ପ୍ରବାସୀ ଓଡ଼ିଆଙ୍କୁ ସ୍ୱତନ୍ତ୍ର କୋଭିଡ଼ି ଟିକାଦାନ

0
498

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ଭାରତର ବିଭିନ୍ନ ରାଜ୍ୟରେ ଓ ବିଦେଶରେ କାର୍ଯ୍ୟରତ ଥିବା ଓଡ଼ିଆ ମାନଙ୍କୁ ପ୍ରବାସୀ ଓଡ଼ିଆ ବୋଲି କୁହାଯାଉ ଥିଲେ ମଧ୍ୟ ଆମ ଓଡ଼ିଶା, ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡ଼ିଆ କହିଲେ ସାଧାରଣତଃ ସୁରାଟରେ କାର୍ଯ୍ୟ କରୁଥିବା ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ବୁଝିଥାଉ। ଗତବର୍ଷ କରୋନା ସଂକ୍ରମଣ ସମୟରେ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ଅଣାୟତ ହୋଇ ପଡ଼ିଥିଲା। ନିଜ ବାସସ୍ଥାନ ବା ଘରକୁ ଫେରିବା ସେମାନଙ୍କ ଅଧିକାର ହୋଇଥିଲେ ମଧ୍ୟ ସୁରାଟ ଦାଦନ ଶ୍ରମିକଙ୍କ ପାଇଁ ଗଞ୍ଜାମରେ କରୋନା ପ୍ରକୋପ ବଢିଥିବା ନିରାଟ ସତ୍ୟ। ତେବେ ପ୍ରଶ୍ନ ଉଠୁଛି ଯେଉଁ ଓଡ଼ିଆ ଶ୍ରମିକ ମାନଙ୍କୁ ଆମେ ଦାଦନ ଶ୍ରମିକ ଆଖ୍ୟା ଦେଲେ ତାହା ସତ୍ୟ ଉପରେ ଆଧାରିତ କି ? ଯଦି ସୁରତର ଓଡ଼ିଆ ଶ୍ରମିକ ଦାଦନ ତେବେ ସୁରାଟର ଫ୍ୟାକ୍ଟେରି ମାଲିକମାନେ ସ୍ୱତନ୍ତ୍ର ବସ ପଠାଇ ଓଡ଼ିଶାର ଓଡ଼ିଆ ଶ୍ରମିକମାନଙ୍କୁ କାକୁତି ମିନତି ହୋଇ ଡାକିନେଉଥିଲେ କାହିଁକି ? ପ୍ରକୃତରେ ଆମ ଓଡ଼ିଆ ଭାଇମାନେ ଦାଦନ ନୁହଁନ୍ତି, ସମସ୍ତେ ଜଣେ ଜଣେ କୁଶଳୀ ଶ୍ରମିକ। ଦାଦନ ଶ୍ରମିକଙ୍କ ଅପେକ୍ଷା ସେମାନଙ୍କ ରୋଜଗାର ବହୁଗୁଣରେ ଅଧିକ। ସୁରାଟରେ ସମସ୍ତ ଫ୍ୟାକ୍ଟେରି ବନ୍ଦ ହେବା ଯୋଗୁଁ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦିଙ୍କ ଅନୁରୋଧ ସ୍ୱତ୍ତେ ସୁରାଟର ଫ୍ୟାକ୍ଟେରି ମାଲିକମାନେ ସେମାନଙ୍କୁ ବାହାର କରିଦେବା ଯୋଗୁଁ ସେମାନେ ଓଡ଼ିଶା ଫେରିବାକୁ ବାଧ୍ୟ ହେଲେ। ଆଜିର ଦିନରେ ପ୍ରବାସୀ ଓଡ଼ିଆଙ୍କ ଅବସ୍ଥା ବଦଳିବାକୁ ଯାଉଛି। ପ୍ରବାସୀ ଓଡ଼ିଆମାନଙ୍କ ଦେବଦୂତ ଭାବେ ଉଭା ହୋଇଛନ୍ତି ପ୍ରଦୀପ କୁମାର ସାହୁ ମହୋଦୟ। ଗଠନ କରିଛନ୍ତି “ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ , ସୁରତ”। ପ୍ରଦୀପ କୁମାର ସାହୁ ଏହି ଟ୍ରଷ୍ଟର ସଭାପତି ଦାୟିତ୍ୱ ଗ୍ରହଣ କରି ପ୍ରବାସୀ ଓଡ଼ିଆଙ୍କ ଉନ୍ନତି ପାଇଁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ। ପ୍ରବାସୀ ଓଡିଆମାନେ ଯେପରି କରୋନା ଦ୍ଵିତୀୟ ଲହରକୁ ପ୍ରତିହତ କରି ଓଡିଶାକୁ ପୁଣି ଫେରି ନଯାଇ ବେରୋଜଗାର ନହୁଅନ୍ତୁ, ସେହି ଚେଷ୍ଟା କରୁଛନ୍ତି ଟ୍ରଷ୍ଟ ସଭାପତି ଶ୍ରୀ ସାହୁ। ସୌଭାଗ୍ୟ ଯେ ସୁରାଟ ମେଟ୍ରୋ ସିଟି ର କମିଶନର ଅଛନ୍ତି ଜଣେ ଓଡିଆ ଆଇଏଏସ ଅଫିସର ବାଞ୍ଛାନିଧି ପାଣି। କମିଶନର ଶ୍ରୀ ପାଣିଙ୍କ ସହ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ଆଲୋଚନା କରି ପ୍ରବାସୀ ଓଡ଼ିଆଙ୍କ ପାଇଁ ସୃଷ୍ଟି କାଇଛନ୍ତି ଏକ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ର। ସେହି ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ରକୁ ଟ୍ରଷ୍ଟ ପକ୍ଷରୁ ବସ ଯୋଗେ ନିଆଯାଉଛି ପ୍ରବାସୀ ଓଡ଼ିଆମାନଙ୍କୁ ଓ ଟିକା ଗ୍ରହଣ ପରେ ପୁଣି ବସରେ ଆଣି ପହଞ୍ଚାଇ ଦିଆଯାଉଛି ନିଜ ନିଜ ଅଞ୍ଚଳରେ। ଟ୍ରଷ୍ଟ ସଭାପତି ପ୍ରଦୀପ ସାହୁଙ୍କ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଲାଗିପଡିଛନ୍ତି ଟ୍ରଷ୍ଟର ଆଇନ ପରାମର୍ଶ ଦାତା ଆଡଭୋକେଟ ସ୍ୱାତୀ ରାଖଣ୍ଡ, ମଦନ ସ୍ଵାଇଁ, ପ୍ରଦୀପ ସାହୁ, ନାରାୟଣ ପ୍ରଧାନ, ମନୋରଞ୍ଜନ ବାରିକ(ମୁନା ଭାଇ), ଜୟରାମ ଦଳେଇ ଏବଂ ମହିଳା ମଣ୍ଡଳୀର ପୁଷ୍ପଲତା ବିଶ୍ବାଳ, ରଶ୍ମିତା ବିଶ୍ୱାଳ, ରଶ୍ମିତା ସାମଲ, ରଶ୍ମିତା ପରିଡା, ରାଜଶ୍ରୀ ପାତ୍ର, ଶୁଭ ଲକ୍ଷ୍ମୀ ଚୌଧୁରୀ ଓ ରୀନା ପୃଷ୍ଟି ପ୍ରଭୃତିଙ୍କ ସମେତ ଅନ୍ୟାନ୍ୟ ସଙ୍ଗଠକ ବୃନ୍ଦ। ଲକ୍ଷ ରହିଛି ପ୍ରବାସୀ ଓଡ଼ିଆଙ୍କୁ କରୋନା ସଂକ୍ରମଣରୁ ମୁକ୍ତ କରିବା ଓ ଓଡିଶାକୁ ଯେପରି ପୁଣି ନଫେରିବା।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here