ଶିକ୍ଷାୟତନରେ ଗଣତାନ୍ତ୍ରିକ ମୂଲ୍ୟବୋଧ “ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

0
419

ଭଞ୍ଜନଗର(ନିଲୁ ବିଷୋୟୀ) ପବିତ୍ର ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ” ଶିକ୍ଷାୟତନରେ ଗଣତାନ୍ତ୍ରିକ ମୂଲ୍ୟବୋଧ “ଶୀର୍ଷକ ଆଲୋଚନା ଚକ୍ର ସ୍ଥାନୀୟ ଆଖୁପଦର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥିରୂପେ ସି.ଆର୍.ସି.ସି ତ୍ରିନାଥ ବେହେରା ଯୋଗ ଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଜାତୀୟ ସଙ୍ଗୀତ ଗାନ ସହ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ ବରିଷ୍ଠ ଶିକ୍ଷକ କାଳୀ ଚରଣ ନାୟକ, ଶରତ ଚନ୍ଦ୍ର ନାୟକ,ଭଜରାମ ସେଠୀ ଓ ବିଶ୍ବଜିତ ସ୍ବାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ୟାସୀ ପ୍ରଧାନ ଙ୍କ ସମେତ ପାଚିକା ଓ ସହାୟିକା ମଧ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ଏକ ମନ୍ଦିର ଓ ଶିଶୁ ସେଥିରେ ଥିବା ଦେବତା ତୁଲ୍ୟ । ଶିକ୍ଷକମାନେ ପୂଜାରୀ ସଦୃଶ । ଶିଶୁଙ୍କ ନିମିତ୍ତ ଶିକ୍ଷାଦାନ ଓ ସହ ଶିକ୍ଷଣ କାର୍ଯ୍ୟକଳାପ ଅନୁଷ୍ଠାନ କରିବା ସମୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସତର୍କ ଦୃଷ୍ଟିଦେବା ବିଧେୟ ,ଫଳତଃ ଶିଶୁ ପ୍ରିୟ ପରିବେଶଟିଏ ସୃଷ୍ଟି ହେବା ସହ ଶିଶୁମାନେ ନିଜର ପ୍ରତିଭାର ପରିସ୍ଫୁରଣ କରିପାରିବେ । ପିଲାଟିବେଳୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସେମାନଙ୍କ ମନରେ ସଚେତନତା ସୃଷ୍ଟି କରିପାରିଲେ ଦେଶର ଭାବି ନାଗରିକମାନେ ଗଣତନ୍ତ୍ର ପ୍ରତି ଅତୁଟ ଆସ୍ଥା ବଜାୟ ରଖିବେ ଓ ପ୍ରତିଟି କାର୍ଯ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆପଣାଇବେ । ବିଦ୍ୟାଳୟର ପ୍ରତିଟି କାର୍ଯ୍ୟରେ ଦଳଗଠନ, ସମସ୍ତଙ୍କ ସଂପୃକ୍ତି, ବିଦ୍ୟାଳୟ ଛାତ୍ର କ୍ୟାବିନେଟ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରେ ସଂପୃକ୍ତି କରାଇବା, ଜାତି,ଧର୍ମ ,ଲିଙ୍ଗ,ଆଞ୍ଚଳିକତା ବାଛ ବିଚାର ଠାରୁ ଊର୍ଦ୍ଧ୍ବରେ ରହି ପ୍ରଧାନ ଶିକ୍ଷକ ତଥା ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣ-ଶିକ୍ଷାଦାନ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ସଂପାଦନ କଲେ ଦେଶର ଏହି ଭାବିନାଗରିକ ମାନେ ଆମ ଦେଶର ଏହି ମହାନ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍ ବୁଦ୍ଧ ହେବେ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ବିଦ୍ୟାଳୟରେ ଆୟୋଜନ କରାଯାଉଥିବା ବିଭିନ୍ନ ପାଳନୀୟ କାର୍ଯ୍ୟକ୍ରମ ସହ ଏହିପରି ଆଲୋଚନା ଚକ୍ରମାନ ଅନୁଷ୍ଠିତ କରାଇ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର ଚିନ୍ତାଧାରାକୁ ଅନ୍ୟମାନଙ୍କ ସହ ବଣ୍ଟନ କଲେ ଓ ନୂତନ କଥା ବା ସାର ତତ୍ତ୍ବକୁ ଗ୍ରହଣ କଲେ ତାହାର ସୁଫଳ ସମାଜକୁ ମିଳିପାରିବ ବୋଲି ସି.ଆର୍.ସି.ସି ମତବ୍ୟକ୍ତ କରିବା ସହ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରକାଶ ଥାଉକି ସରକାରୀ ନିର୍ଦେଶନାମା ପ୍ରକାରେ ଏହି ବିଦ୍ୟାଳୟରେ ମାସ୍କ ,ସାନିଟାଇଜର ଓ ସାମାଜିକ ଦୂରତ୍ବ ରକ୍ଷା ସହ କେବଳ ବିଦ୍ୟାଳୟର ଶିକ୍ଷକ, ଅଣ ଶିକ୍ଷାଦାନ ରେ ନିଯୁକ୍ତ କର୍ମଚାରୀ ଓ ଏସ୍,ଏମ,ସି ସଭାପତି ଙ୍କୁ ନେଇ ଏଇ ସାର ଗର୍ଭକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here