କୋଭିଡ୍ ପରିଚାଳନାରେ ଗଞ୍ଜାମ ଜିଲ୍ଲା ହେଉଛି ସରକାରଙ୍କ ପ୍ରାଥମିକତା – ମାନସ ସଙ୍ଗରାଜ

0
364

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସ୍ ଠାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ମିଡିଆ ସମ୍ପର୍କ କାର୍ଯ୍ୟକ୍ରମରେ  ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ମିଡିଆ ପରାମର୍ଶ ଦାତା ମାନସ ମଙ୍ଗରାଜ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ  ।
           ସମ୍ପ୍ରତି ରାଜ୍ୟରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଗଞ୍ଜାମ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ସ୍ଥଳ ପାଲଟିଛି  । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ପ୍ରତି ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି  । ଖୁବ୍ କମ୍ ଦିନ ମଧ୍ୟରେ ଦୁଇ ଦୁଇଟି କୋଭିଡ୍ ହସ୍ପିଟାଲ ସ୍ଥାପନ ସହିତ ଅତ୍ୟାବଶ୍ୟତା ମୁତାବକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତି ଓ ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ୍ କେୟାର ସେଣ୍ଟରଗୁଡିକର ସୁପରିଚାଳନା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି  । ତେବେ ଏତେ ବଡ ବିପଦକୁ ସାମ୍ନା କରି ଜିଲ୍ଲାବାସୀଙ୍କୁ ସଂକ୍ରମଣରୁ ରକ୍ଷା କରିବା ଦିଗରେ କେତେକ ସମସ୍ୟା ମଧ୍ୟ ଦେଖା ଦେଇଛି  । ଏହାକୁ ଅତିକ୍ରମ କରି ଆଗକୁ ବଢିବାକୁ ପଡିବ  । ଗଞ୍ଜାମ ଜିଲ୍ଲାବାସୀ ଏବଂ ଗଣମାଧ୍ୟମ ପୂର୍ବପରି ସହଯୋଗ ଜାରି ରଖିବାକୁ ଆଜି ଆହ୍ବାନ ଦେଇଚନ୍ତି ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ  ।  ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନାରେ ଥିବା ସମସ୍ୟା, ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟରେ ସମନ୍ବୟ ଉପରେ ସେ ଗୁରୁତ୍ବାରୋପ କରିବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କ ଠାରୁ ସୁଚିନ୍ତିତ ମତାମତ ସଂଗ୍ରହ କରିଥିଲେ  । ଏ ସମ୍ପର୍କରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇ ତୁରନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି  । ଗଞ୍ଜାମ ଜିଲ୍ଲାରେ ପ୍ରଶାସନିକ ଅଧିକାରୀ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡି କର୍ମୀ, ଗ୍ରାମାଞ୍ଚଳ ଜନ ପ୍ରତିନିଧିମାନେ ଗତ ୪ ମାସ ଧରି ଅହରହ କୋଭିଡ୍ ବିରୁଦ୍ଧରେ ଲଢେଇ କରିଚାଲିଛନ୍ତି  । ଆଜି ଏହା ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି  । ଅଗଷ୍ଟ ମାସ ମଧ୍ୟ ଆମପାଇଁ ଗୁରୁକତ୍ବପୂର୍ଣ୍ଣ  । ଧୀରେଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ଏକ ଶୁଭସୂଚନା ବୋଲି ସେ କହିଥିଲେ  । ପ୍ରତ୍ୟେକ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ନିଜକୁ କୋଭିଡ୍ ଯୋଦ୍ଧା ଭାବରେ ବିବେଚନା କରି ଏଭଳି ଏକ ସଙ୍ଗୀନ ମୁହୂର୍ତ୍ତରେ ପରସ୍ପରକୁ ସହଯୋଗର ହାତ ବଢାଇବାକୁ ସେ ଆହ୍ବାନ ଦେଇଥିଲେ  । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ  । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

LEAVE A REPLY

Please enter your comment!
Please enter your name here