କୋଭିଡ୍ ଟେଷ୍ଟ ରିପୋର୍ଟକୁ ଅପେକ୍ଷା ନ କରି ଗୁରୁତର ଥିବା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ତୁରନ୍ତ କରାଯାଉ – ଜିଲ୍ଲାପାଳ

0
257

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଏବଂ ବ୍ୟବସ୍ଥାକୁ କଡାକଡି କରାଯାଉଛି । ଜିଲ୍ଲାରେ ୬ ହଜାରରୁ ଉର୍ଦ୍ଧ୍ବ ଶଯ୍ୟା ପ୍ରସ୍ତୁତ କରି ରଖିବା ଦିଗରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ବ ଦେଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେଯେ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ବ୍ୟତୀତ ପ୍ରତି ଉପଖଣ୍ଡରେ ଦୁଇ ହଜାର ଲେଖାଏଁ ଶଯ୍ୟା ପ୍ରସ୍ତୁତ ହେବ । ବ୍ଲକ୍ ସ୍ତରରେ ନିହାତି ଭାବରେ ତିନିଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟି.ଏମ୍.ସି.) ରହିବ ଏବଂ ଗୋଟିଏ ଟି.ଏମ୍.ସି.ରେ ଦୁଇଶହ ଗୋଟି ଶଯ୍ୟା ପ୍ରସ୍ତୁତ ହେବ । ଜନ ସାଧାରଣଙ୍କୁ ଅନୁରୋଧ କରାଯାଉଛି ସେମାନେ ଅନ୍ତଃତ ପକ୍ଷେ ଏକମାସ କାଳ ବ୍ଲକ୍ କାର୍ଯ୍ୟାଳୟ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ମହାନଗର ନିଗମ କାର୍ଯ୍ୟାଳୟ ଏବଂ ସମସ୍ତ କାର୍ଯ୍ୟାଳୟକୁ ଯାଇ ଗହଳି କରନ୍ତୁ ନାହିଁ । ଅତି ଆବଶ୍ୟକ ହେଲେ ଜାରି କରାଯାଇଥିବା ସେବା ଫୋନ୍ ନମ୍ବର ସହ ଯୋଗାଯୋଗ କରନ୍ତୁ । ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ଏକମାସ କାଳ ବନ୍ଦ ରଖିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରାଞ୍ଚଳ ସ୍ତରୀୟ ଜନସ୍ବାସ୍ଥ୍ୟକେନ୍ଦ୍ରର ବହିଃ ଚିକିତ୍ସା (ଓ.ପି.ଡି.) ସେବା ବନ୍ଦ ରହିବ । ସମସ୍ତ ଡାକ୍ତର ମାନଙ୍କୁ କୋଭିଡ୍ ଚିକିତ୍ସା ନିମନ୍ତେ ଦାୟୀତ୍ବ ପ୍ରଦାନ କରାଗଲା । ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀ ମାନଙ୍କୁ ବିଦ୍ୟାଳୟରେ ଟି.ଏମ୍.ସି. ଖୋଲାଯାଇ ସଙ୍ଗରୋଧରେ ରଖାଯିବ । କୋଭିଡ୍ କେୟାର ସେଣ୍ଟର (ସି.ସି.ସି) ଗୁଡିକରେ ଜଣେ ପ୍ରଶାସନିକ ଅଧିକାରୀ ଏବଂ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବ । ବ୍ଲକ୍ ସ୍ତରୀୟ ସି.ସି.ସି.ର ଦାୟୀତ୍ବ ବି.ଡି.ଓ. ଗଣ ଏହଂ ସହରାଞ୍ଚଳର ସିସିସି ଗୁଡିକର ଦାୟୀତ୍ବ କାର୍ଯ୍ୟନିର୍ବାହୀ ଅଧିକାରୀଗଣ ବୁଝିବେ । ସମସ୍ତ ଟି.ଏମ୍.ସି. ଏବଂ ସିସିସି ଗୁଡିକରେ ପରିମଳ ବ୍ୟବସ୍ଥା ପରିଚାଳନା ସଠିକ୍ ଏବଂ ଖାଦ୍ୟ ଯେପରି ଉତ୍ତମ ମାନର ରହିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ପଞ୍ଚାୟତ ଆମ୍ବୁଲାନ୍ସ ଗୁଡିକରେ ଅକ୍ସିଜେନ୍ ସହ ଦୁଇଟି ଆମ୍ବୁଲାନ୍ସ ରଖିବା ପାଇଁ କୁହାଯାଇଛି । ସମସ୍ତ ଅଞ୍ଚଳରେ କୋଭିଡ୍ କମିଟିର ସୁପରିଚାଳନା ସଠିକ୍ ହେବା ନିମିତ ହ୍ବାଟ୍ସ ଆପ୍ ଗୃପ୍ ମାଧ୍ୟମରେ ସମସ୍ତ ସମ୍ପର୍କ ସ୍ଥାପନ କରାଯିବ । ଗୋଟିଏ ପନିପରିବା ଦୋକାନ ଠାରୁ ଆଉ ଗୋଟିଏ ପନିପରିବା ଦୋକାନ ମଧ୍ୟରେ ୫ ଫୁଟ ବ୍ୟବଧାନ କରି ପଞ୍ଚସୂତ୍ର ନିୟମ ଅନୁପାଳନ କଡାକଡି କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କୁ ଟ୍ରାକିଂ କରାଯିବ । ଘରେ ଏକାନ୍ତ ବାସ ସଙ୍ଗରୋଧରେ ରହିଥିବା ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଦିନକୁ ଦୁଇଥର ନିହାତି ଭାବେ ଟେଲିଫୋନ୍ କରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ନିୟୋଜିତ ଥିବା ସ୍ବାସ୍ଥ୍ୟ ଅଧିକାରୀ ପଚାରି ବୁଝିବେ ଏବଂ ସେମାନଙ୍କର ଡିସଚାର୍ଯ୍ ସମ୍ପର୍କରେ ଦାଯିତ୍ବ ଦିଆଯାଇଛି । ହୋଟେଲରେ ଖାଦ୍ୟ ପରିବେଷଣ ଓ ଖାଇବା ସମୟରେ ମାସ୍କ ପରିଧାନ ହେଉ ନଥିବା କାରଣରୁ ସେମାନେ ସୁପରସ୍ପ୍ରେଡର୍ ହୁଅନ୍ତି । ଏଣୁ ହୋଟେଲରେ ଖାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ପାର୍ସଲ ଦେବାପାଇଁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା କଡରେ ଠେଲା ଦୋକାନୀ ଖାଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ କେୟାର ସେଣ୍ଟର, ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯେପରି ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାପାଇଁ କୁହାଯାଇଛି ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏମ୍.କେ.ସି.ଜି.ର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here