ବେଗୁନିଆପଡା ବ୍ଲକରେ ଲକ ଡାଉନ ବିଶ୍ଳେଷଣ ; ଆମାନିଆକୁ ——— ପାନଖିଲ

0
680

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : କୋରନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୧ ଦିନିଆ ଲକ ଡାଉନ ଘୋଷଣାକୁ ଦଶ ଦିନ ପୁରିଲା l ଲକ ଡାଉନକୁ ସଫଳ କରିବା ସକାଶେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧନୀ, ଗରିବ, ଛୋଟ, ବଡ଼ ସମସ୍ତେ ପ୍ରାୟତଃ ଅଳ୍ପବହୁତ ଦାଇତ୍ୱ ନିର୍ବାହ କରିଆସୁଛନ୍ତି l କରୋନା ମୁକାବିଲାରେ ବିଶ୍ୱର ସ୍ଥିତି ଯାହାଥାଉନା କାହିଁକି ଭାରତ ତଥା ଓଡିଶାରେ ଏହା ପ୍ରଶଂସନୀୟ ମନେହୁଏ l ସରକାର ଏଥିପାଇଁ କଳ ବଳ କୌଶଳ ପ୍ରୟୋଗ କରି ଉଦ୍ୟମ ଚଳାଇଛନ୍ତି l ଏଥିରେ ସରକାରୀ କଳ ଠୁ ଆରମ୍ବ କରି ସବୁବର୍ଗର ଜନତା ସହଯୋଗ କରିବା ପରିଲକ୍ଷିତ ହେଉଛି l ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଲକ ଡାଉନକୁ ନେଇ ଲୋକଙ୍କ ମନରେ ଭିନ୍ନ ଧରଣର ଅନୁଭୂତି ଆସିଛି l ଆଗରୁ ଏଠାକାର ଲୋକେ ବାତ୍ୟା ସମୟରେ ଲକ ଡାଉନ ଭଳି ପରିସ୍ଥିତିର ସାମ୍ନା କରିଥିଲେ ବି ସ୍ୱାସ୍ଥ୍ୟ ଜନିତ ଲକ ଡାଉନରେ ଅଡୁଆ ପରିସ୍ଥିତିରେ ଜୀବନ ଅତିବାହିତ କରୁଛନ୍ତି l ଅଧିକାଂଶ ଲୋକ ଏହାକୁ ସମ୍ନାନ ଜଣାଇବା ଶ୍ରେୟସ୍କର ମଣୁଥିବା ବେଳେ କିଛି ଅମାନିଆଙ୍କ ଯୋଗୁଁ ଗ୍ରାମାଞ୍ଚଳରେ କୌତିକିଆ ପରିସ୍ଥିତି ଉପୁଜିଛି l ଲୋକଙ୍କୁ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ରେସନ, ଫଳ, ପନିପରିବା, କ୍ଷୀର, ମେଡ଼ିସିନ ଆଦି ଦୋକାନ ଖୋଲା ରହିବାକୁ ସରକାର ଅନୁମତି ଦେଇଛନ୍ତି l ହେଲେ ଏହାର ପ୍ରଭାବ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁନାହିଁ l ପୂର୍ବଭଳି ଗ୍ରାମ ପରିବେଶ ଯେମିତି ଥିଲା ଏବେବି ସେମିତି ରହିଛି lପୁଲିସ ଭୟରେ କିଛି ଦୋକାନ ବନ୍ଦ ଥିବା ଛାଡିଦେଲେ, ପିଲାଠୁ ଆରମ୍ଭ କରି ବଡ ଯାଏଁ ଏଣେତେଣେ ବୁଲିବା ଜାରିରହିଛି, ଛକ ଗୁଡିକରେ ଜମାହୋଇ ଗୁଲି