ଗଞ୍ଜାମ ଜିଲ୍ଲାରେ ୭୩୫୮ କୃଷ୍ଣସାର ମୃଗ, ଦକ୍ଷିଣ ଘୁମୁସର ବନଖଣ୍ଡରେ ୪୪୮୩ ମୃଗ

0
266

ବୁଗୁଡା:ଗଞ୍ଜାମ ଜିଲ୍ଲାର ଗର୍ବ ଭାବେ ପରିଚିତ ବନ୍ୟପ୍ରାଣୀ କୃଷ୍ଣସାର ମୃଗ ସଂଖ୍ୟା ୨୦୨୧ ମସିହାରେ ବୃଦ୍ଧି ପାଇ ୭୩୫୮ ରେ ପହଞ୍ଚି ଥିବା ବେଳେ, ଜିଲ୍ଲାର ୩ ଟି ଫରେଷ୍ଟ ଡିଭିଜନ ମଧ୍ୟରୁ କେବଳ ଦକ୍ଷିଣ ଘୁମୁସର ଡିଭିଜନରେ ପ୍ରାୟ ୬୧ ପ୍ରତିଶତ ଅର୍ଥାତ ୪୪୮୩ କୃଷ୍ଣସାର ମୃଗ ରହିଥିବା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରା ପ୍ରକାଶ କରିଛନ୍ତି। ୨୦୨୦ ମସିହା ଗଣନାରେ ଦକ୍ଷିଣ ଘୁମୁସର ବନଖଣ୍ଡ ରେ ୪୧୧୪ କୃଷ୍ଣସାର ମୃଗ ଥିବାବେଳେ ୨୦୨୧ ମସିହା ଗଣନାରେ ୩୬୯ ମୃଗ ବୃଦ୍ଧି ପାଇ ୪୪୮୩ କୃଷ୍ଣସାର ମୃଗ ହୋଇଅଛି। ସେହିପରି ଉତ୍ତର ଘୁମୁସର ବନଖଣ୍ଡରେ ୨୦୨୦ ମସିହା ଗଣନାରେ ୨୮୬ ଟି କୃଷ୍ଣସାର ମୃଗ ଥିବା ବେଳେ ମାତ୍ର ୧୫ ଟି ଅଧିକ ହୋଇ ୨୦୨୧ ମସିହା ଗଣନାରେ ୩୦୧ ଟି କୃଷ୍ଣସାର ମୃଗ ହୋଇଛି। ଅନ୍ୟତମ ବ୍ରହ୍ମପୁର ବନଖଣ୍ଡରେ ୨୦୨୦ ମସିହା ମୃଗ ଗଣନାରେ ୨୪୭୫ ଟି କୃଷ୍ଣସାର ମୃଗ ଥିବା ବେଳେ ୨୦୨୧ ମସିହାରେ ୯୯ ଟି ବୃଦ୍ଧି ପାଇ ୨୫୭୪ ଟି କୃଷ୍ଣସାର ମୃଗ ହୋଇପାରିଛି। ଗତ ବର୍ଷ ଅପେକ୍ଷା ୪୮୩ ଟି କୃଷ୍ଣସାର ମୃଗ ବୃଦ୍ଧି ପାଇଥିବା ବେଳେ କେବଳ ଦକ୍ଷିଣ ଘୁମୁସର ବନଖଣ୍ଡରେ ୩୬୯ ଟି କୃଷ୍ଣସାର ମୃଗ ବୃଦ୍ଧି ପାଇଛି। ୨୦୨୧ ମସିହା ଗଣନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୭୩୫୮ ଟି କୃଷ୍ଣସାର ଥିବାବେଳେ ସେମାନଙ୍କ ମଧ୍ୟରୁ ଅଣ୍ଡିରା ମୃଗ ସଂଖ୍ୟା ହେଉଛି ୧୭୧୨, ମାଈ ମୃଗ ସଂଖ୍ୟା ୪୧୯୬ ଓ ଛୁଆ ମୃଗ ସଂଖ୍ୟା ୧୪୫୦ ଥିବା ଜଣାପଡିଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ସମସ୍ତ ବନାଞ୍ଚଳ ଅଧିକାରୀଙ୍କ ଆନ୍ତରିକ ଉଦ୍ୟମ ଓ ବିଶେଷ କରି ଅଞ୍ଚଳ ବାସିନ୍ଦାଙ୍କ ପୂର୍ଣ୍ଣ ସହଯୋଗ ଯୋଗୁଁ ଦକ୍ଷିଣ ଘୁମୁସର ବନଖଣ୍ଡ ରେ ଗଞ୍ଜାମର ଗୌରବ ଓ ଗର୍ବ କୃଷ୍ଣସାର ମୃଗ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here