ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ

0
312

ବେଲଗୁଣ୍ଠା(ନ୍ୟୁଜ ଏକ୍ସଟ୍ରା) ଗ୍ରାମାଞ୍ଚଳରେ ପ୍ରାଥମିକ ସ୍ତରରୁ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରିବା ପାଇଁ ଭାରତ ସରକାରଙ୍କ ଆୟୁଷ୍ମାନ୍ ଯୋଜନା ଅଧୀନରେ ତିନି ବର୍ଷ ତଳେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଆଜି କେନ୍ଦ୍ର ଗୁଡ଼ିକରେ ଏହାର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡ଼ା ଏବଂ ଗାଙ୍ଗପୁର ସ୍ଵାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ତଥା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରେ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ପାଇଲିପଡ଼ା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର୍ ସରୋଜ କୁମାର ପ୍ରଧାନ ଯୋଗ ଦେଇ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଗୁଡ଼ିକରେ ମାଗଣାରେ ଉପଲବ୍ଧ ବାର ପ୍ରକାର ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରିଥିଲେ I ଏହି ଅବସରରେ ଉପସ୍ଥିତ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୁଇଜ୍ ଏବଂ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା I ସେହିପରି ଗାଙ୍ଗପୁର ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର୍ ପାଣ୍ଡବ ସ୍ୱାଇଁଙ୍କ ନେତୃତ୍ୱରେ କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା I ବେଲଗୁଣ୍ଠା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ଉଭୟ କେନ୍ଦ୍ରରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ପାଇଲିପଡ଼ା କେନ୍ଦ୍ରରେ ଫାର୍ମାସିଷ୍ଟ୍ ସନ୍ତୋଷ ପାତ୍ର ଏବଂ ଗାଙ୍ଗପୁର କେନ୍ଦ୍ରରେ ଫାର୍ମାସିଷ୍ଟ୍ ଯଜ୍ଞସେନ୍ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ପୂର୍ବରୁ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ କେବଳ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ପରିଣତ ହେବା ପରେ ଏହାର କାର୍ଯ୍ୟକ୍ରମ ବ୍ୟାପକ ହୋଇ ସ୍ଵାସ୍ଥ୍ୟ ସମ୍ଵନ୍ଧୀୟ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ତଥା ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗ ନିରୂପଣ ଓ ନିରାକରଣ, ଶିଶୁ ଏବଂ ମାଆର ସୁରକ୍ଷା,ଯୋଗ ଏବଂ ଆୟୂଷ ଭଳି କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here