କାଜୁ ପାଇଁ ମହାଭାରତ ; ଜଣେ ମୃତ ଦୁଇ ଆହତ

0
964

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା / ଭଞ୍ଜ କିଶୋର ମହାରଣା ) :ଏକ ଅଭାବନୀୟ ଘଟଣାକ୍ରମରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତାଳସର ପଞ୍ଚାୟତ ଖିଡ଼ିଙ୍ଗି କାଜୁ ଜଙ୍ଗଲରେ ବୋମାମାଡ଼ ଘଟି ଜଣଙ୍କର ମୃତ୍ୟୁ ଘଟି ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି l ମୃତକ ଜଣକ ହେଲେ ବଡ ଖଇରୀଖମା ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଜବଳା ଗ୍ରାମର ପ୍ରଭା ବିଶ୍ୱାଳ (୩୬) lପ୍ରାପ୍ତ ବିବରଣୀରୁ ପ୍ରକାଶ ଆଜି ସକାଳ ଆଠଘଣ୍ଟ ସମୟରେ କାଜୁ ତୋଳିବା ପାଇଁ ଲିଜଧାରୀଙ୍କ ସହ କିଛିଲୋକ ଯାଇଥିଲେ l ସେହି ସମୟରେ ବିପକ୍ଷ ଗୋଷ୍ଠୀ ମାରଣାସ୍ତ୍ର ସହ ପହଂଚି ବୋମାମାଡ଼ କରିଥିଲେ l ଏଥିରେ ପ୍ରଭା ବିଶ୍ୱାଳ ଓ ଅନ୍ୟମାନେ ଆହତ ହୋଇଥିଲେ l ଆହତଙ୍କୁ ଖଲ୍ଲିକୋଟ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ପ୍ରଭା ବିଶ୍ୱାଳଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ମୃତ ପ୍ରଭାଙ୍କ ଭାଇ କୋଦଳା ଥାନାରେ ଏତଲା ଦେବାପରେ ଖବରପାଇ ଘଟଣାସ୍ଥଳରେ ଗଞ୍ଜାମ ଏସପି ବ୍ରିଜେଶ ରାୟ, ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ୱାଇଁ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସମେତ ପୁରୁଷୋତ୍ତମପୁର ଆଇଆଇସି , କବିସୂର୍ଯ୍ୟନଗର ଆଇଆଇସି, ପୋଲସରା ଆଇଆଇସି ଆଦି ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ବେଳେ ସାଇଣ୍ଟିଫିକ ଦଳ ପହଂଚି ଘଟଣାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରୁଛି l ସୂଚନାଯୋଗ୍ୟ ତାଳସର ଓ କୁମ୍ଭାରଗାଁ ପଞ୍ଚାୟତ ଅନ୍ତର୍ଗତ ଖିଡ଼ିଙ୍ଗି କାଜୁ ଜଙ୍ଗଲ ପ୍ରାୟ ସାତ କିଲୋମିଟର ଯାଏଁ ପରିବ୍ୟାପ୍ତ lଏହି କାଜୁ ଜଙ୍ଗଲ ଉପରେ ବିଭିନ୍ନ ଗ୍ରାମର ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ ସୁରକ୍ଷା ଓ ଅଧିକାର ଆଇନ ଦ୍ୱାହିଦେଇ ପ୍ରାୟ ଚାଳିଶି ପ୍ରତିଶତ ଭାଗ ଅଧିକାର କରିଆସୁଥିବାବେଳେ ବାକି ଷାଠିଏ ପ୍ରତିଶତ ଭାଗ ଉପରେ ପ୍ରତି ତିନିବର୍ଷରେ ଥରେ ଲିଜ ହୁଏ l ଏହା ମଧ୍ୟରେ କିଛି ରାଜନୈତିକ ଦଳର ନେତାଙ୍କ ମହତ୍ୱାକାଂକ୍ଷା ବି ସାମିଲ ରହୁଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ l ଗତ ୨୦୧୨ ମସିହାରୁ ଏହି ଜଙ୍ଗଲର ଲିଜ ନେଇ ଦୁଇଗୋଷ୍ଟି ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗିରହିଛି l ପୂର୍ବରୁ ମଧ୍ୟ ଦୁଇଗୋଷ୍ଟି ମଧ୍ୟରେ ଝଗଡା ହୋଇ କେହି କେହି ହତାହତ ହୋଇଥିବା ମଧ୍ୟ ନଜିର ରହିଛି l ଏହାକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି l

LEAVE A REPLY

Please enter your comment!
Please enter your name here