ଗଞ୍ଜାମ ଜିଲ୍ଲାପାଳଙ୍କ ବାର୍ତ୍ତା, “ସତର୍କ ରହିଲେ କରୋନା ସଂକ୍ରମଣ ହେବ ନାହିଁ ” 

0
960

ଛତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଳାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ଓ ସ୍ବାସ୍ଥ୍ୟ ଚିକିତ୍ସକ ମାନଙ୍କୁ କୋଭିଡ୍ ୧୯ ପରିଚାଳନାଗତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ସତର୍କତା ଉପରେ ଗୁରୁତ୍ବ ଆରୋପ କରିଥିଲେ  ।
   
ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଜଣେ କୋଭିଡ୍ ସମ୍ପର୍କିତ ପରିଚାଳକ ମନିଟର ରହିବେ, ସେମାନେ କାର୍ଯ୍ୟାଳୟରେ କୋଭିଡ୍ ସଂକ୍ରମଣକୁ ରୋକିବା ନିମନ୍ତେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବେ  । ବିଶେଷକରି କାର୍ଯ୍ୟାଳୟରେ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ, କାର୍ଯ୍ୟାଳୟ ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ କାର୍ଯ୍ୟ କରିବା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ  । ମାସ୍କ ଗୁଡିକ ଚଉଡା ହେବା ଦରକାର ଯାହାକି ଉଭୟ ନାକ ଓ ପାଟିକୁ ଭଲଭାବେ ଘୋଡାଇ ରଖିପାରିବ  । ବ୍ଲକ୍  ଏବଂ ଗ୍ରାମାଞ୍ଚଳ ସ୍ତରରେ ସରପଞ୍ଚ ମାନଙ୍କ ସହିତ ମିଶି କୋଭିଡ୍ ପରିଚାଳନାଗତ ସଭା କରିବେ  । ଗାଁ ରେ ଦେଖାଦେଉଥିବା ସମସ୍ୟା ଗୁଡିକ ସରପଞ୍ଚ ମାନଙ୍କ ଦୃଷ୍ଟିକୁ ଆଣିବାପାଇଁ ଜିଲ୍ଲାପାଳ ଜଣାଇଥିଲେ  । କୋଭିଡ୍ ପରିଚାଳନାଗତ ସଭାସ୍ଥଳ ଗୁଡିକ ଖୋଲା ସ୍ଥାନରେ ଆଯୋଜନ କରିବାପାଇଁ ପରାମର୍ଶ ଦେଇଥିଲେ, ଯଦି କୋଠରୀରେ ଆୟୋଜିତ ହେଉଛି ତେବେ ଝରକା କବାଟ ଖୋଲା ରଖିବା  ଓ ସାନିଟାଇଜେସନ୍ କରିବା, କୌଣସି ଚୌକିରେ ତଉଲିଆ ନ ପକାଇବା, ପ୍ଲାଷ୍ଟିକ୍ ଚୌକି ବ୍ୟବହାର କରିବା ଓ ସଭା ଶେଷ ହେବା ପରେ ସେ ଗୁଡିକ ସଫା କରିବା  ଦିଗରେ ଦୃଷ୍ଟି ଦେବାକୁ କହିଥିଲେ  । ଯେତେଦୂର ସମ୍ଭବ ଟେବୁଲ ବ୍ୟବହାର ନ କରିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ  । ଦୈନିକ ଦୁଇଥର ନିଜ ପୋଷାକ ଓ ବ୍ୟବହାର କରୁଥିବା ମାସ୍କର ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଥିଲେ  । ଅଧିକାରୀ, କର୍ମଚାରୀ ସତର୍କତା ଅବଲମ୍ବନ ନକଲେ ସଂକ୍ରମିତ ହେବାର ଆଶା ରହୁଛି  । ବିନା କାରଣରେ କୌଣସି ଲୋକଙ୍କୁ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବା ବାରଣ  କରିଥିଲେ । ବିଶେଷ କରି  ଅଧିକାରୀଗଣ ବ୍ୟବହାର କରୁଥିବା ଗାଡିର ଡ୍ରାଇଭରକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ  । ଡ୍ରାଇଭର ମାନେ ଏଣେତେଣେ ନ ବୁଲିବା ଏବଂ ବାହାର ଖାଦ୍ୟ ନ ଖାଇବାପାଇଁ ପରାମର୍ଶ ଦେଇଥିଲେ ।
      କ୍ବାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ନିୟମିତ ଖାଦ୍ୟ ଉପଲବ୍ଧ, ଡାକ୍ତରଙ୍କ ଉପସ୍ଥିତି, ସାମାଜିକ ଦୂରତ୍ବ ରକ୍ଷା, ପରିବେଶ ସ୍ବଚ୍ଛ ଓ ସାନିଟାଇଜେସନ୍ ଇତ୍ୟାଦି ଦିଗରେ କଡା ନଜର ରଖିବା ପାଇଁ ପରାମର୍ଶ ଦେଇଥିଲେ  । ଯେଉଁମାନେ କ୍ବାରେଣ୍ଟାଇନ୍ ସେଣ୍ଚଟରରେ ଅଛନ୍ତି ସେମାନଙ୍କ ପରିବାର ବର୍ଗଙ୍କ ଫୋନ୍ ନମ୍ବର ରଖନ୍ତୁ ଏବଂ ପରିବାର ବର୍ଗଙ୍କୁ କ୍ବାରେଣ୍ଟାଇନ୍ ରେ ରହିଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଜଣାନ୍ତୁ ଯଦ୍ବାରା ସେମାନେ ଚିନ୍ତିତ ହେବେ ନାହିଁ  ।
