ଭାତ ପାଇଁ ନାଟ ; ରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ

0
362

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ବୁଧବାର ବାସିଖାଦ୍ୟ ଦିଆଯାଇଥିବାରୁ ପ୍ରବାସୀ ଓଡ଼ିଆ ଅନ୍ତେବାସୀମାନେ ବିଦ୍ୟାଳୟ ପାଚେରୀ ଡେଇଁ ରାସ୍ତା ଅବରୋଧ କରିଥିଲେ। ଖବରପାଇ ପ୍ରଶାସନ ଓ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଠୁରୁବୁରାଇ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ପ୍ରାୟ ୧୧୫ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଜିଲ୍ଲା ପ୍ରଶାସନ ର ଖାଦ୍ୟ ତାଲିକା ଅନୁଯାୟୀ ବୁଧବାର ମଧ୍ୟାହ୍ନଭୋଜନରେ ଅନ୍ତେବାସୀଙ୍କୁ ଭାତ ଓ ଅଣ୍ଡା ତରକାରି ଦିଆଯାଇଥିଲା। ଯେଉଁମାନେ ଆମିଷ ନ ଖାଇବେ ସେମାନଙ୍କ ପାଇଁ ସୋୟାବିନ୍‌ ତରକାରି ମଧ୍ୟ ହୋଇଥିଲା। ମାତ୍ର ଖାଦ୍ୟ ପରଷା ଯିବା ବେଳେ ବାସିଭାତ ଦିଆଯାଇଥିବାରୁ ପ୍ରବାସୀ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଏହାର ପ୍ରତିବାଦ କରି ସମସ୍ତ ଅନ୍ତେବାସୀ ବିଦ୍ୟାଳୟ ପାଚେରୀ ଡେଇ ସମ୍ମୁଖ ରାସ୍ତାକୁ ଉପରକୁ ଆସି ଅବରୋଧ କରିଥିଲେ। ଫଳରେ ହିଞ୍ଜିଳି-କଙ୍କୋରଡା ରାସ୍ତାରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଖବରପାଇ ଶେରଗଡ଼ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦୟାସିନ୍ଧୁ ପରିଡା ଏବଂ ହିଞ୍ଜିଳିକାଟୁ ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ। ମଙ୍ଗଳବାର ରାତିର ବଳକା ଭାତକୁ ଆଉଥରେ ରାନ୍ଧି ଦିଆଯାଇଥିବା ପ୍ରବାସୀ ଅନ୍ତେବାସୀ ମାନେ ଅଭିଯୋଗ କରି ବିଡିଓଙ୍କୁ ତାହା ଦେଖାଇଥିଲେ। ବୁଝାଶୁଝା ପରେ ଅନ୍ତେବାସୀମାନେ ରାସ୍ତାରୁ ଉଠି କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଯାଇଥିଲେ। ବିଡିଓ ଓ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅନ୍ତେବାସୀ ଙ୍କୁ ପୁଣି ଥରେ ଭାତ ରାନ୍ଧି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here