ଅଟକଙ୍କୁ ଛାଡିବା ପାଇଁ ଜିଦରେ ଗ୍ରାମବାସୀ;ଗ୍ରାମବାସୀଙ୍କୁ ଘଉଡାଇବା ପାଇଁ ପୋଲିସର ଲାଠି ଚାଳନା

0
338

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) କିଏ ସିଏ ବାଲି ମାଫିଆ….ତାକୁ ଖୋଜି ବାହାର କର ନଚେତ ପରିସ୍ଥିତି ଅସମ୍ଭାଳ ହେବ। ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ବିନା ଟେଣ୍ଡରରେ ବେଧଡକ ବାଲି ଉଠାଣ ଅଭିଯୋଗ କରିଥିଲେ ମଧ୍ୟ ନା ବାଲିମାଫିଆ ମାନଙ୍କୁ ଧରାଯାଉଛି ନା ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରାଯାଇଛି। ପ୍ରଶାସନକୁ ଆମେ ବାରମ୍ବାର ଗୁହାରି କଲେ ମଧ୍ୟ ଆମ କଥା ଶୁଣୁନ। ସେମାନେ ସବୁ ମିଛ ଅଭିଯୋଗ କଲେ ତୁମେ କିଛି ନବୁଝି ଆମ ଗାଁ ଲୋକଙ୍କୁ ଥାନାକୁ ଆଣି ଅଟକ ରଖିଛ ଏହା କଣ ଆମକୁ ନ୍ୟାୟ ମିଳୁଛି ବୋଲି ନାରା ଦେଇ ଥାନା ଆଗରେ ଗୋଟିଏ ପଟେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୋଳିଦାସ ପୁର ଗ୍ରାମବାସୀ। ମାର୍ଚ୍ଚ ମାସ ଠାରୁ ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ବାଲି ଘାଟ ଲିଜ ହୋଇନାହିଁ। ଲିଜ ନହେବା ଯୋଗୁଁ ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ବେଧଡକ ବାଲି ଚୋରା ଚାଲାଣ କରୁଛନ୍ତି। ଏଥି ପାଇଁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ମଧ୍ୟ ଘଟୁଛି। ଏହା ଯୋଗୁଁ ଗ୍ରାମାଞ୍ଚଳରେ ଗ୍ରାମବାସୀ ଓ ମାଫିଆଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଯାହା ଫଳ ସୁରୂପ ଉଗ୍ର ରୂପ ନେଇଥିଲା ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମରେ ଶୁକ୍ରବାର ମଧ୍ୟ ରାତ୍ରିରେ। ଚୋରା ଚାଲାଣ କରି ବାଲି ନେଉଥିବା ବେଳେ କିଛି ବ୍ୟକ୍ତି ଶୁକ୍ରବାର ମଧ୍ୟ ରାତ୍ରିରେ ବାଲି ବୋଝେଇ ଟ୍ରପର,ଟ୍ରାକ୍ଟର,ମୋଟର ସାଇକେଲ ପୋଡିବା ସହ ଜେସିବି ମେସିନ୍ ଭଙ୍ଗାରୁଜା କରିଥିଲେ। ଖବର ପାଇ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ,ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଥିଲେ। ଗାଡ଼ି ପୋଡ଼ି ଘଟଣାରେ ରାମକୃଷ୍ଣ ବରଡଙ୍କ ଅଭିଯୋଗ କ୍ରମେ ୨୮୯/୨୦ରେ ଏକ ମାମଲା ରୁଜୁ କରି ଗ୍ରାମର ୫ ଜଣଙ୍କୁ ପୋଲିସ ଅଟକ ରଖିଥିଲା। ଅନ୍ୟ ପଟେ ଆଜି ସକାଳୁ ପୋଲିସ ଗ୍ରାମର ଉକ୍ତ ବ୍ୟକ୍ତିଙ୍କୁ କାହିଁକି ଅଟକ ରଖିଛି ଏବଂ ସେମାନଙ୍କୁ ତୁରନ୍ତ ଛାଡିବା ପାଇଁ ୧୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏକତ୍ରିତ ହୋଇ ଥାନା ଘେରାଉ କରିଥିଲେ। ପ୍ରକାଶ ଥାଉକି ଏହି ଅଞ୍ଚଳର ଜୀବିକା ସାଧାରଣତ ଚାଷ ଉପରେ ନିର୍ଭରଶୀଳ । ବାଲି ଉଠାଣ ପାଇଁ ବ୍ୟବହୃତ ଜେସିବି,ହିଟଚି,ଡ଼ମ୍ପର,ଟ୍ରକ, ଟ୍ରାକ୍ଟର ଇତ୍ୟାଦି ଯିବାଆସିବା କରିବା ଓ ନଦୀକୂଳରେ କାର୍ଯ୍ୟକ୍ଷମ ହେଉଥିବା ହେତୁ ନଦୀ କୂଳ ପଠା ମାଟି ଧସିବା ଏବଂ ବାଲିର କୃତ୍ରିମ ଅବକ୍ଷୟ ଯୋଗୁଁ ବନ୍ୟାଜଳ ମାଡି ନିକଟସ୍ଥ ଚାଷ ଜମିରେ ଚାଷ ହୋଇଥିବା ପନିପରିବା ଫସଲ ହାନି ଘଟୁଛି।ବାରମ୍ବାର ତହସିଲ ପ୍ରଶାସନରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମ ତରଫରୁ ଅଭିଯୋଗ ହୋଇଛି । ମାତ୍ର କେଉଁ କାରଣରୁ ପ୍ରଶାସନ ନିରବ ସାଜିଛି ସାଧାରଣରେ ପ୍ରଶ୍ନ ହେଉଛି । ପ୍ରଶାସନ ନୀରବ ରହିବା କାରଣରୁ ଏଭଳି ତୁମୁଳକାଣ୍ଡ ଘଟାଇଥିଲେ କିଛି ବ୍ୟକ୍ତି। ଅନ୍ୟ ପଟେ ପୋଲିସ,ପ୍ରଶାସନ ଏବଂ ଗ୍ରାମବାସୀ ମଧ୍ୟରେ ଆଲୋଚନା ପାଇଁ କଥାବାର୍ତ୍ତା ବେଳେ ଅଟକ ବ୍ୟକ୍ତିମାନଙ୍କୁ ତୁରନ୍ତ ଛାଡିବା ପାଇଁ ପ୍ରତିବାଦ ହେବାରୁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା ।ଘଟଣାକୁ ପ୍ରଶମିତ କରିବା ପାଇଁ ପୋଲିସ ପକ୍ଷରୁ ସାଢ଼େ ୧୧ ଟାରେ ଲାଠି ଚାଳନା କରାଯାଇଥିଲା । ଯାହା ଆଗମୀ ଦିନରେ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଏହି ଘଟଣାକୁ ଭିତ୍ତିକରି ହିଞ୍ଜିଳିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ଘଟଣାକୁ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ସହ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ,ହିଞ୍ଜିଳି ଥାନ ଅଧିକାରୀ ଅଭିମନ୍ୟୁ ଦାସ ସମେତ ବହୁ ପୋଲିସ ଫୋର୍ସକୁ ମୃତୟନ କରି ଅଣଆୟତ ପରିସ୍ଥିତିକୁ ସମ୍ଭାଳି ଥିଲେ । ଆଗାମୀ ଦିନରେ ଏଭଳି ସ୍ଥିତିର ପ୍ରଶାସନିକ ଅଧିକାରୀ ମାନେ ଯଦି ସମାଧାନ ନକରନ୍ତି ତେବେ ଅପ୍ରତିକର ପରିସ୍ଥିତିକୁ ଏଡାଇ ଦିଆ ଯାଇନପାରେ । ପୋଲିସ ଲାଠି ଚାଳନାରେ ବହୁ ଲୋକ ଆହତ ହେବା ସହ ଛତ୍ରଭଙ୍ଗ ଦେଇଛନ୍ତି । ଅନ୍ୟପକ୍ଷରେ ଘଟଣା ନେଇ ଗ୍ରାମରେ ଉତ୍ତେଜନା ଲାଗିରହିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here