ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟ ନିର୍ବାଚନ ପରି କରିବାକୁ ନିର୍ଦ୍ଦେଶ

0
281

ଛତ୍ରପୁର: କରୋନାର ଦ୍ବିତୀୟ ଲହର ପ୍ରାଦୁର୍ଭାବକୁ ପ୍ରତିହତ କରିବା ନିମନ୍ତେ ଟିକା କରଣ ଏକାନ୍ତ ଅପରିହାର୍ଯ୍ୟ । ମୋବାଇଲ୍ ଟିମ୍ ଗଠନ କରି ଦୁର୍ଗମ ପାହାଡିଆ ଅଞ୍ଚଳ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୪୫ ବର୍ଷରୁ ଉର୍ଦ୍ଧ୍ବ ବୁଲା ବିକାଳୀ, ପରିବା ବିକ୍ରେତା,, ସେଲୁନ୍ ବାଲା, ତେଜରାତି ଦୋକାନୀ, ଗ୍ୟାରେଜ୍ ରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ଟିକାକରଣ କାର୍ଯ୍ୟକୁ ତ୍ବରାନ୍ବୀତ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅପରାହ୍ନରେ ସମସ୍ତ ବିଡିଓ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ଜନ ଗହଳୀ ପୂର୍ଣ୍ଣ ଅଞ୍ଚଳ, ଛକଜାଗା, ଘନ ବସତି ଅଞ୍ଚଳ, ଦୂର୍ଗମ ଅଞ୍ଚଳରେ ନିର୍ବାଚନ ଢାଞ୍ଚାରେ ଟିକା କରଣ କେନ୍ଦ୍ର କରି ଜନ ସାଧାରଣଙ୍କୁ ଟିକାକରଣ କରାଇବେ । ଗ୍ରାମଞ୍ଚଳ ଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ସହରାଞ୍ଚଳରେ କାଉନସିଲର ମାନଙ୍କ ସହ ମିଶି ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଦିନକ ପୂର୍ବରୁ ଚିରୁକୁଟି ଦେବାପାଇଁ ଜିଲ୍ଲାପାଳ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୈନିକ ଏହାର ସମୀକ୍ଷା କରିବା ସହ ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । କରୋନା ଚେନ୍ ରୋକିବା ନିମନ୍ତେ ତହସିଲଦାର ମାନେ ପୂର୍ବାହ୍ନ ୭ ଘ. ରୁ ପୂର୍ବାହ୍ନ ୧୧ ଘ. ପର୍ଯ୍ୟନ୍ତ ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତ୍ବ ରକ୍ଷା କରାଯାଉଛି କି ନାହିଁ ତାହା ତଦାରଖ କରିବା ପାଇଁ ଜିଲ୍ଲାପାଳ କହିଥିଲେ । ବୃଦ୍ଧ, ବୃଦ୍ଧା ଓ ଅକର୍ମଣ୍ୟ ବ୍ୟକ୍ତି ବିଶେଷଙ୍କୁ ଗାଡିରେ ଆଣି ଟିକାକରଣ କରାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ରେ ରେଜିଷ୍ଟ୍ରସନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଟିକା ଦିଆଯିବ । ଟିକାକରଣ କାର୍ଯ୍ୟ ଜିଲ୍ଲାରେ ଯେପରି ଶତପ୍ରତିଶତ ସଫଳତା ହାସଲ କରିବ ସେଥିପ୍ରତି ସମସ୍ତ ଅଧିକାରୀ, କର୍ମଚାରୀମାନେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ କହିଥିଲେ ।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସା , ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜ ନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଂକର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here