ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବଙ୍କ ସମୀକ୍ଷା

0
406

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଚିକିତ୍ସା କେନ୍ଦ୍ରର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ସମୀକ୍ଷା କରି ଟାଟା, ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଭିତ୍ତି ଏବଂ ଅସୁବିଧା ସମ୍ପର୍କରେ ସଂପୃକ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ଯୋଗାଇଦେବାରେ ଯେଉଁଠାରେ ଯାହା ଅସୁବିଧା ରହିଛି ସେଗୁଡିକର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ କୋଭିଡ୍ ପରିଚାଳନାଗତ ସମସ୍ୟା ମାନ ସଚ୍ଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଆସିଥିବା ଯୋଗୁଁ ସଂକ୍ରମଣ ସଂଖ୍ୟା ଅଧିକ ହେବା ଏବଂ ସେହି ଅନୁପାତରେ ଗତ ସପ୍ତାହ ଠାରୁ ସଂକ୍ରମିତ ବ୍ୟକ୍ତି ଅଧିକ ସଂଖ୍ୟାରେ ଆରୋଗ୍ୟଲାଭ କରୁଥିବା ପ୍ରକାଶ କରିଥିଲେ ।
ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ଶ୍ରୀ ମହାପାତ୍ର ଜଣାଇଥିଲେଯେ ଗଞ୍ଜାମ ଜିଲ୍ଲା ସକାଶେ ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ଦୃଷ୍ଟି ରହିଛି । ଯେତେ ସମ୍ଭବ ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଇ କରୋନା ସଂକ୍ରମଣକୁ ରୋକାଯିବାର ପ୍ରୟାସ ଚାଲିଛି । କରୋନା ସଂକ୍ରମଣକୁ ରୋକିବା ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ସୁସ୍ଥ କରିବା ଦିଗରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାନଗର ନିଗମ କମିଶନର, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଉପଜିଲ୍ଲାପାଳ, ଡାକ୍ତରୀ ଦଳ ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ଅହରହ ଉଦ୍ୟମ କରିଛନ୍ତି. ଏଥିଯୋଗଁ ସେମାନଙ୍କ ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ । ସମ୍ପ୍ରତି ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା କମୁଛି ଏବଂ ସଂକ୍ରମିତ ବ୍ୟକ୍ତି ବହୁସଂଖ୍ୟାରେ ଆରୋଗ୍ୟଲାଭ କରି ଡିସଚାର୍ଯ ହେଉଛନ୍ତି । ଜଣେ ବ୍ୟକ୍ତି ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସା ଦ୍ବାରା ଦଶ ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି । ଆଇ.ସି.ଏମ୍.ଆର୍. ଗାଇଡ୍ ଲାଇନ୍ ପ୍ରକାରେ ଏମାନଙ୍କୁ ଡିସଚାର୍ଯ କରାଯାଉ । ଜିଲ୍ଲାରେ ଚିକିତ୍ସା ସକାଶେ ବେଡ୍ ର କୌଣସି ଅଭାବ ନାହିଁ । ନୟାଗଡ, କନ୍ଧମାଳ ଭଳି ନିକଟବର୍ତ୍ତୀ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଯଦି ଆବଶ୍ୟକ ପଡେ ତେବେ ନିକଟବର୍ତ୍ତୀ ଜିଲ୍ଲାର ସହଯୋଗ ନେଇ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଇପାରିବ ।
