କେବଳ ଦଣ୍ଡୁଆ ଙ୍କୁ ନେଇ ଆୟୋଜନ ହେବ ଦଣ୍ଡଯାତ୍ରା ; ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନା ମାସ୍କ ନାହିଁ ତ ମନ୍ଦିର ଭିତରକୁ ପ୍ରବେଶ ନାହିଁ

0
752

ଛତ୍ରପୁର() ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକା କୁ ପ୍ରାଧାନ୍ୟ ଦିଆଯାଇ ବହୁ କଷ୍ଟରେ କୋଭିଡ ନୀୟମ ଅନୁପାଳ ଦ୍ୱାରା ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯାଇଅଛି । କୋଭିଡ-୧୯ ନୀୟମ ଅନୁପାଳନ ନହୋଇ ଟିକିଏ ବି ଅସାବଧାନତା ହେଲେ ବା କିଛି ସଂକ୍ରମଣ ହେଲେ ଜିଲ୍ଲା ବାସୀଙ୍କ ଅମୂଲ୍ୟ ଜୀବନ ପ୍ରତି ବିପଦ ଦେଖାଦେବ । ସେଥିପ୍ରତି ଦୃଷ୍ଟି ଦେଈ ବହୁ ଆଲୋଚନା ବିମର୍ଷ ପରେ ଚଳିତ ବର୍ଷର ଦଣ୍ଡନାଚ ମାନସିକଧାରୀ ମାନଙ୍କ ସକାଶେ ପାରମ୍ପରିକ ରୀତିରେ ପାଳନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଅନୁଷ୍ଠିତ ଭିଡିଓ କନଫେରନ୍ସି ବୈଠକରେ ଅବଗତ କରାଇଛନ୍ତି । କୋଭିଡ-୧୯ ନୀୟମ ଅନୁପାଳନ କରି କେବଳ ଦଣ୍ଡୁଆ ମାନଙ୍କ ଦ୍ୱାରା ଦଣ୍ଡନାଚ ହେବ । ତାହା ମଧ୍ୟ ଦୁଇଶହ ଲୋକଙ୍କ ମଧ୍ୟରେ ସିମୀତ ରଖି କେବଳ ମାନସିକ ଦଣ୍ଡଯାତ୍ରା ପାଳିତ ହେବ । ଯେଉଁ ସଂଖ୍ୟା ସିମୀତ କରାଯାଇଅଛି ତାଠାରୁ ଅଧିକ ଲୋକେ ଯେମିତି ଏଥିରେ ଅଂଶ ଗ୍ରହଣ କରିବେ ନାହିଁ ଏବଂ କୋଭିଡ ନୀୟମ ଅନୁପାଳନ କରିବେ ସେଥି ସକାଶେ ଆୟୋଜକ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ନେଇ ନିଜେ ଦାୟିତ୍ୱ ବହନ କରି ଦଣ୍ଡନାଚ କରିପାରିବେ । କୈାଣସି ଅସୁବିଧା ଦେଖାଗଲେ ଆୟୋଜକ ନିଜେ ଦାୟୀ ରହିବେ । ଦଣ୍ଡଯାତ୍ରାରେ ଭୋଜି କି ଅନ୍ନ ପ୍ରସାଦ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିବେ ନାହିଁ । ମାନସିକଧାରୀ ଦଣ୍ଡୁଆ ଦିନକୁ ଥରେ ମାତ୍ର ରାତ୍ର ସମୟରେ ଯେଉଁ ପ୍ରସାଦ ପ୍ରସ୍ତୁତ କରି ସେବନ କରନ୍ତି ତାହା ହିଁ ସେବନ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଅନୁମତି ଦେଇଛନ୍ତି । ଦଣ୍ଡଯାତ୍ରା ବେଳେ ଟ୍ରାଫିକ୍ ସମସ୍ୟା ଯେପରି ହେବନାହିଁ । ଡିଜେ , ରେକର୍ଡ ମ୍ୟୁଜିକ୍‌, ଅପେରା କୁ ସଂପୁର୍ଣ୍ଣ ବାରଣ କରାଯାଇଛି । ତହସିଲଦାର , କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଭାରପ୍ରାପ୍ତ ଥାନାଧିକାରୀ ମାନଙ୍କୁ ନେଇ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଏ ସମସ୍ତ ବିଷୟ ଅବଗତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସମୟେ ସମୟେ ଏହାର ଅନୁପାଳନ ହେଉଛି ନା ନାହିଁ ତାହା ସମୀକ୍ଷା କରାଯିବ । ସ୍ଥାନୀୟ ଲୋକଙ୍କ ଦ୍ୱାରା ହିଁ ଦଣ୍ଡ ହେବ , ବାହାର ରାଜ୍ୟରୁ କିମ୍ବା ବାହାର ଜିଲ୍ଲାର ଲୋକଙ୍କୁ ଏଥିରେ ସାମିଲ୍ କରିବାକୁ ବାରଣ କରାଯାଇଛି । ଜିଲ୍ଲା ବାହାରୁ ଲୋକେ ଯେମିତି ଆସିବେ ନାହିଁ ସେଥିପ୍ରତି ଦୃଷ୍ଠି ଦିଆଯିବ ।
