ଗଜପତିର ୩ଟି ଗ୍ରାମ ରେ୧୪୪ ଧାରା ଜାରି ହେଲା

0
292

ପାରଳାଖେମୁଣ୍ଡି, (ନ୍ୟୁଜଏକ୍ସଟ୍ରା) ଦେଶରେ ବ୍ୟାପିଥିବା କରୋନାର ଦ୍ୱିତୀୟ ଲହରୀର ଭୟାବହତା ଓ ଲୋକଙ୍କୁ ସଂକ୍ରମଣ ଦାଉରୁ ରକ୍ଷା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଆଜି ଠାରୁ ୩ଗୋଟି ସ୍ଥାନରେ ୧୪୪ ଧାରା ଜାରି କରି ପୋଲିସକୁ ମୁତୟନ କରିଥିବା ସୂଚନା ମିଳିଛି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ଯାଜପୁର ଓ ଭିନ୍ନଳା ଗ୍ରାମରେ ଠାକୁରାଣୀ ପର୍ବ ଆୟୋଜନ ହେବାକୁ ଥିଲା । ଏଥିରେ ସଂଖ୍ୟାଧିକ ଲୋକ ଏକତ୍ରିତ ଭାବେ ସମାଗମ ହେବା ଲକ୍ଷ ରଖି ପ୍ରଶାସନ ଏହି ଦୁଇଟି ଗ୍ରାମରେ ୧୪୪ ଧାରା ଜାରି କରିବା ସହ ଲୋକଙ୍କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ଭାବେ ସଚେତନ କରିଛନ୍ତି । କେବଳ ପୂଜାବିଧି ଦ୍ୱାରା ଠାକୁରାଣୀ ପର୍ବକୁ ଭକ୍ତିପୁତ ଭାବେ ପାଳନ କରିବା ପାଇଁ ଲୋକଙ୍କୁ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବୁଝାଇଛନ୍ତି । ଏହି ଦୁଇଟି ସ୍ଥାନରେ ପୋଲିସକୁ ମୁତୟନ ରଖାଯାଇଛି । ଏଥି ସହିତ ଗଜପତି ଜିଲ୍ଲାର ମୋହନା ବ୍ଲକର ଆକିଲି ଗ୍ରାମ ଠାରେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆୟୋଜନ ଚାଲିବା ସହ ଏଥିରେ ୫ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇ ପ୍ରସାଦ ସେବନ କରିବା କାର୍ଯ୍ୟକ୍ରମ ରହିଥିଲା । ଏହା ଜିଲ୍ଲା ପ୍ରଶାସନ ଜାଣିବା ପରେ ଉପ-ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କୁ ଏହାର ଅନୁଧ୍ୟାନ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଉପ-ଜିଲ୍ଲାପାଳ, ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ସହ ଘଟଣାସ୍ଥଳରେ ପହଞ୍ôଚ ସବୁ କିଛି ସତ୍ୟତା ଜାଣିବା ପରେ ଆୟୋଜକଙ୍କୁ ଏଥିରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । କେବଳ ପୂଜାବିଧି, ନୀତିନିୟମ ଆଦିରେ ମନ୍ଦିର ପ୍ରତିଷ୍ଠା କରାଯାଉ । ୫ହଜାର ଲୋକଙ୍କ ସମାଗମ ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ପାଇବ । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ଜଣାଇଥିଲେ । ତଥାପି ଅତ୍ୟଧିକ ଜନ ସମାଗମ ହେବେ ବୋଲି ପୂର୍ବଅନୁମାନ କରି କରୋନା ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଏଠାରେ ମଧ୍ୟ ୧୪୪ଧାରା ଜାରି କରାଯିବା ସହ ପୋଲିସ ମୁତୟନ କରାଯାଇଛି । ଏ ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତି ପ୍ରଶାସନର କଟକଣାକୁ ଉଲଂଘନ କରନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ପଣ୍ଡା ସୂଚନା ଦେଇଛନ୍ତି ।

ରିପୋର୍ଟ :ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here