ମୋ ସରକାର ଅଧି୍ନରେ ହସ୍ପିଟାଲ ଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚ୍ଚିବ ସିଧା ସଳଖ ଟେଲିଫୋନ୍ ଜରିଆରେ କରୋନା ଚିକିତ୍ସିତ ହେଉଥିବା ବ୍ୟକ୍ତି ବିଶେଷଙ୍କ କଥା ପଚାରି ବୁଝୁଛନ୍ତି । ଚିକିତ୍ସା, ଖାଦ୍ୟ ଓ ସଫେଇ କାର୍ଯ୍ୟ କୁ ସଠିକ ଓ ଅଧିକ ଯତ୍ନର ସହିତ ପରିଚାଳନା କରିବାକୁ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର ଜଣାଇଥିଲେ । ସଂକ୍ରମଣ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତି ବିଶେଷଙ୍କୁ ଯାହାର ଘରେ ଏକୁଟିଆ ରହିବାର ସୁବିଧା ଅଛି ସେମାନଙ୍କୁ ତାଙ୍କ ନିଜ ଘରେ ରଖି ଚିକିତ୍ସା କରାଯାଉ, ଯଦ୍ବାରା ସେମାନଙ୍କ ମାନସିକ ଅବସ୍ଥା ଭଲ ରହିବ ଏବଂ ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇପାରିବେ । ଚିକିତ୍ସାଳୟର ଶୌଚାଳୟ ବ୍ୟତୀତ ଅନ୍ୟସବୁ ଅଞ୍ଚଳରେ ସିସିଟିଭି ଲଗାଯାଉ ଯଦ୍ବାରା ରୋଗୀଙ୍କ ଚିକିତ୍ସା କିପରି ଚାଲିଛି ସେଦିଗରେ ନଜର ରଖାଯାଇପାରିବ ।
ଟାଟାହସ୍ପିଟାଲର ସ୍ଥିତି ସମ୍ପର୍କରେ ଡାକ୍ତର ତ୍ରିପତି ପାଣିଗ୍ରାହୀ ଜଣାଇଥିଲେଯେ ବର୍ତ୍ତମାନର ଚିକିତ୍ସା ପଦ୍ଧତି ଦ୍ବାରା କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି ଏବଂ ଅଧିକ ପରିମାଣରେ ସୁସ୍ଥ ହୋଇ ଡିସଚାର୍ଯ ହେଉଛନ୍ତି । ୪୦ଗୋଟି ବେଡ୍ ରେ ଅକ୍ସିଜେନର ସୁବିଧା ଦିଆଯାଇଛି ଏବଂ ଆଗାମୀ ଦଶ ଦିନ ମଧ୍ୟରେ ସେଣ୍ଟ୍ରାଲି ଅକ୍ସିଜେନ୍ ସୁବିଧା କରି ସମସ୍ତ ବେଡ୍ କୁ ଅକ୍ସିଜେନ ଯୋଗାଇ ଦିଆଯିବ । ଆଠ ଗୋଟି ଆଇ.ସି.ୟୁ. , ୧୫ ଗୋଟି ଆଇ.ସି.ୟୁ. କ୍ୟାବିନ୍ ଥିବା ଜଣାଇଥିଲେ । ଏହାକୁ ବୃଦ୍ଧିକରି ୩୪ କ୍ୟାବିନ୍ କରାଯିବ । ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି ହେଲେ ଚିକିତ୍ସା ସୁବିଧା ଆହୁରି ଉତ୍ତମ ହେବ ବୋଲି ଜଣାଇଥିଲେ । ଅତିରିକ୍ତ ସଚ୍ଚିବ ଶ୍ରୀ ମହାପାତ୍ର ସେହିଠାରେ ହିଁ ଡାକ୍ତର ସମସ୍ୟା ସମାଧାନ କରିଥିଲେ । ସାତଦିନ ଅନ୍ତରରେ ଡାକ୍ତର ଓ ନର୍ସ ମାନଙ୍କୁ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯଦ୍ବାରା ଡାକ୍ତର ଓ ନର୍ସଙ୍କ ବିଶ୍ରାମ ପରେ ଚିକିତ୍ସାର ମାନ ବୃଦ୍ଧି ହେବ ଓ ସେମାନେ ସଂକ୍ରମଣରୁ ରକ୍ଷାପାଇବେ । ଉତ୍ତମ ଖାଦ୍ୟ, ହସ୍ପିଟାଲର ପରିବେଶ, ଶୌଚାଳୟର ସଫେଇ ଓ ଉତ୍ତମ ଚିକିତ୍ସା ଦିଗରେ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ଜଣାଇଥିଲେଯେ, ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଆସନ୍ତି ତେବେ ଅବହେଳା ନ କରି ତୁରନ୍ତ ଚିକିତ୍ସା ଆରମ୍ଭ କରନ୍ତୁ ତା ପରେ ଯାଇ ସେମାନଙ୍କର ଆଡମିଶନ୍ ପ୍ରକ୍ରିୟା କରିବେ । କୋଭିଡ୍ କେୟାର ସେଣ୍ଟର, ଟାଟା, ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୋଭିଡ୍ ପରିଚାଳନା ନିମନ୍ତେ ଗୋଟିଏ ହ୍ବାଟ୍ସ ଆପ୍ ଗୃପ୍ କରି ସଂକ୍ରମିତ ବ୍ୟକ୍ତି ସ୍ଥାନାନ୍ତର ପ୍ରକ୍ରିୟାକୁ ସୁଦୃଢ କରିବାକୁ ସଂପୃକ୍ତ ଅଧିକାରୀ ଗଣଙ୍କୁ ଜଣାଇଥିଲେ ଯ ଦ୍ବାରା ସମନ୍ବୟର ଅଭାବ ରହିବ ନାହିଁ ଓ ଖୁବ୍ ଶୀଘ୍ର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇପାରିବ ଏଥିରେ ସଂକ୍ରମିତ ବ୍ୟକ୍ତିଙ୍କ ଅସୁବିଧା ହେବ ନାହିଁ । ଗର୍ଭବତୀ ମହିଳାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସ୍ଥାନାନ୍ତର କରି ଚିକିତ୍ସା କରିବାକୁ ବୈଠକରେ ସ୍ଥିର ହୋଇଥିଲା । ଏହା ଫଳରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ଗର୍ଭବତୀ ମହିଳାଙ୍କୁ ଉତ୍ତମ ଚିକିତ୍ସା ସହିତ ପ୍ରସବ ପ୍ରକ୍ରିୟାରେ ଅସୁବିଧା ହେବନାହିଁ । ଯେଉଁ ଗର୍ଭବତୀ ମହିଳାଙ୍କ ସାଧାରଣ ଭାବେ ପ୍ରସବ ହୋଇପାରିବ ସେମାନଙ୍କୁ ସିଟି ହସ୍ପିଟାଲରେ ରଖି ଚିକିତ୍ସା କରାଯାଉ । ପିଜି ଡାକ୍ତରୀ ଛାତ୍ରମାନେ କୋଭି଼ଡ୍ କାର୍ଯ୍ୟରେ ନିଯୁକ୍ତ ହେବେ । ସେମାନଙ୍କ ପିଜି କୋର୍ସ ରେ କୋଭିଡ୍ ଚିକିତ୍ସା ଅନ୍ତର୍ଭୁକ୍ତ ହେବ ବୋଲି ଏମ୍.ସି.ଆଇ. ଗାଇଡ୍ ଲାଇନ୍ ଜାରି କରିଥିବା ଶ୍ରୀ ମହାପାତ୍ର ଅବଗତ କରାଇଥିଲେ । ଆଜିଠାରୁ ଅଶ୍ବିନୀ ହସ୍ପିଟାଲ ରେ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ କରାଯିବ । ଟାଟା, ଅଶ୍ବିନୀ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ରେ ଯାହାଯାହା ଅସୁବିଧା ରହିଛି ତାହା ଖୋଲାଖୋଲି ଭାବେ ଆଲୋଚନା କରାଯାଇ ଅସୁବିଧା ଗୁଡିକ ସମାଧାନ କରାଯାଇଥିଲା । ଜିଲ୍ଲାକୁ ଆହୁରି ଅଧିକ ସଂଖ୍ୟକ ଡାକ୍ତର ଦିଆଯାଉଥିବା ଶ୍ରୀ ମହାପାତ୍ର ଅବଗତ କରାଇଥିଲେ । କୌଣସି ଠାରେ କୌଣସି ଅଧିକାରୀ ନିଜ କାର୍ଯ୍ୟରେ ଅବହେଳା କରୁଥିବା ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୁଦ୍ଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ଜଣାଇଥିଲେ ।
ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୋଲ୍ ପଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପ୍ରିନସିପାଲ ଡା. ଦିପ୍ତୀମୟୀ ତ୍ରିପାଠୀ, ଚେୟାର୍ ମ୍ୟାନ୍ ଅଶ୍ବିନୀ ଙସ୍ପିଟାଲ ଡା. ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here