ବେଆଇନ ମଠ ଜମି ବିକ୍ରିକୁ ବିରୋଧ

0
316

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ପୁରୀ ବଗଲା ବିବାଦର ଅନ୍ତ ନ ହେଉଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ମୌଜାର ରାଧାକୃଷ୍ଣ ମନ୍ଦିର ଜମିକୁ ନେଇ ପୁଣି ଆଉ ଏକ ବିବାଦ ମୁଣ୍ଡ ଟେକିଛି। ରାଧାକୃଷ୍ଣ ମନ୍ଦିରର ଆଠ ଏକର ଜମିକୁ ଶାଗ ମାଛ ଦରରେ ବିକ୍ରି ପାଇଁ ସାଙ୍ଘାତିକ ଷଡ଼ଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି ।ପ୍ରାୟ ଦଶ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପାଇଁ କିଏ, କେମିତି ଓ କାହା ଇଙ୍ଗିତରେ ଜମି ବିକ୍ରି ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା,ସେହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।ପୂର୍ବରୁ ଉକ୍ତ ଜମି ଦେବୋତ୍ତର ବିଭାଗକୁ ଗତ ମାର୍ଚ୍ଚ ମାସରେ ଏକ କୋଟି ଚାଳିଶି ଲକ୍ଷ ସର୍ବନିମ୍ନ ମୂଲ୍ୟରେ ଧାର୍ଯ୍ୟ ହୋଇ ମନ୍ଦିରର ଟ୍ରଷ୍ଟକୁ ସମ୍ବାଦପତ୍ର ମାଧ୍ୟମରେ ପ୍ରଚାର କରି ଏକ ମାସ ସମୟ ଅବଧି ମଧ୍ୟରେ ଗ୍ରାମ୍ୟ ମନ୍ଦିର ସମ୍ପର୍କିତ ବ୍ୟକ୍ତିବିଶେଷ ଓ ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ନିଲାମ କରି ବିକ୍ରି କରିବା ସକାଶେ କ୍ଷମତା ପ୍ରଦାନ କରିଥିଲେ।ମହାମାରୀ ନିମନ୍ତେ ମାର୍ଚ୍ଚ ଶେଷ ସପ୍ତାହରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସରକାରୀ ଅଫିସକୁ କଟକଣା ରହିଥିଲା।ଇତି ମଧ୍ୟରେ ଜୁନ/୦୫/୨୦୨୦ ମସିହାରେ ଟ୍ରଷ୍ଟ ଦ୍ୱାରା ଦାଖଲ କରାଯାଇଥିବା ଦଲିଲକୁ ସ୍ଥଗିତ କରିବା ସକାଶେ ଗ୍ରାମବାସୀ ଆପତ୍ତି ମଧ୍ୟ ଉଠାଇଛନ୍ତି।ଘଟଣାର କିଛି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ ,୨୦୨୦ ମସିହାରେ କାର୍ଯ୍ୟାଳୟରେ ଉକ୍ତ ଦଲିଲ ଦାଖଲ କରାଯାଇଥିବା ଜଣାପଡିଛି। ତେଣୁ ଉକ୍ତ ଦଲିଲକୁ ସ୍ଥଗିତ ରଖି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ କିମ୍ବା ପୁନଃ ନିଲାମ କରିବାକୁ ବର୍ତ୍ତମାନ ଦାବି ହୋଇଛି।ଘଟଣାକୁ ଅବହେଳା କରି ଯଦି ଆଗାମୀ ଦିନରେ ଅଭିଯୋଗ ଶୁଣା ନ ଗଲେ ଆଗାମୀ ୧୦ ତାରିଖ ଠାରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଆମରଣ ଅନଶନ ପାଇଁ ଗ୍ରାମବାସୀ ବାଧ୍ୟ ହେବେ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଛି। ଲୋକଙ୍କ ଧର୍ମୀୟ ଭାବନା ଓ ଭାବାବେଗ ଆହତ ହେଉଥିବାରୁ ଏହାର ଆଶୁ ସମାଧାନ କରାନଗଲେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।ନିବନ୍ଧକ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସବୁ ନିୟମ ପ୍ରକାରେ ହେଉଛି ସବୁ ଠିକ ଠାକ ଅଛି। ସରକାରୀ ବ୍ୟବସ୍ଥା ଅନୁସାରେ ହେଉଛି। ଦାବିପତ୍ର ଦେବା ସମୟରେ ପୂର୍ବତନ ନଗରପାଳ ଶିବରାମ ଗୌଡ଼,ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ସଞ୍ଜୟ କୁମାର ପଣ୍ଡା ପ୍ରମୂଖଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here