କର୍ଣ୍ଣାଟକାରେ ମେଣ୍ଟ ସରକାର-ବିଜେପି ମ୍ୟାଚ୍‌ ଟାଏ!

0
664

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି। ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ ୧୦୫କୁ ଖସିଆସିବା ସହିତ ଏହା ବିଜେପିର ୧୦୫ ସହିତ ସମାନ ହୋଇଯାଇଛି। କର୍ଣ୍ଣାଟକା ବିଧାନସଭା ପକ୍ଷରୁ ଇସ୍ତଫା ସଂଖ୍ୟା ୧୩ କୁହାଯାଉଥିବାବେଳେ ଜେଡିଏସ୍‌ ବିଧାୟକ ଏଏଚ୍‌ ବିଶ୍ୱନାଥ ଏହି ସଂଖ୍ୟା ୧୪ ବୋଲି କହୁଥିବାରୁ ବିଜେପିର ବିଜୟ ଏକ ପ୍ରକାର ନିଶ୍ଚିତ ହେବାର ସମ୍ଭାବନା ଦେଖାଯାଇଛି। ଶେଷ ଖବର ସୁଦ୍ଧା ୧୦ ଜଣ କଂଗ୍ରେସ ବିଧାୟକ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ପହଞ୍ଚି ସାରିଛନ୍ତି।

ବିଜେପି ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପାଇବା ପରେ କର୍ଣ୍ଣାଟକାରେ ପୁଣି ଥରେ ଅସ୍ଥିର ସ୍ଥିତି ଦେଖା ଦେଇଛି। ତେବେ ଆଜି ହଠାତ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଯିବା ପରେ ରାଜ୍ୟପାଳଙ୍କୁ ଯାଇ ଭେଟିବା ଡ୍ରାମାରେ ନୂଆ ମୋଡ଼ ଆଣିଛି। ରାଜ୍ୟପାଳଙ୍କୁ ଭେଟିବା ପରେ ଜେଡିଏସ୍‌ ବିଧାୟକ ଏଏଚ୍‌ ବିଶ୍ୱନାଥନ୍‌ କହିଛନ୍ତି, ଆନନ୍ଦ ସିଂହଙ୍କ ସମେତ କଂଗ୍ରେସ ଏବଂ ଜେଡିଏସ୍‌ର ୧୪ ଜଣ ବିଧାୟକ ବାଚସ୍ପତିଙ୍କୁ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଆମେ ଏହି ଘଟଣା ବାବଦରେ ରାଜ୍ୟପାଳଙ୍କୁ ମଧ୍ୟ ଜଣାଇଛୁ। ଆନନ୍ଦ ସିଂହ ପୂର୍ବରୁ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେଇସାରିଥିଲେ।

ବିଶ୍ୱନାଥନ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ସରକାର ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି। ସେ ଉଭୟ ଦଳର ବିଧାୟକଙ୍କୁ ସାଥୀରେ ନେବାରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପିର ଅପରେସନ୍‌ ଲୋଟସ୍‌ ବାବଦରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଏହା ଏକ କପୋଳକଳ୍ପିତ ଅଭିଯୋଗ। ସେ କହିଥିଲେ, ଏଥିରେ ବିଜେପିର କିଛି ହାତ ନାହିଁ। ଆମେ ବରିଷ୍ଠ, ଆମ ସହିତ କୌଣସି ଅପରେସନ୍‌ ହେଇପାରିବ ନାହିଁ। ଆମେ ଆମ ନିଜ ଇଚ୍ଛାରେ ଇସ୍ତଫା ଦେଉଛୁ।

LEAVE A REPLY

Please enter your comment!
Please enter your name here