ଶୋଇଛି ବନ ବିଭାଗ , ଚେଇଁଛି ଚାଷୀ ,ନିଦ ହଜେଇଲେଣି ହାତୀ ଓ ବାରହା ;ମଞ୍ଚା କରି ନିଜ କ୍ଷେତକୁ ଜଗିଛି ଚାଷୀ

0
515

ଭଞ୍ଜନଗର(ନିଲୁ ବିଷୋୟୀ) ମଞ୍ଚା ଉପରେ କଟୁଛି ଚାଷୀ ଙ୍କ ଦିନ । ଗଂଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ଅଧିନ ମୁଜାଗଡ,ତାରସିଂ ଓ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନରେ ଲାଗିରହିଛି ହାତୀପଲ୍ଲ ଓ ବାରହା ଙ୍କ ଉତ୍ପାତ । ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମି ଗୁଡିକ ରହିଥିବାରୁ ନୀତି ସନ୍ଧ୍ୟା ହେଲେ ହାତିପଲ୍ଲ ଓ ବାରହାପଲ୍ଲ ଜମିରେ ପସି ଧାନଗଛ କୁ ଖାଇବା ସହିତ ଅଧିକା ଫସଲ ନଷ୍ଟ କରୁଛନ୍ତି । ଅପରପକ୍ଷରେ ବନ ବିଭାଗ ହାତୀ ଘଉଡାଇବା ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ଲକ୍ ଡାଉନ ଯୋଗୁଁ ଅନେକ ଚାଷୀ ରାଜ୍ୟ ବାହାରକୁ ଦାଦନ ପାଇଁ ନ ଯାଇ ନିଜ କ୍ଷେତରେ ପରିଶ୍ରମ କରି ଧାନଚାଷ କରିଛନ୍ତି । ବର୍ତ୍ତମାନ ଧାନ ପାଚିବା ସମୟ ।କିନ୍ତୁ ବନ୍ୟ ଜନ୍ତୁ ମାନେ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବାରୁ ଗଛ ଉପରେ ମଞ୍ଚା ତିଆରି କରିଛନ୍ତି। ନିଆ ହୁଳା, ବାଣ, ଘଣ୍ଟ , ଟର୍ଚ୍ଚ ଲାଇଟ ଓ ଠେଙ୍ଗା ଖଣ୍ଡେ ଧରି ରାତି ଉଜାଗର ରହି ଫସଲ କୁ ସୁରକ୍ଷା ଦେଉଛନ୍ତି ଚାଷୀ ।ବନ୍ୟ ଜନ୍ତୁ ଦେଖିବା କ୍ଷଣି ପାଟିକରିବା, ବାଣଫୁଟାଇବା ଓ ପାଖରେ ରଖିଥିବା ବାଦ୍ୟଯନ୍ତ୍ରକୁ ବଜାଇ ବାରହା,ହାତୀ,ମାଙ୍କଡ଼ କୁ ଘଉଡ଼ାଇ ଥାନ୍ତି।ଜଗି ରହିବା ସତ୍ତ୍ୱେ ମଧ୍ୟ କିଆରୀ କିଆରୀ ଧାନ ଫସଲ ନଷ୍ଟ କରି ଚାଲି ଯାଉଛନ୍ତି ହାତୀପଲ୍ଲ । ପ୍ରତି ବର୍ଷ ମୁଜାଗଡ, ଦଦରଲୁଣ୍ଡା,ବ୍ରାହ୍ମଣପଦର , ତାରସିଂ ଗେରେଡା , କ୍ଷେତମୁଣ୍ଡଳୀ ଭଳି ଅନେକ ପଞ୍ଚାୟତର ଚାଷୀଙ୍କୁ ଏବେ ମଞ୍ଚା ଭରସା।
ବନ୍ୟଜନ୍ତୁ ମାନଙ୍କ ଦ୍ଵାରା ନଷ୍ଟ ହୋଇଥିବା ଫସଲ କୁ ବନ ବିଭାଗ ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାର ନିୟମ ରହିଛି । ଚାଷୀମାନେ ଅଭିଯୋଗ କରିବା ପରେ ବନ କର୍ମଚାରୀ ମାନେ ଆସି କ୍ଷୟକ୍ଷତି ଆକଳନ କରି ସମସ୍ତ କାଗଜପତ୍ର ନେଇ କ୍ଷତିପୂରଣ ଦିଆଯିବ କହି ଚାଲିଯାଉଛନ୍ତି । ତେବେ ଏଭଳି ସ୍ଥିତିରେ ବନ ବିଭାଗର ପ୍ରଶାସନିକ ଅଧିକାରୀ ମାନେ ନିରାଵଦ୍ରଷ୍ଟା ସାଜିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ବାବଦରେ ମିଳୁଥିବା ଅର୍ଥ ଚାଷୀଙ୍କୁ ଦିଆଯାଉନଥିବା ବେଳେ ଭାଗଚାଷୀ ଙ୍କ କ୍ଷତିପୂରଣ କୁ ଜମି ମାଲିକ ମାନେ ବିଭିନ୍ନ ଆଳରେ ହାତେଇ ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା ବନ ବିଭାଗ ପକ୍ଷରୁ କ୍ଷତିପୂରଣ ମିଳୁନଥିବାରୁ ବାଧ୍ୟ ହୋଇ ଜୀବନ କୁ ବାଜି ଲଗାଇ କ୍ଷେତ କୁ ଜଗି ରହୁଛନ୍ତି ଚାଷୀ। ରାତିରେ ପୁରୁଷ ମାନେ ଉଜାଗର ରହି ନିଆଁ ହୁଳା ଧରି ବାରହା ଓ ହାତୀ ଘଉଡାଉଥିବା ବେଳେ । ଦିନରେ ଘରର ମହିଳା ଓ ପିଲାମାନେ କୁଢିରେ ରହି ମାଙ୍କଡ଼ ଘଉଡ଼ାଇ ଥାଆନ୍ତି । ଏହିଭଳି ପରିସ୍ଥିତିରେ ଏବେ ଜୀବନ ବିତାଉଛନ୍ତି ଚାଷୀ । ଅପରପକ୍ଷରେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here