ଶିବରାତ୍ର ଯାଗର ନିମନ୍ତେ ମଧ୍ୟ କଟକଣା ଜାରି କରାଯାଇଛି । ମାସ୍କ ନାହିଁ ତ ମନ୍ଦିର ମଧ୍ୟକୁ ପ୍ରବେଶ ନାହିଁ । କେବଳ ଜିଲ୍ଲା ଲୋକଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ରହିବ । ଜନସାଧାରଣଙ୍କ ସକାଶେ ଗହଳିପୁର୍ଣ୍ଣ ଭଜନ ସମାରୋହକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କେବଳ ଠାକୁରଙ୍କ ସକାଶେ ଭକ୍ତି ପୁର୍ଣ୍ଣ ଭଜନ ପରିବେଷଣ ହୋଇପାରିବ । ଭକ୍ତ ମାନଙ୍କୁ ମାସ୍କ ପରିଧାନ ଓ ଠିକ୍ ସାନିଟାଇଜେସନ୍ କରି ମନ୍ଦିର ମଧ୍ୟକୁ ସ୍ୱଳ୍ପ ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ପ୍ରବେଶ କରାଯିବ । ସେମାନେ ପ୍ରସ୍ଥାନ ପରେ ଅନ୍ୟ ଭକ୍ତମାନଙ୍କୁ ପ୍ରବେଶ କରିବାର ସୁଯୋଗ ଦିଆଯିବ । ମନ୍ଦିର କମିଟି ଏହାର ସୁପରିଚାଳନା କରିବେ । କୋଭିଡ୍ ସଂକ୍ରମିତ ଲକ୍ଷଣ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ମନ୍ଦିର ମଧ୍ୟରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ ହେବ ନାହିଁ । ଠିକ ସେହିଭଳି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରା ତାରିଣୀଙ୍କର ଚୈତ୍ର ମାସ ର ପର୍ବ ସକାଶେ ମଧ୍ୟ ପ୍ରଶାସନ ତରଫରୁ ଗାଇଡଲାଇନ୍ ଜାରି କରାଯିବ । ସକାଳ ୬ ଘଂଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ମଧ୍ୟରେ ଭକ୍ତଗଣ ମାଁଙ୍କର ଦର୍ଶନ କରିପାରିବେ । ମାଁଙ୍କ ପୂଜା ସକାଶେ ଯାହା ନୀତି ନିୟମ ରହିଛି ତାହା ପାଳନ କରାଯିବ । କୋଭିଡ୍ ୧୯ ନିୟମ ଅନୁପାଳନ କରାଯାଇ କେବଳ ଗଞ୍ଜାମ ଜିଲ୍ଲା ବାସୀ ମାଁ ଙ୍କର ଦର୍ଶନ ଲାଭ କରିପାରିବେ । ବସ୍ ଗୁଡିକରେ କୋଭିଡ୍ ପରୀକ୍ଷା କରାଯିବ । ଗହଳିକୁ ସିମିତ କରିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହେବ । ମନ୍ଦିର ଉପର ସ୍ଥାନରେ କୌଣସି ଦୋକାନ ରହିବ ନାହିଁ , ପ୍ରସାଦ ବଣ୍ଟନ ଓ ସେବନ ତଳେ କରାଯିବ । କୌଣସି ପରିସ୍ଥିତିରେ ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏହି ପର୍ବ କୁ ଶୃଙ୍ଖଳିତ ଭାବେ କରିବା ସକାଶେ ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କୁ ନେଇ ପୁନର୍ବାର ବୈଠକ ଆଗତ କରାଇବାକୁ ସ୍ଥିର କରାଯାଇଥିଲା ।
ଜନସାଧାରଣଙ୍କ ଇଚ୍ଛା ସକାଶେ ଏହି ଅନୁମତି ପ୍ରଦାନ କରାଯାଇଛି ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ ।
ଏହି ଭିଡିଓ କନଫେରନ୍ସି ରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଦେଶ୍ୱର ବଳିରାମ ବୋନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ୱ, କୀର୍ତ୍ତି ୱାସନ୍ , ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ବ୍ରହ୍ମପୁର ଉନ୍ନୟନ କର୍ତ୍ତୁପକ୍ଷ ସଚିବ ସମ୍ବିତ୍ ରାଉତ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଡଃ ଦିବ୍ୟଲୋଚନ ମହନ୍ତଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here