ଘରେ ନପଶୁଣୁ ବାଜିଲା ଚାଳ

0
675

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ପ୍ରବାସୀ ଓଡ଼ିଆଙ୍କ ଫେରିବା ନେଇ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି l ସରକାରୀ ସ୍ତରରେ ଅନ୍ୟ ରାଜ୍ୟର ପ୍ରତିପକ୍ଷ ସହ ଆପୋଷ ବୁଝାମଣା ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅନୁମତି ବି ମିଳିଛି l ସମସ୍ତ ଫେରନ୍ତାଙ୍କ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ପ୍ରଶାସନକୁ ନିର୍ଦେଶ ରହିଛି l ବ୍ଲକ ସ୍ତରରେ ବିଡ଼ିଓ ଓ ତହସିଲଦାର ଓ ପୁଲିସ ପ୍ରଶାସନଙ୍କ ତତ୍ତ୍ୱାବଧାନରେ ବ୍ଲକର ସମସ୍ତ ପଞ୍ଚାୟତରେ ସଙ୍ଗରୋଧ ଗୃହ ପ୍ରସ୍ତୁତି ଯୁଦ୍ଧ କାଳୀନ ଭିତିରେ ଚାଲିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଏଥିପାଇଁ ଅଣ୍ଟା ଭିଡିଛନ୍ତି l ସଙ୍ଗରୋଧ ଗୃହରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସ୍ଥାନୀୟ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ମଧ୍ୟ ପ୍ରଧାନ କରାଯାଇଛି l କିନ୍ତୁ ଏସବୁ ବ୍ୟବସ୍ଥାର ସଠିକ କାର୍ଯ୍ୟକାରିତାର ରୂପରେଖକୁ ନେଇ ଓଡିଶାବାସୀ ବିଶେଷ କରି ଗଞ୍ଜାମବାସୀଙ୍କ ମନରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଥିବାବେଳେ ଯେଉଁ ଆଶଙ୍କା କରୁଥିଲେ ତାହା ବାସ୍ତବରୂପ ନେବାକୁ ବସିଲାଣି l ସଙ୍ଗରୋଧ ଗୃହରେ ଫେରନ୍ତାମାନେ ଅନୁଶାସନରେ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଘରେ ନପଶୁଣୁ ଚାଳ ବାଜିଲାଣି l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ରବିବାର ଦିନ ଘଟିଥିବା ଘଟଣା ସରକାରଙ୍କୁ ଚିନ୍ତାରେ ପକାଇବା ସହ ବ୍ଲକବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି l  କାରଣ ଶନିବାର ଦିନ ପ୍ରଥମ କରି ସୁରାଟରୁ ଫେରି ରାତ୍ରରେ ବେଗୁନିଆପଡା ବ୍ଲକର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରାୟ ୨୫୦ ପ୍ରବାସୀ ରବିବାର ସକାଳୁ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକଟ କରି ନିଜରାସ୍ତା ନିଜେ ବାଛିବାରେ ଲାଗିଛନ୍ତି l ରାଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ଏବଂ ବେଗୁନିଆପଡା ସ୍ଥିତ ଜନତା ହାଇସ୍କୁଲରେ ଥିବା ଏହି ପ୍ରବାସୀମାନେ ସକାଳୁ ସକାଳୁ ନିଜନିଜ ବ୍ୟାଗ ଧରି ଏଣେତେଣେ ବୁଲିବା ଦେଖି କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ବୁଝାସୁଝା କରିଥିଲେବି କୌଣସି କାମ ଦେଇନଥିଲା l ପରିସ୍ଥିତି ଅଣାୟତ୍ତ ହୋଇଥିବା ଖବରପାଇ ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମୃତ କୁଲାଙ୍ଗେ, ଏସପି ବ୍ରିଜେଶ ରାୟ,  ବେଗୁନିଆପଡା ବିଡ଼ିଓ ଦେବବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ପହଂଚି ସ୍ଥିତି ସମୀକ୍ଷାକରି ସେମାନଙ୍କୁ ଫେରାଇ ଆଣିବା ପାଇଁ ଯୋଜନା ଚଳାଇଛନ୍ତି l କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଓ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ  ନେତୃତ୍ୱରେ ଆରକ୍ଷୀ କର୍ମୀମାନେ ଫେରାର ଶ୍ରମିକଙ୍କ ସନ୍ଧାନରେ ଅଛନ୍ତି l ସୂଚନାଯୋଗ୍ୟ କିଛି ପ୍ରବାସୀ ସଙ୍ଗରୋଧ ଗୃହକୁ ଫେରିଥିବା ବେଳେ କିଛି ଅନୁପସ୍ଥିତ ଅଛନ୍ତି l  

LEAVE A REPLY

Please enter your comment!
Please enter your name here