ଗଜପତି ଏସ.ପି ସାରା ଶର୍ମାଙ୍କ ଫିଟନେସ ଫଣ୍ଡା ଏବେ ପୁଣି ଚର୍ଚ୍ଚାରେ

0
930

ଗଜପତି (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ ) : ଗଜପତି ଏସ.ପି ସୁଶ୍ରୀ ସାରା ଶର୍ମା ପୁଣି ଚର୍ଚ୍ଚାକୁ ଆସିଛନ୍ତି | ଏଥର ଏରୋବିକ ମ୍ୟୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସର ଫଣ୍ଡା ବତାଇଛନ୍ତି ଏହି ମହିଳା ଆଇପିଏସ | ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥିବା ବେଳେ ସମସ୍ତେ କିଭଳି ସ୍ୱାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ଏସ.ପି ଶର୍ମା | ତାଙ୍କର ଏହିଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି |
ନାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ହେଉ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାରେ କି ଅକ୍ଷୟ ଦାନ ପାତ୍ର କାର୍ଯ୍ୟକ୍ରମ ହେଉ,ବିଭିନ୍ନ ସମୟରେ ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ଗଜପତି ଏସ.ପି ବର୍ତ୍ତମାନ ଏରୋବିକ ଡ୍ୟାନ୍ସ ମାଧ୍ୟମରେ ଜନସାଧାରଣଙ୍କୁ ଫିଟନେସ ଫଣ୍ଡା ବତାଇ ପୁଣି ଚର୍ଚ୍ଚାର ପାତ୍ର ହୋଇଛନ୍ତି | ମଙ୍ଗଳବାର ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ଏସ.ପି ଏଭଳି କାର୍ଯ୍ୟକ୍ରମ କରିଥିବା ବେଳେ ଏଥିରେ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇଥିଲେ | ସ୍ୱାସ୍ଥ୍ୟ ହିଁ ସମ୍ପଦ,ସ୍ୱାସ୍ଥ୍ୟକୁ ନିରୋଗୀ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଠ ମାଧ୍ୟମ | ତେଣୁ ଲୋକଙ୍କୁ ସ୍ୱାସ୍ଥ୍ୟବାନ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସ.ପି କହିଥିବା ବେଳେ ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଯୋଜନା କରାଯାଇଛି | ଯଦି ଲୋକ ସଂଖ୍ୟା ବୃଦ୍ଧି ପାଏ ତାହା ହେଲେ ଯୋଗ,ବ୍ୟାୟାମ,ଟ୍ରାକିଂ ଆଦି ମଧ୍ୟ କରାଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି | ଏସ.ପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ସକାଳୁ ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି ସହରର ବରିଷ୍ଠ ନାଗରିକ ଏବଂ ଜନପ୍ରତିନିଧୀ ଭଳି ବିଭିନ୍ନ ବର୍ଗର ଲୋକେ ଏକତ୍ରିତ ହୋଇଥିଲେ | ପ୍ରାୟ ଘଂଟାଏ କାଳ ସମସ୍ତେ ଏରୋବିକ ମ୍ୟୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ | ସହରରେ ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜିତ ହୋଇଥିବାରୁ ସମସ୍ତେ ବେଶ ଉତ୍ସାହିତ ଥିଲେ | ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟବାନ ରଖିବା ପାଇଁ ସହାୟକ ହେବା ସହ ପୋଲିସ ଯେ,ସାଧାରଣ ଲୋକଙ୍କ ବନ୍ଧୁ ବୋଲି ଏସ.ପି ସୁଶ୍ରୀ ସାରା ଶର୍ମା ପ୍ରମାଣିତ କରିଛନ୍ତି |

LEAVE A REPLY

Please enter your comment!
Please enter your name here