ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ ଓଡ଼ିଆ ସମାଜର ବାର୍ଷିକ ବୈଠକ

0
277

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ନିକଟସ୍ଥ ମାଆ ବୁଢାକେନ୍ଦୁ ପୀଠରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ ଓଡ଼ିଆ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ସମାଜ ସଭାପତି କାମରାଜୁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଓଡ଼ିଆ ସମାଜର ସଂଗଠନକୁ ଦୃଢ଼ କରିବା ସହ ଆଗାମୀ ଦିନରେ ସମାଜ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆଲୋଚନା କରାଯାଇଥିଲା I ଏହି ଅବସରରେ ବୁଢାକେନ୍ଦୁ ମନ୍ଦିର ନିକଟରେ ଥିବା ସମାଜର ପୋଖରୀର ପୁନରୁଦ୍ଧାର କରାଯିବା ଦିଗରେ ସମାଜ କର୍ମକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ I ସଂଗଠନ ସଜାଡ଼ିବାରେ ଯୁବକ ମାନଙ୍କୁ ଗୁରୁତ୍ୱ ଦିଆଯିବା ସହ କୌଣସି ପ୍ରକାର ବିଶୃଙ୍ଖଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସଭାପତି ଶ୍ରୀ ସ୍ଵାଇଁ ପ୍ରକାଶ କରିଥିଲେ I ଦିନକୁ ଦିନ ଏହି ସମାଜରେ ପୁଅ ଝିଅ ତାରତମ୍ୟ ବୃଦ୍ଧି ପାଉଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହ ଏହି ସମସ୍ୟାର ସମାଧାନ ପାଇଁ ଝିଅ ମାନଙ୍କୁ ଉତ୍ସାହିତ କରାଯିବା ସହ ନାରୀ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା I ଆଗାମୀ ଦିନରେ ଏହି ସମାଜର ଉଚ୍ଚ ଶିକ୍ଷିତ ଏବଂ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଗରୀବ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ସମାଜ ତରଫରୁ ସହାୟତାର ହାତ ବଢାଇବା ଦିଗରେ ଆଲୋଚନା କରାଯାଇଥିଲା I କାର୍ଯ୍ୟକ୍ରମରେ ସମାଜ ଉପସଭାପତି ଗୋପୀନାଥ ସ୍ୱାଇଁ, କୋଷାଧ୍ୟକ୍ଷ ସାଗର ଓରଫ ଖଦାଳ ସ୍ୱାଇଁ,ସହ କୋଷାଧ୍ୟକ୍ଷ ଧୋବା ନାୟକ ଏବଂ ବାବୁଲା ବରାଡଙ୍କ ସମେତ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ଶେଷରେ ଲିଲନ୍ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I

LEAVE A REPLY

Please enter your comment!
Please enter your name here