ବେଗୁନିଆପଡା :-ଲଗାଣ ବର୍ଷାରେ ବେହାଲ ବ୍ଲକବାସୀ, ଭୁଷୁଳିଲା ସେବାସମବାୟ କାର୍ଯ୍ୟାଳୟ, ଚାଷୀ ମହଲରେ ମିଶ୍ରିତ ପ୍ରତିକ୍ରିୟା l

0
720

ବେଗୁନିଆପଡା -୭/୮ଗତ କିଛି ଦିନ ଧରି ବର୍ଷା ଲୁଚକାଳି ଖେଳୁଥିବାବେଳେ ଗଜା ମରୁଡି ଆଶଙ୍କା ନେଇ ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଥିଲେ l ହେଲେ ଦୁଇଦିନର ଲଗାଣ ବର୍ଷା ସେମାନଙ୍କ ମନରେ ଖୁସି ଭରିଦେଇଛି l ବେଗୁନିଆପଡା ବ୍ଲକରେ ମଙ୍ଗଳବାର ୭୮ ମି ମି ବର୍ଷା ହୋଇଥିବାବେଳେ ଆଜି ସାମାନ୍ୟ କମିଛି l ସମୁଦାୟ ବ୍ଲକରେ ୫୦ ପ୍ରତିଶତ ଜମିରେ ଧାନ ରୁଆ କାମ ସରିଥିବାବେଳେ ବାକି କାମ ପାଇଁ ଚାଷୀ ମାନେ ଜୋରସୋରରେ ଲାଗିପଡିଛନ୍ତି l

କିଛି ଜମିରେ ଲଗାଣ ବର୍ଷା ଯୋଗୁଁ ନକରାତ୍ମକ ପ୍ରଭାବ ପଡିଛି l ବେରୁଆଁବାଡ଼ି, କାଳିମେଘି, ମଠସରସିଙ୍ଗି, ସାନଉସ୍ତାପଡା, ଦିଗପଡା ଖଣ୍ଡିଆନଇ, କେ. ବରିଡା, ମର୍ଦକୋଟ, ମର୍ଦମେଖ, ଚିଙ୍ଗୁଡ଼ିଖୋଲ, ଅଂଗାର ଗାଁ ସମେତ କେତେକ ପଂଚାୟତରେ ବର୍ଷା ପାଣି ଅଧିକ ଯୋଗୁଁ କିଛି ଚାଷୀଙ୍କ ଜମି ହୁଡ଼ା ଭାଙ୍ଗି ରୁଆ ତଳି ଭାସି ଯାଇଥିବା ଯୋଗୁଁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ସେପଟେ ଲଗାଣ ବର୍ଷା ଯୋଗୁ ବେଗୁନିଆପଡା ସେବାସମବାୟ ସମିତି କାର୍ଯ୍ୟାଳୟ କାନ୍ଥ ଭାଙ୍ଗି ଭୁଷୁଳିପଡିଛି l ଅନେକ ଜାଗାରେ ବର୍ଷା ଯୋଗୁଁ ଯାତାୟତରେ ବାଧାପ୍ରାପ୍ତ ହୋଇଛି l କୋଦଳା ପାଣ୍ଡି ସାହିରେ ପାଣି ସୁଅ କାଟି ନଦୀର ଭ୍ରମ ସୃଷ୍ଟି କରୁଛି l ଆଗକୁ ଯଦି ବର୍ଷା ଜାରିରହେ ତାହେଲେ ବନ୍ୟା ସୃଷ୍ଟି ହୋଇ ଚାଷୀ ତଥା ଜନସାଧାରଣଙ୍କ ପ୍ରଭୂତ କ୍ଷତି ଘଟିବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି l

LEAVE A REPLY

Please enter your comment!
Please enter your name here