ଲଙ୍ଗଳେଶ୍ବର ଠାରେ ଟ୍ରକ ମାଡି ୮ ବର୍ଷର ବାଳକ ମୃତ, ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

0
301

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ଠାରେ ଗତକାଲି ସନ୍ଧ୍ୟାରେ ଏକ ୮ ବର୍ଷର ବାଳକ ଉପରେ ଟ୍ରକ ମାଡିଯିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ମୃତ ବାଳକ ଜଣକ ହେଉଛନ୍ତି ଲଙ୍ଗଳେଶ୍ବର ଗ୍ରାମର ଧନେଶ୍ୱର ପଲେଇଙ୍କ ୮ ବର୍ଷର ସାନ ପୁଅ କିରଣ କୁମାର ପଲେଇ । କିରଣ ଆନ୍ଦ୍ରପ୍ରଦେଶର ବିଶାଖାପାଟଣାରେ ରହି ପାଠ ପଢ଼ୁଥିବା ବେଳେ କିରଣ ଶୁକ୍ରବାର ଦିନ  ଘରକୁ ଆସିଥିଲେ । ସନ୍ଧ୍ୟା ସମୟରେ ବାପା ଧନେଶ୍ବରଙ୍କ ସହିତ ଘରେ ଖାଇବା ପାଇଁ ବିରିୟାନୀ ନେଇ ବାପ ପୁଅ  ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବା ଯୋଗୁଁ ଗୋଟିଏ ରାସ୍ତାରେ ଉଭୟ ପଟର ଗାଡ଼ି ଚଳାଚଳ କରୁଥିଲା । ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନମ୍ବର (OD 04 G 6314) ଟି  ଧନେଶ୍ବରଙ୍କ ବାଇକ୍ ସହ ସାମାନ୍ୟ ଧକା ହେବା ଫଳରେ କିରଣ ବାଇକ୍ ରୁ ଖସି ପଡ଼ିଥିଲେ ଯାହା ଦ୍ବାରା ଟ୍ରକ୍ ଟି  କିରଣଙ୍କ ମୁଣ୍ତ ଉପରେ ମାଡି ଯାଇଥିଲା । ଫଳରେ ଘଟଣା ସ୍ଥଳରେ କିରଣଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଥିଲା । ସାନ ପୁଅର ମୃତ୍ୟୁ ଖବର ଶୁଣି ମାଆ ବିଣା ପଲେଇ ଘଟଣା ସ୍ଥଳରେ ପହଞ୍ଚି ପୁଅ କୁ ଦେଖିଲା ପରେ ସତେ ଯେମିତି ବିଣାଙ୍କ ପାଦତଳୁ ମାଟି ଖସି ଯାଇଥିଲା, ଘଡ଼ିକ ପରେ ଘଡ଼ିକେ ଅଚେତ ହୋଇ ପଡ଼ୁଥିଲେ ମାଆ ବିଣା । ଘଟଣାଟି ପ୍ରଘଟ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।   ଲିଙ୍କ୍ ରୋଡ଼ ନିର୍ମାଣ ଏବଂ କ୍ଷତିପୂରଣ ଦାବି ରେ ଉତ୍ତ୍ୟକ୍ତ ଲୋକମାନେ ୧୬ ନମ୍ଵର ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ ଓ ଏସ୍.ଡି.ପି.ଓ. ଗୌତମ କିଶାନ ଘଟଣା ସ୍ଥଳରେ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକରୁ ଓହରିବା ସହ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୋଲିସ ଶବକୁ ଜବତ କରିବା ସହ ଖଲ୍ଲିକୋଟ ଦମକଳ ବାହୀନି ସହାୟତାରେ ଶବଟିକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେପଟେ ଟ୍ରକ ଓ ଚାଳକ ନାଭାଲ ଫାଣ୍ତି ପୋଲିସ ଅଟକ ରଖିଥବା ଜଣାପଡ଼ିଛି । ସ୍ଥାନୀୟ ତହସିଲଦାର ଶ୍ରୀ ପଟ୍ଟନାୟକ ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଉକ୍ତ ପରିବାର ଲୋକଙ୍କୁ ଦିଆଯିବ ବୋଲି କହିଥିଲେ ।   ଜାତୀୟ ରାଜପଥ ସମ୍ପ୍ରସାରଣ କାମ ନେଇଥିବା ଠିକା ସଂସ୍ଥା ମନମୁଖି ଭାବେ କାମ କରୁଥିବା ବେଳେ ଉକ୍ତ ସ୍ଥାନରେ ବହୁବାର ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବାର ନଜିର୍ ରହିଛି । ଉକ୍ତ ଠିକା ସଂସ୍ଥା ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବିକରିଛନ୍ତି ।

LEAVE A REPLY

Please enter your comment!
Please enter your name here