ଜିଲ୍ଲାରେ କରୋନାମୁକ୍ତ ସକାଶେ ଜନ ସାଧାରଣଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଗାଁ ଲୋକେ ଯଦି ସତର୍କ ରହିବେ ତେବେ ତାଙ୍କ ଗାଁ ସଂକ୍ରମଣମୁକ୍ତ ରହିବ – ଜିଲ୍ଲାପାଳ

0
300

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ଲୋକଙ୍କ ଜୀବନ ଜୀବିକା ନିମନ୍ତେ ପୂର୍ବାହ୍ନ ଘ୫.୦୦ମି. ଠାରୁ ରାତ୍ର ଘ.୦୮.୦୦ମି. ପର୍ଯ୍ୟନ୍ତ କୋହଳ କରାଯାଇଛି । କରୋନା ସଂକ୍ରମଣ ରହିଛି ଏଣୁ ସତର୍କତା ଅବଲମ୍ବନ ଜରୁରୀ । ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜେସନ୍ କରି ଜୀବନ ଜୀବିକା ଚଳାଇ ନେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତକା କୁଲାଙ୍ଗେ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଆଜି ପୂର୍ବାହ୍ନରେ ଛତ୍ରପୁର ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହବସିଲଦାର,କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ କୋଭିଡ୍ ପରିଚାଳନାଗତ ଆଲୋଚନା କରିଥିଲେ । ଆକ୍ଟିଭ୍ କେସ୍ ଗୁଡିକ ଶୁନ୍ୟ କରିବା, ଦୋକାନ ଖୋଲିବା ସମୟ ବୃଦ୍ଧି, ସାମାଜିକ ଦୂରତ୍ବ, ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ପ୍ଲାଜମା ଦାନ, ଆଡମିଶନ୍, ଡିସଚାର୍ଜ ଓ ମୃତ୍ୟୁ ଜନୀତ ସମସ୍ତ ବିଷୟ ନେଇ ଆଜିର ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ଦିଗରେ କୋହଳ କରାଯାଇଅଛି । ଏଣୁ ବାହାରୁ ଆସୁଥିବା ବ୍ୟକ୍ତି ଓ ପ୍ରବାସୀ ମାନଙ୍କ ଦ୍ବାରାହିଁ ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଚସୂତ୍ରୀ ପାଳନ ସହିତ ପୂର୍ବ ଯୋଜନା ଗୁଡିକ ଆହୁରି କଡାକଡି କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଗ୍ରାମ ସ୍ତରରେ ଗଠିତ ହୋଇଥିବା ଗ୍ରାମ୍ୟ କମିଟିର ଭୂମିକା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ । ଗାଁ ଲୋକଙ୍କ ଦ୍ବାରାହିଁ ଯିବା ଆସିବା ଲୋକଙ୍କ ଉପରେ ନଜର ରଖିହେବ । ଗାଁ କମିଟି ଯେତେ ସତର୍କତା ଅବଲମ୍ବନ କରି କାର୍ଯ୍ୟ ସଂପାଦନା କରିବେ ତାଙ୍କ ଗ୍ରାମ ସେତେ କରୋନା ସଂକ୍ରମଣରୁ ମୁକ୍ତ ରହିବ । ଏଣୁ ଗ୍ରାମାଞ୍ଚଳ ସ୍ତରରୁ ପରିଚାଳନାକୁ ସଠିକ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ । ଗ୍ରାମାଞ୍ଚଳ ସ୍ତରୀୟ କମିଟି ଯେପରି ଠିକି ରୂପେ କାର୍ଯ୍ୟ ସଂପାଦନା କରିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସଂପ୍ରତି ଯେଉଁ କେହଳ କରାଯାଇଛି ତାହା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳ ପାଇଁ ଲାଗୁ ହେବନାହିଁ । କଣ୍ଟେନମେଣ୍ଟଜୋନ୍ ଘୋଷିତ ଅଞ୍ଚଳରେ ଆର୍.ଆର୍.ଟି. ଟେଷ୍ଟ ଓ କରୋନା ସଂକ୍ରମିତ ଲକ୍ଷଣ ଯାଂଚ୍ ଚାଲୁ ରହିବ । ହୋମ୍ ଆଇସୋଲେସନ୍ ରେ ରହିଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଚାଲୁ ରହିବ । ଆକ୍ଟିଭ୍ କେସ୍ ଥିବା ଅଞ୍ଚଳରେ ଜିରୋ କରିବା ପ୍ରକ୍ରିୟା ଚାଲୁ ରହିବ । ଯେଉଁ ଗ୍ରାମରେ ପଜଟିଭ୍ ସଂଖ୍ୟା ଶୂନ ରହିଛି ସେହି ଗ୍ରାମ ଗୁଡିକ ଗ୍ରୀନ୍ ଜୋନ୍ ଘୋଷଣା ହେବ । ହୋମ୍ ଆଇସୋଲେସନ୍ ରେ ରହିଥିବା ବ୍ୟକ୍ତିଙ୍କର ଯଦି ମଧୁମେହ ଥାଏ ତେବେ ସେମାନଙ୍କୁ ହୋମ୍ ଆଇସୋଲେସନ୍ ରେ ନ ରଖି କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ । ଧର୍ମାନୁଷ୍ଠାନ ଖୋଲିବା ନିମନ୍ତେ ବାରଣ କରାଯାଇଛି । ପଞ୍ଚସୂତ୍ରୀ ନିୟମ ଆହୁରି କଡାକଡି ପାଳନ ହେବ । ଆସନ୍ତା ସେପ୍ଟେମ୍ବର ମାସରେ ସମସ୍ତ କାର୍ଯ୍ୟାଳୟ ଜନସାଧାରଣଙ୍କ ନିମନ୍ତେ ଖୋଲାଯିବାର ଯୋଜନା ରହିଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ବାହ୍ନରେ କୋଭିଡ୍ ପରିଚାଳନା କାର୍ଯ୍ୟ ଏବଂ ଅପରାହ୍ନରେ ନରେଗା ଓ ବୃକ୍ଷରୋପଣ କାର୍ଯ୍ୟ ସଂପାଦନା କରିବେ । ସେହିପରି ତହସିଲଦାରଗଣ ପୂର୍ବାହ୍ନରେ କୋଭିଡ୍ କାର୍ଯ୍ୟ ଓ ଅପରାହ୍ନ ରେ ରାଜସ୍ବ କାର୍ଯ୍ୟରେ ନିୟୋଜିତ ହେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦତେଇଥିଲେ ।
ଭିଡିଓ କନଫରେନ୍ସିଂ ରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଂକର ସ୍ବାଇଁ, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀ, ଉପଜିଲ୍ଲାପାଳ ବ୍ରହ୍ମପୁର ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ, ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here