ଧରାକୋଟ ବ୍ଲକରେ ଅଜଣା ଜନ୍ତୁ ଆତଙ୍କ ; ୩୫ଟି ଛେଳି ମୃତ

0
635

ଧରାକୋଟ୧୭/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଶୁକ୍ରବାର ଗଞ୍ଜାମ ଜିଲା ଧରାକୋଟ ବ୍ଲକ ତଉଗାଁ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାଗୁଡ଼ା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୩୫ ଛେଳିଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କିଛି ଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆତଙ୍କ ଦେଖାଯାଇଛି।
ସୂଚନାନୁଯାୟୀ, ଦୁଇ ଭାଇ ଗ୍ରାମର ଗଙ୍ଗା ଗୌଡ଼ ଓ ଅଶୋକ ଗୌଡ଼ ଗ୍ରାମ ଉପକଣ୍ଠ ପାହାଡ଼ ପାଖରେ ଗୁଡ଼ିଖାତ ନିକଟରେ ଗୁହାଳ କରି ଛେଳି ରଖି ଆସୁଥିଲେ। ସବୁଦିନ ଭଳି ଶୁକ୍ରବାର ଛେଳି ଚରାଇ ସେମାନେ ଗୁହାଳରେ ଛେଳି ରଖି ଘରକୁ ଫେରିଥିଲେ। କିନ୍ତୁ ସନ୍ଧ୍ୟାରେ ଛେଳିମାନଙ୍କର ଚିତ୍କାର ଶୁଣି ଉଭୟ ଭାଇ ଗୁହାଳକୁ ଧାଇଁଥିଲେ ଓ ସେଠାରେ ଛେଳିମାନେ ଖଣ୍ଡିଆ ଖାବରା ହୋଇ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଛେଳିମାନଙ୍କ ବେକ, ପେଟ, ପିଠିରେ ଗଭୀର କ୍ଷତ ହେବା ସହ କେତେକଙ୍କ ଅନ୍ତବୁଜୁଳି ବାହାରି ପଡ଼ିଥିଲା। ଖବର ପାଇ ଧରାକୋଟ ସହକାରୀ ପ୍ରାଣୀ ଚିକିତ୍ସକ ସେଠାରେ ପହଞ୍ଚି ମୃତଦେହର ବ୍ୟବଚ୍ଛେଦ କରିଥିଲେ। ଆଜି ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଶ୍ରୀ ବନମାଳୀ ସାହୁ, ତଉଗାଁ ରାଜସ୍ବ ନୀରୀକ୍ଷକ ଶ୍ରୀ ଶ୍ରୀକାନ୍ତ ରଥ, ଭିଏଏସ୍ ଶ୍ରୀ ମାନସ ରଞ୍ଜନ ପୋଲାଇ ଏହି ଘଟଣା ବିଷୟରେ ଅନୁଧ୍ୟାନ କରି କହିଛନ୍ତି ରାଜସ୍ବ ବିଭାଗ ସହାୟତାରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତହସିଲଦାର ଶ୍ରୀ ଗଦାଧର ପାତ୍ର ରିପୋର୍ଟ ପାଇବା ପରେ ପ୍ରଶାସନ ତରଫରୁ କ୍ଷୟକ୍ଷତି ମିଳିବ ବୋଲି ପ୍ରତିଶୃତି ଦେଇଛନ୍ତି । ଦୁଇଭାଇ ଗରୀବ ହୋଇଥିବାରୁ ପ୍ରଶାସନ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ ବୋଲି ସ୍ଥାନୀୟଲୋକ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here