କୋଭିଡ-୧୯ ର ସୁଯୋଗ ନେଇ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର

0
346

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):କରୋନା ଭାଇରସର ସଂକ୍ରମଣ ଦିନକୁଦିନ ବଢିଚାଲିଥିବାବେଳେ ଗଞ୍ଜାମ ଜିଲାରେ ଏହାର ହାର ବେଶ ଅଧିକ l ମାତ୍ର କିଛିଦିନ ତଳେ ଗ୍ରୀନ ଜୋନରେ ସୁରକ୍ଷିତ ଥିବା ଗଞ୍ଜାମ ସୁରାଟ ଫେରନ୍ତାଙ୍କ ଆଗମନ ପରେ ହଠାତ ରେଡ ଜୋନକୁ ଛଲାଙ୍ଗ ଲଗାଇଛି l ସମସ୍ତେ ଏଥିପାଇଁ ଭୟର ବାତାବରଣରେ ଥିଲାବେଳେ କିଛି ଅସାମାଜିକ ତତ୍ତ୍ୱ ପାଇଁ ଏହି ସମୟ ପୁଷ ମାସ ପାଲଟିଛି l ଲୋକଙ୍କ ଚଳପ୍ରଚଳ ବନ୍ଦ ଥିବା ସୁଯୋଗ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି l ଶିକାରୀ ମାନେ ସାଧାରଣତଃ ମଧ୍ୟାହ୍ନ ସମୟକୁ ଉଚିତ ମଣି ଶିକାରରେ ବାହାରି ବ୍ଲକର ବେରୁଆଁବାଡ଼ି, କାଳିମେଘି, ସାନଉସ୍ତାପଡା ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମର ନିଛାଟିଆ ଅଞ୍ଚଳ ଦେଖି ନିରୀହ ପକ୍ଷୀ ମାନଙ୍କୁ ଶିକାର କରିବା ଦେଖାଯାଉଛି l ଏହାସହ ବିଭିନ୍ନ ଜଙ୍ଗଲରେ ବାରହା, କୁଟ୍ରା, ସମ୍ବର, ହରିଣ ଆଦି ଶିକାର ହେଉଥିବା ଅଭିଯୋଗ ଆସୁଛି l ନିକଟରେ ସାନ ଉସ୍ତାପଡା ଗ୍ରାମରେ ଏକ ମୟୁର ଶିକାରୀକୁ ଗ୍ରାମବାସୀ ବନବିଭାଗ ଜିମାରେ ଦେଇଥିଲେ l 

      ସରକାର ବନ୍ୟ ସମ୍ପଦ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବିଭିନ୍ନ ଆଇନ ପ୍ରଣୟନ କରି ଦୋଷୀକୁ କଠୋର ଦଣ୍ଡଦେବା ବ୍ୟବସ୍ଥାର ପ୍ରାବଧାନ କରିଛନ୍ତି l କିନ୍ତୁ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଛି l ବନବିଭାଗ ଓ ମାଫିଆ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜନସାଧାରଣଙ୍କ ଅଗୋଚରରେ ବହୁତ କିଛି ଘଟୁଥିବା ନଜିର ରହିଛି l  ତେଣୁ ଏଥିପ୍ରତି ଜନସାଧାରଣ ସଜାଗ ରହିବା ସହ ବନବିଭାଗ ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି l ନଚେତ ଏହି ନିରୀହ ପ୍ରାଣୀ ଗୁଡିକ ଅଞ୍ଚଳରୁ ଲୋପପାଇବାକୁ ବେଶିଦିନ ଲାଗିବନି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି l 

LEAVE A REPLY

Please enter your comment!
Please enter your name here