେ ଲୋକେ ସରକାରଙ୍କ ଆସ୍ଥାଭାଜନ ହୋଇପାରିବେ । ଗଞ୍ଜାମ ଜିଲ୍ଲାରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଆନ୍ତରିକତା ଭିତ୍ତିରେ ସର୍ବ ପ୍ରଥମେ କାର୍ଯ୍ୟକାରୀ ହେଉଛି ଏବଂ ସେହିସବୁ କାର୍ଯ୍ୟ ଅନ୍ୟ ମାନଙ୍କ ଦ୍ବାରା ବେଶ୍ ପ୍ରଶଂସିତ ହେଉଛି । ଏଣୁ ସେହିସବୁ କାର୍ଯ୍ୟ ପରିଚାଳନା ଦିଗରେ ଢିଲା କିମ୍ବା ଅବହେଳା ନ କରି ଗୁରୁତର ସହ ଅନୁପାଳନ କରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଥିଲେ ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍,, ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜନସ୍ବାସ୍ଥ୍ୟ ଅଧିକାରୀ ଡଃ. ଆର୍ ଜଗଦୀଶ ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here