୧୬ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0
335

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ ସାହୁ)ସାରା ରାଜ୍ୟରେ ବନ୍ଦେ ଉକ଼ଳ ଜନନୀର କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ଭେଜିପୁଟ ଫାଣ୍ଡି ସମ୍ମୁଖରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।ଦୁଇ ଭଉଣୀ ରାସ୍ତା ପାର ହେଉଥିବା ବେଳେ ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ିଯାଇ ଥିଲା । ଘଟଣା ସ୍ଥଳରେ ବଡ ଭଉଣୀ ର ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ଭେଜିପୁଟ ଗ୍ରାମର ସହଦେବ ମହାରଣାଙ୍କ ଦୁଇ ଝିଅ ପୁଷ୍ପାଞ୍ଜଳି ମହାରଣା ଓ ରୋଜି ମହାରଣା ଦୁହେଁ ଆଜି ଅପରାହ୍ନ କୌଣସି ଏକ କାମରେ ରାଜପଥ ପାର ହେଉଥିବା ବେଳେ ବ୍ରହ୍ମପୁର ରୁ ଓ୍ବେଷ୍ଟବେଙ୍ଗଲ୍ ଅଭିମୁଖେ ଯାଉଥିବା ଏକ ଟ୍ରକ WB 41 G 0014 ସେମାନଙ୍କ ଉପରେ ମାଡ଼ିଯାଇ ଥିଲା । ଘଟଣା ସ୍ଥଳରେ ବଡ଼ ଭଉଣୀ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଭଉଣୀ ରୋଜିଙ୍କୁ ଗୁରୁତର ଅବସ୍ଥାରେ ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ନିଜ ଗାଡ଼ିରେ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ରୋଜିଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ଡ଼ାକ୍ତର ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଇଥିଲେ । ଦୁର୍ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଗେହ୍ଲା ଭଉଣୀ ପୁଷ୍ପାଞ୍ଜଳୀର ଶବକୁ ଦେଖି ହତବାଗ୍ ହୋଇପଡ଼ିଛି ଭାଇ ସନ୍ଦିପ୍ । ସେପଟେ ମା କୁମାରୀ ଓ ବାପା ସହଦେବଙ୍କ ଉପରେ ସତେ ଜେମିତି ପାହାଡ଼ ଖସିପଡ଼ିଛି ଦୁହିଁଙ୍କ ଉପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ରାଜପଥ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଛତ୍ରପୁର SDPO ଗୌତମ କିଷାନ, ତହସିଲଦାର ଚକ୍ରଧର ପାଢ଼ୀ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ପରେ ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଅଟକ ରହିଥିବା ସୂଚନା ମିଳିଛି । ସେପଟେ ରେଡକ୍ରସ ପାଣ୍ଠିରୁ ତହସିଲଦାର ଉକ୍ତ ପରିବାର ଲୋକଙ୍କୁ ୨୦ ହଜାର ଟଙ୍କା ଦେବା ସହ ସମବେଦନା ଜଣାଇଥିଲେ । ଏପରି ଏକ ଅଭାବନୀୟ ଘଟଣା ସାରା ଅଞ୍ଚଳରେ ସୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here