      ପ୍ରତି ଓ୍ବାର୍ଡରେ ଜଣେ ଲେଖାଏଁ କମ୍ୟୁନିଟି କୋଭିଡ୍ ମନିଟର୍ ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ  । ସେମାନେ ଦୈନିକ ତଥ୍ୟ ପ୍ରଦାନ କରିବା ସହ ସତର୍କତା ପ୍ରତି ସଚେତନତା ସୃଷ୍ଟି କରିବେ  ।
       କୋଭିଡ୍ କେୟାର ସେଣ୍ଟର ଓ କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରଖିବାପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ  । ନୂଆକରି ଆସୁଥିବା ବ୍ୟକ୍ତିଙ୍କୁ ନିଶ୍ଚିତ କୋଭିଡ୍ କେୟାର ସେଣ୍ଟରରେ ରଖାଯାଉ  । ରାସ୍ତା ବନ୍ଦ କରି ରଖିବା, ପ୍ରସ୍ତୁତ ଖାଦ୍ୟ ପ୍ରବେଶକୁ ନିଷିଦ୍ଧ କରିବା, ପାନ ଓ ଗୁଟଖା ଖାଇବା ଇତ୍ୟାଦି ତଦାରଖ କରିବା ସହିତ ଆମସ୍ବାସ୍ଥ୍ୟ ଆମ ଦାୟିତ୍ବ ପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ  ।
      ସଚେତନତା ଜାରି ରଖିବା ସହିତ ଚଢାଉ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ଚଢାଉ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ, କାହାକୁ ସ୍ପର୍ଶ କରନ୍ତୁ ନାହି  । କିଭଳି ସତର୍କତାର ସହିତ ଚଢାଉ କରିବେ ସେ ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଇଥିଲେ  ।
    ତେଜରାତି ଦେକାନ ଗୁଡିକ ଲୁଚାଛପାରେ ଖୋଲି ବିକ୍ରିବଟା ଚାଲିଛି ଯଦ୍ବାରା ଦୋକାନୀଗଣ ଆକ୍ରାନ୍ତ ହେଉଛନ୍ତି  । ତେଣୁ ଦୋକାନୀ ମାନଙ୍କୁ ସତର୍କ ରହିବାପାଇଁ ପରାମର୍ଶ ଦେଇଥିଲେ  ।
   ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ କୌଣସି ଠାରେ ଗହଳି କରନ୍ତୁ ନାହିଁ, ଖେଳପଡିଆକୁ ଯିବାକୁ ମନା କରିଥିଲେ, ଦୋକାନୀ ଠାରୁ ସାମଗ୍ରୀ କିଣିଲା ବେଳେ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ନିହାତିଭାବେ  ମାସ୍କର ବ୍ୟବହାର କରିବା, ପନିପରିବା କିଣିଲା ବେଳେ ଗୋଟିଏ ଠାରେ ଜମା ହୋଇ ନ କିଣିବାକୁ ପରାମର୍ଶ ଦେଇଥିଲେ  ।
    ପନିପରିବା ବଜାରରେ ବିକ୍ରି ନ କରି ଠେଲା ଗାଡିରେ ବିକ୍ରି କରିବାକୁ ପ୍ରୋତ୍ସାହନ ଦେବାକୁ କହିଥିଲେ  । ପରିବା ବିକାଳୀ ଛତାଧରି ଠେଲାଗାଡିରେ ବିକ୍ରି କରନ୍ତୁ ଯଦ୍ବାରା ଜନ ସାଧାରଣ ନିଜ ଘର ନିକଟରେ ପରିବା ପାଇବେ  ।
       ଯେଉଁମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ସେମାନେ ଲକ୍ଷଣମାନ ଲୁଚାନ୍ତୁ ନାହିଁ , ତାଙ୍କର ସମସ୍ତ ଚିକିତ୍ସା ପ୍ରଶାସନ ଦ୍ବାରା କରାଯିବ  । ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ ଔଷଧ ସେବନ କରନ୍ତୁ ନାହିଁ  । ଦେହରେ ସଂକ୍ରମଣ ହୋଇଥିବା ଜଣା ପଡିବ ନାହିଁ  । ଦେହରେ ଜ୍ବର ଥିଲେ ପାରାସିଟାମୋଲ ଔଷଧ ସେବନ ଦ୍ବାରା ଜ୍ବର କମିଯିବ କିନ୍ତୁ କୋଭିଡ୍ ଲକ୍ଷଣ ଦେହରେ ରହିଥିବ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଗୁରୁତର ହେବ  । ଜୁଲାଇ ମାସରେ ଯେମିତି ଜିଲ୍ଲା କୋଭିଡ୍ ମୁକ୍ତ ହେବ ସେଥିପ୍ରତି ସମସ୍ତଙ୍କର ସହଯୋଗ କାମନା କରିଥିଲେ  ।
 
         ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜାତୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ୍ ଅଧିକାରୀ ଉପସ୍ଥିତ ଥିଲେ  ।

LEAVE A REPLY

Please enter your comment!
Please enter your name here