ସେବା ନପାଇ ଆରପାରିକୁ ଚାଲିଗଲେ ମେସିନ ମଣିଷ

0
382

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଭାସ୍କର ମହାରଣା ବେଗୁନିଆପଡା ବ୍ଲକର ଏକ ପରିଚିତ ନାମ l ଘର ଏହି ବ୍ଲକ ଅନ୍ତର୍ଗତ ବେଲପଡା ଗ୍ରାମରେ l ବୟସର ଅପରାହ୍ନରେ ପାଖାପାଖି 75 ବର୍ଷ ବୟସ ହୋଇଥିଲା l ଅତୀତରେ ଯେ କୌଣସି ମେସିନ ହେଉ କି ତାଲା ଚାବି ଅଥବା ବନ୍ଧୁକ ମରାମତି ହେଉ ସବୁଥିରେ ପାରଙ୍ଗମ l ଅତୀତରେ ବାହାରୁ ଲାଇସେନ୍ସ ବନ୍ଧୁକ ତାଙ୍କ ନିକଟକୁ ଆଣି ମରାମତି କରୁଥିଲେ ବୋଲି ଶୁଣିବାକୁ ମିଳେ l ମରାମତି କିମ୍ବା ଯେ କୌଣସି ଯାନ୍ତ୍ରିକ ବସ୍ତୁ ନିର୍ମାଣ ପରେ ଯେ ଯାହା ପାରିଶ୍ରମିକ ଦେଲେ ତାହାକୁ ସାଦରେ ଗ୍ରହଣ କରୁଥିଲେ l ଯୁବକ ସମୟରେ ଘରେ ତାଙ୍କ ବିବାହ ପ୍ରସଙ୍ଗ ଆଲୋଚନା କରିବା ପରେ ସେ ତାକୁ ପ୍ରତ୍ୟାଖାନ କରିଥିଲେ ବି ପରିବାର ଲୋକ ତାଙ୍କର ବିବାହ କରିବା ପରେ ତାଙ୍କ ପତ୍ନୀଙ୍କୁ ସେ ବୁଝାଇ ତାଙ୍କୁ ଅଜଣା ରୋଗ ହୋଇଛି କହି ବାପ ଘରକୁ ପଠାଇ ଦେଇ ନିଜେ ଏକା ରହିଥିଲେ l ପରିବାର ଭିତରେ 5 ଭାଇଙ୍କ ମଧ୍ୟରୁ ସେ 4ର୍ଥ ଭାଇ ଥିଲେ l ବୟସ ଅଧିକ ହେବା ସହ ଦୁରାରୋଗରେ ପୀଡିତ ହେବା ପରେ ତାଙ୍କୁ ତାଙ୍କ ପରିବାର ଲୋକ ସମ୍ପୂର୍ଣ ଏକା କରିଦେବା ସହ ସେ ଏକା ଘରେ ଅସହାୟ ଅବସ୍ଥାରେ ପଡିରହିଥିଲେ l ଗତ 5 ମାସ ପୂର୍ବେ ତାଙ୍କ ଦେହ ଖରାପ ହେବା ସହ ତାଙ୍କୁ ଜ୍ୱର ହୋଇ ତାଙ୍କ ସ୍ୱାବ ଟେଷ୍ଟରେ ରିପୋର୍ଟ ପଜିଟିଭ ହେବା ପରେ ତାଙ୍କୁ ଚିକତ୍ସା ପାଇଁ କୋଭିଡ ହସ୍ପିଟାଲ ନେଇ ଚିକିତ୍ସା କରାଯାଇ ଭଲ ହେବା ପରେ ଘରକୁ ଫେରିଥିଲେ l ପରେ ଆସ୍ତେ ଆସ୍ତେ ସେ ଦୁର୍ବଳ ହେବା ସହ ଶଯ୍ୟାଶାୟୀ ହୋଇଗଲେ l ତାଙ୍କ ସେବା ଶୁଶ୍ରୁଷା କରିବା ପାଇଁ କେହି ସମ୍ପର୍କୀୟ ଆସିନଥିଲେ ଏପରିକି ନିଜ ଭାଇ ମଧ୍ୟ ପର କରିଦେଲେ l ଗ୍ରାମବାସୀଙ୍କ ସହାୟତାରେ ଜଣେ ସମ୍ପର୍କୀୟ ପୁତୁରା ସୂର୍ଯ୍ୟ ମହାରଣାଙ୍କୁ ଦାୟିତ୍ୱ ଦେଇଥିଲେ l କିନ୍ତୁ ସେ ସେବା ପାଇବା ପୂର୍ବରୁ ଘର ଭିତରେ ମୄର୍ତ୍ୟୁ ବରଣ କରିବା ପରେ ତାଙ୍କ ଭାଇ ମଧ୍ୟ ଶେଷରେ ସ୍ପର୍ଶ କରିନଥିଲେ l ତାଙ୍କ ଅଜଣା ରୋଗ ପାଇଁ ଶେଷରେ ତାଙ୍କୁ ଗ୍ରାମବାସୀଙ୍କ ସହଯୋଗରେ କବର ଦିଆଗଲା l ହିନ୍ଦୁ ସଂସ୍କାର ନିୟମକୁ ଶେଷରେ ପରିତ୍ୟାଗ କରାଯାଇ ସୂର୍ଯ୍ୟଙ୍କ ଦ୍ୱାରl ଶେଷ ମାଟି ମୁଠାଏ ଦିଆଯାଇ ମାଟିରେ ଲୀନ ହୋଇଗଲେ ‘ଭାସ୍କର’ l ତାଙ୍କ ରହିବା ଘର ଏବେ ତାଲା ପଡିଛି l ସମସ୍ତେ କହୁଛନ୍ତି ଆମ ଗାଁ କୁଶଳୀ କାରିଗର ଶେଷରେ ସେବା ନପାଇ ମରିଗଲା l

LEAVE A REPLY

Please enter your comment!
Please enter your name here