ମଥୁରାର ସ୍ୱଚ୍ଛତା ପାଇଁ ଝାଡୁ ଧରିଲେ ବିଡ଼ିଓ

0
428

ପୋଲସରା(ଅନିଲ କୁମାର ମହାରଣା) ପ୍ରତ୍ୟେକ ଗ୍ରାମର ପରିବେଶ ଓ ସ୍ୱଚ୍ଛତା କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ “ଆମ ସ୍ବାଭିମାନ ସ୍ୱଚ୍ଛ ଗଞ୍ଜାମ” କୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ନିଜେ ହାତରେ ଝାଡୁ ଧରି ମଥୁରା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଝାଡୁମାରି ପରିଷ୍କାର କରିଥିବା ଦେଖିବାକୁ ମିଳିଛି। ବିଡ଼ିଓ ଶ୍ରୀ ନନ୍ଦୀ ସ୍ୱଚ୍ଛତା ପାଇଁ ନିଜେ ଝାଡୁ ଧରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। “ଆମ ସ୍ବାଭିମାନ ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ପାଇଁ ଯୁବଗୋଷ୍ଠୀ ଏକଜୁଟ ହୋଇ ହାତରେ ସଚେତନତା ମୂଳକ ବ୍ୟାନର ଧରି ମଥୁରା ପଞ୍ଚାୟତର ୧୫ ଟି ସାହି ପରିକ୍ରମା କରି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ନିଜେ ପ୍ରତ୍ୟେକ ସାହିରେ ପଡ଼ିଥିବା ଅଳିଆ ଆବର୍ଜନା ଝାଡୁ ଦ୍ବାରା ପରିସ୍କାର କରିଥିବା ବେଳେ ବିଡ଼ିଓଙ୍କ ଏପରି ମନୋଭାବକୁ ସମ୍ମାନ ଜଣାଇ ସରପଞ୍ଚ ପ୍ରଦୀପ କୁମାର ନାୟକ ଓ ସମିତି ସଭ୍ୟ ଅରୁଣ କୁମାର ସାହୁଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଯୁବଗୋଷ୍ଠୀ ମାନେ ହାତରେ ଝାଡୁ ଓ କୋଡିଧରି ମଥୁରା ପଞ୍ଚାୟତର ସମସ୍ତ ରାସ୍ତାଘାଟ ସଫାସୁତୁରା କରି କରିଥିଲେ । ପଞ୍ଚାୟତର ସମସ୍ତ ଗ୍ରାମବାସୀ ପାଇଖାନା ବ୍ୟବହାର କରିବା ସହ କୌଣସି ସ୍ଥାନରେ ବାହ୍ୟ ମଳତ୍ୟାଗ ନକରିବା ପାଇଁ ବିଡ଼ିଓ ଶ୍ରୀ ନନ୍ଦୀ ଜନସାଧାରଣବକୁ ପରାମର୍ଶ ପ୍ରଦାନ କରିଥିଲେ। ମଥୁରା ପଞ୍ଚାୟତରେ ସରପଞ୍ଚ ଶ୍ରୀ ନାୟକଙ୍କ ଦ୍ବାରା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ସ୍ୱଚ୍ଛତା ଓ ପରିମଳକୁ ନେଇ ମଥୁରା ପଞ୍ଚାୟତ ଶ୍ରେଷ୍ଠ ସ୍ଥାନରେ ରହିବା ପାଇଁ ମଧ୍ୟ ଚେଷ୍ଟା କରିବାକୁ ଶ୍ରୀ ନନ୍ଦୀ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ। ପୋଲସରା ବିଡ଼ିଓ ଶ୍ରୀ ନନ୍ଦୀଙ୍କ ଏହି କାର୍ଯ୍ୟ ମଥୁରା ସମେତ ପୋଲସରା ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here