ଶୋଇଛି ପ୍ରଶାସନ,ବଢି ଚାଲିଛି ବେଆଇନ ମାଟି ଇଟାଭାଟି ; ଭାଙ୍ଗିଲେ କାହିଁକି ପଡିଲା କେମିତି ?

0
383

ଭଞ୍ଜନଗର ( ନ୍ୟୁଜଏକ୍ସଟ୍ରା ) ବର୍ଷ କୁ ବର୍ଷ ସରକାରଙ୍କ ରାଜସ୍ୱ ଆଇନ ଯେତେ କଠୋର ହେଉଛି ସମ ପରିମାଣରେ ତୃଣମୂଳ ସ୍ତରରେ ରାଜସ୍ୱ ସଂଗ୍ରହ ଆଇନକୁ ଜଳାଞ୍ଜଳି ଦିଆଯାଉଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ବେଆଇନ କାରବାର କୁ ରୋକିବା ଓ ରାଜସ୍ୱ ସଂଗ୍ରହ କୁ ଗୁରୁତ୍ୱ ଦିଆଯିବା ସହ ଜଳଜମି ଜଙ୍ଗଲ ଗ୍ରାମ ପରିବେଶ ସୁରକ୍ଷାକୁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଭଞ୍ଜନଗର ତହସିଲ ଅଞ୍ଚଳରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଭଞ୍ଜନଗର ତହସିଲରେ ଛତୁ ଫୁଟିଲା ଭଳି ଗଢି ଚାଲିଛି ବେଆଇନ ମାଟି ଇଟାଭାଟି। ସବୁଠାରୁ ଉଦବେଗର ବିଷୟ ହେଲା,ବର୍ତ୍ତମାନ କିଛି ଦିନ ହେଲା ଜଙ୍ଗଲ ଧୂଆଁରୁ ଭଞ୍ଜନଗର ଅଞ୍ଚଳବାସୀ ମୁକ୍ତି ପାଇଥିବା ବେଳେ ବର୍ତ୍ତମାନ ପୋଡା ଯାଉଥିବା ମାଟିଇଟାର ଧୂଆଁ ଗ୍ରାମାଞ୍ଚଳରେ ପରିବେଶ ପ୍ରଦୂଷଣ କରିବା ସାଙ୍ଗକୁ ଜନସାଧାରଣ ଅଣନିଶ୍ୱାସୀ ପାଲଟିଛନ୍ତି। ଏହି ବେଆଇନ ଇଟାଭାଟି ଧରପଗଡ଼ ରୋକିବା ପାଇଁ ଖୋଦ ଭଞ୍ଜନଗର ପ୍ରଶାସନର ମୁଖିଆ ଉପଜିଲ୍ଲାପାଳ ମହୋଦୟ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ସହାୟତାରେ ଗତ ଡିସେମ୍ବର ଓ ଜାନୁଆରୀ ମାସରେ ସମ୍ପୁର୍ଣ୍ଣ ଫିଲ୍ମ ଷ୍ଟାଇଲେ ଚଢ଼ାଉ କରି ଜେସିବି ସାହାଯ୍ୟରେ ଇଟାଭାଟି ଗୁଡିକୁ ଭାଙ୍ଗିବା ସହ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଫଳରେ ପ୍ରଶାସନର ଏ ଧରପଗଡ଼ ଇଟାଭାଟି ମାଲିକ ମାନକ ମଧ୍ୟରେ ଛନକା ପସାଇଥିଲା। ହେଲେ ବର୍ତ୍ତମାନ ପରିସ୍ଥିତି ଭଞ୍ଜନଗର ତହସିଲରେ ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି।ତହସିଲର ଆଠ ଗୋଟି ଆରଆଇ ସର୍କଲ ଥିବା ବେଳେ ମୁଜାଗଡ଼,ବାହାଡ଼ାପଦର,ବଡକୋଦଣ୍ଡା, ବାରୁଡା, ଲେମ୍ଭେଇ,ଗାଲେରୀ ସର୍କଲରେ ଶହ ଶହ ବେଆଇନ ଇଟାଭାଟି ପୋଡା ଯିବା ସହ ପକାଯାଉଥିବା ଦେଖିବାକୁ ମିଳୁଛି। ଇଟାଭାଟି ମାଲିକ ମାନେ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଓ ଦୃଢ କାର୍ଯ୍ୟାନୁଷ୍ଠାନକୁ ଫୁ କରି ପ୍ରଶାସନର ନାକ ତଳେ ବେଧଡ଼କ ଭାବେ ପୁଣି ଥରେ ଇଟା ପକାଇବା ସହ ବ୍ୟାପକ ପରିମାଣରେ ଇଟା ପୋଡିବା ଲାଗି କାଠ,କୋଇଲା,କୁଣ୍ଡା ଓ ଅଗାଡି ବ୍ୟବହାର କରୁଛନ୍ତି। ଫଳରେ ପରିବେଶ ପ୍ରଦୂଷଣ ହେବା ସହ ଅଂଚଳରେ ତାତି ବଢିବା ସାଙ୍ଗକୁ ଜନସାଧାରଣ ଅଣନିଶ୍ୱାସୀ ମନେ କରୁଛନ୍ତି। ତେବେ ଏହି ସବୁ କାଯ୍ୟ କୁ ବେଆଇନ ଦର୍ଶାଇ ପ୍ରଶାସନ ଦ୍ୱାରା ଭାଙ୍ଗିବା ଓ ଏହାକୁ ପୁନର୍ବାର ପ୍ରଶାସନର ନାକ ତଳେ ପକାଯିବା କୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫଳରେ ସନ୍ଦେହ ଘେରକୁ ପ୍ରଶାସନ ଆସିବା ସହ ଭାଙ୍ଗିଲା କାହିଁକି ଓ ପଡିଲା କେମିତି? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ଅଞ୍ଚଳବାସୀ ଖୋଜୁଛନ୍ତି। ଏ ନେଇ ସ୍ଥାନୀୟ ତହସିଲଦାର ଆଲୋକ କୁମାର ପ୍ରଧାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ନଉଠାଇବାରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ । ତେବେ ତୁରନ୍ତ ପ୍ରଶାସନ ପୁଣି କାଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ବୃଦ୍ଧିଜୀବୀ ଓ ପରିବେଶବିତ ମହଲରେ ଦାବି ହେଉଛି।

ରିପୋର୍ଟ – ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here