ଖଟି କରିବା, ତାସ ଖେଳିବା, ସ୍ନାନ, ଶୌଚାଦି ପାଇଁ ସର୍ବସାଧାରଣ ପୋଖରୀ, କେନାଲ ଆଦି ବ୍ୟବହାର କରିବା, ପରସ୍ପରର ଘରକୁ ଯିବା ଆସିବା, ବସଉଠ ହେବା,ଆବଶ୍ୟକୀୟ ପଦାର୍ଥ ବିନା ସତର୍କତାର ମଗା ଯଚା ହେବା, ପିଲାମାନେ ସାଙ୍ଗହୋଇ ଖେଳକୁଦ କରିବା ଆଦି ଯଥା ପୂର୍ବଂ ତଥା ପରଂ ଜାରିରହିଛି l ଲୋକଙ୍କୁ ସଚେତନ କରିବା ପାଇଁ ସରକାର ପ୍ରତ୍ୟେକ ସ୍ତରରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି l ପ୍ରଶାସନ, ପୁଲିସ, ମିଡ଼ିଆ ସମସ୍ତେ ଏକାଧାରରେ ଲାଗିପଡିଛନ୍ତି l ଟିଭି, ସୋସିଆଲ ମିଡ଼ିଆ, ଫେସବୁକ, ହ୍ୱାଟ୍ସଅପରେ ସମସ୍ତେ ଏହାର ଭୟାଭୟତାର କୁପରିଣାମ ଦେଖୁଛନ୍ତି l ତଥାପି ଗ୍ରାମାଞ୍ଚଳର ପରିବେଶରେ କୌଣସି ପରିବର୍ତନ ପରିଲକ୍ଷିତ ହେଉନି l ଏହାକୁ ରୋକିବା ପାଇଁ ପୁଲିସ କର୍ମୀ ଆସିଲେ ଏଣେତେଣେ ଦୌଡିବା ଏକ ପ୍ରକାର ମଜାଳିଆ ସ୍ଥିତି ଉତ୍ପନ୍ନ ହେଉଛି l ବାଧ୍ୟହୋଇ ପୁଲିସ ଗୋଡେଇ ଗୋଡେଇ କିଛିକିଛି ଵ୍ୟକ୍ତିଙ୍କୁ ଖିଲେ ଦୁଇ ଖିଲ ପାନ ପ୍ରଦାନ କରୁଛି l ଯାହାକୁ ପାଇ ଲୋକେ କାନମୁଣ୍ଡ ଆଉଁସି ଘରକୁ ଯାଉଛନ୍ତି l ଏହା ଦେଖି କିଛି ଲୋକ ମଜା ମଧ୍ୟ ନେଉଛନ୍ତି l ବେଗୁନିଆପଡା ବ୍ଲକର ପ୍ରାୟ ସବୁ ଗ୍ରାମରେ ଏଭଳି ସ୍ଥିତି l ବେଳେବେଳେ ଗହଳି ଦେଖି କେହି ପୁଲିସ ପୁଲିସ ଚିତ୍କାର କଲେ ଲୋକେ ପ୍ରାଣ ବିକଳରେ ଦୌଡିବା କିଛି ଲୋକଙ୍କୁ ହସର ଖୋରାକ ଯୋଗାଉଛି l ମୋଟାମୋଟି ଭାବେ କହିବାକୁ ଗଲେ ଗ୍ରାମାଞ୍ଚଳରେ ଲକ ଡାଉନର ପ୍ରଭାବ କମିବାରେ ଲାଗିଲାଣି l ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ବେଗୁନିଆପଡା ପୁଲିସ କଠୋର ହୋଇ ୫୦ ରୁ ଉର୍ଦ୍ଧ ବାଇକ ଜବତ କରିଛି l ତେଣୁ ପ୍ରଶାସନକୁ ବି କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ପଡିବ l ନଚେତ ଲକ ଡାଉନର ସମୟ ସୀମା ଆଗକୁ ଯେ ନବଢିବ ଏହାର କିଛି ଗ୍ୟାରେଣ୍ଟି ନାହିଁ l

LEAVE A REPLY

Please enter your comment!
Please enter your name here