ଅସହାୟଙ୍କୁ ରନ୍ଧା ଖାଦ୍ୟ ପୁଡିଆ ସହ ମାସ୍କ ବଣ୍ଟନ

0
224

ଗୋପାଳପୁର: କରୋନା ଦ୍ୱିତୀୟ ଲହର ତାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ସରକାର ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏହା ସତ୍ତ୍ୱେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ବହୁ ଜନସାଧାରଣ ସଂକ୍ରମିତ ହେବା ସହ ବହୁ ଲୋକ ମୃତ୍ୟ ମୁଖରେ ପଡିଛନ୍ତି । ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଚଳିତ ମଇ ମାସ ପ୍ରଥମ ସପ୍ତାହରୁ ସରକାର ଲାଗୁ କରିଛନ୍ତି । ଫଳରେ ଶ୍ରମିକ, ଗରିବଶ୍ରେଣୀ, ଖଟିଖିଆ ଦିନମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବୀକା ହରାଇ ବସିଛନ୍ତି । ଫଳରେ ଦିନକୁ ଦୁଇ ବେଳା ଖାଦ୍ୟ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଏହାର ଆଖପାଖ ଅଂଚଳରେ ରହିଥିବା ଅସହାୟ ଓ ଗରିବଙ୍କୁ ମୁଠାଏ ଖାଦ୍ୟ ଦେବା ପାଇଁ ପ୍ରୟାସ କରିଛନ୍ତି ଯୁବ ସମାଜସେବୀ ଏମ୍‌. ଶିବ ପାତ୍ର । ଗତ ଶୁକ୍ରବାର ଠାରୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଗରିବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ପୁଡିଆ ଏବଂ ମାସ୍କ ଯୋଗାଇ ଦିଆଯାଉଛି । ଏଥିରେ ଗୋପାଳପୁର ଅଞ୍ଚଳର ଯୁବ ଗୋଷ୍ଠୀମାନେ ସହଯୋଗ କରୁଛନ୍ତି । ଯୁବଗୋଷ୍ଠୀ ମଧ୍ୟରେ କୁମାର ନାଲୁଙ୍କ ନେତୃତ୍ୱରେ ବିକ୍ରମ, ଚନ୍ଦନ, ଆନନ୍ଦ, ଅମିତ, ସୋମନାଥ, ବଣ୍ଟି, ଗୌତମ, ସୁଶାନ୍ତ ଓ କିଶାନଙ୍କ ସମେତ ବହୁ ଯୁବକ ସରକାରଙ୍କ କୋଭିଡ଼ ପଞ୍ଚସୂତ୍ରୀ ନିୟମ ମାନି ଖାଦ୍ୟ ପ୍ରସ୍ତୁତ ସମେତ ସ୍ୱଚ୍ଛତାର ସହ ପୁଡିଆ ପ୍ରସ୍ତୁତ କରି ବିଭିନ୍ନ ସାହିରେ ବାଣ୍ଟିଛନ୍ତି । ଏହା ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ଏପରି ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here