ଖଲ୍ଲିକୋଟକୁ ସବ୍ଡିଭିଜନ ପ୍ରତିଷ୍ଠା ଦାବି ରଖିଲା ଓକିଲ ସଂଘ

0
633

ଗଂଜାମ ୨୨/୭ (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଖଲ୍ଲିକୋଟ ବାର ଆସୋସିଏସନ ତରଫରୁ ୩୧ତମ ପ୍ରତିଷ୍ଠା ଦିବସ ସଂଘର ସଭାପତି ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ ମାନ୍ୟବର ଶ୍ରୀନିବାସ ପ୍ରତିହାରୀ ଓ ମାନ୍ୟବର ସବଜଜ ଅଲେଖ ପ୍ରଧାନ ଓ ମାନ୍ୟବର ଜେ ଏମ୍ ଏଫ ସି ଶାନ୍ତାଶ୍ରୀ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓକିଲମାନଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ | ଏତଦବ୍ୟତୀତ ଖଲ୍ଲିକୋଟ ଓକିଲ ସଂଘର ପୂର୍ବତନ ସଭାପତି ବନବିହାରୀ ଦାସ, ବିପ୍ର ଚରଣ ସାହୁ, ସିମାଞ୍ଚଳ ବେହେରା, ବିନାୟକ ସାହୁ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଆଇନଜୀବୀ ନିଜନିଜର ମତ ବ୍ୟକ୍ତ କରିଥିଲେ। ତୁରନ୍ତ ଖଲ୍ଲିକୋଟକୁ ଏକ ନୂତନ ସବ ଡିଭିଜନ ଘୋଷଣା ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ବୈଠକରେ ଖଲ୍ଲିକୋଟ ଠାରେ ୩ଗୋଟି କୋର୍ଟ ପ୍ରତିଷ୍ଠା କ୍ଷେତ୍ରରେ ଖଲ୍ଲିକୋଟ ରାଣୀ ସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ଅକୁଣ୍ଠ ସହଯୋଗର ପ୍ରଶଂସା କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ବିଚାରପତିମାନଙ୍କୁ ବରିଷ୍ଠ ଆଇନଜୀବୀ ବନବିହାରୀ ଦାସ , ବିପ୍ରଚରଣ ସାହୁ ଓ ଗଣେଶ ପଲାଇ ପ୍ରମୁଖ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସଂଘର ସମ୍ପାଦକ ନୀଳାମ୍ବର ଶତପଥିଙ୍କ ସମେତ ବହୁ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here