କନିଷ୍ଠ ଆଇନଜୀବୀମାନଙ୍କୁ ମିଳିବ ଆର୍ଥିକ ସହାୟତା

0
405

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଯୋଗୁଁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଥିବା ଫଳରେ କନିଷ୍ଠ ଆଇନ୍ଜୀବୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ବୁଧବାର ଅନୁଷ୍ଠିତ ପରିଷଦର ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯେଉଁ ଆଇନ୍ଜୀବୀମାନେ ୧୦ବର୍ଷରୁ କମ୍ ସମୟ ହେଲା ଏହି ପେସାରେ ଅଛନ୍ତି, ସେମାନଙ୍କୁ ହିଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ପରିଷଦର ବୈଠକରେ ପାରିତ ରିଜୋଲ୍ୟୁଶନରେ ଉଲ୍ଲେଖ କରାଯାଇଛି ଯେ, କ୍ଷତି ସହୁଥିବା ଆଇନ୍ଜୀବୀଙ୍କୁ ପରିଷଦର ଆଡଭୋକେଟ୍ସ ୱେଲଫେୟାର୍ କର୍ପସ ଫଣ୍ଡରୁ ଆର୍ଥିକ ସହାୟତା ଦିଆଯିବ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡ଼ିବ। ସେମାନେ ପ୍ରତିନିଧିତ୍ୱ କରୁଥିବା ସଂଘର ସଭାପତି ଓ ସମ୍ପାଦକଙ୍କ ପାଖରେ ଏହି ଆବେଦନପତ୍ର ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ହେବ। ଆବେଦନ ଗ୍ରହଣ କରିବା ପରେ ସଭାପତି ଓ ସମ୍ପାଦକ ସେଗୁଡ଼ିକୁ ଯାଞ୍ଚ କରିବେ। ପରେ ତାହାକୁ ବାର୍ ଆସୋସିଏସନ୍ ସଭାପତି ଓ ସଂପାଦକଙ୍କ ଦସ୍ତଖତ ଓ ସିଲ ସହିତ ରାଜ୍ୟ ଆଇନ୍ଜୀବୀ ପରିଷଦର ସମ୍ପାଦକଙ୍କ ପାଖରେ ଦାଖଲ କରିବେ। ଯେଉଁ ଆଇନ୍ଜୀବୀମାନେ ୧୫ବର୍ଷରୁ ଅଧିକ ସମୟ ହେଲା ଏହି ପେସାରେ ରହିଛନ୍ତି, ସେମାନେ କର୍ପସ ଫଣ୍ଡକୁ ଦାନ କରିବାକୁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଏପରି ପ୍ରକ୍ରିୟା ପାଇଁ ସମସ୍ତ ବାର୍ ଆସୋସିଏସନ୍ ସଭାପତି ଓ ସଂପାଦକଙ୍କୁ ଅନୁରୋଧ କରାଯିବ। ଏଥି ସହ ପାଣ୍ଠି ଯୋଗାଡ଼ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ଅନୁରୋଧ କରାଯିବ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆରେ ଓଡ଼ିଶା ରାଜ୍ୟ ଆଇନ୍ଜୀବୀ ପରିଷଦକୁ ପ୍ରତିନିଧିତ୍ୱ କରୁଥିବା ତଥା ବରିଷ୍ଠ ଆଇନ୍ଜୀବୀ ଡି.ପି. ଧଳଙ୍କୁ ଏଥିରେ ସହଯୋଗ ପାଇଁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆଡଭୋକେଟ୍ ଜେନେରାଲ୍ ତଥା ଓଡ଼ିଶା ରାଜ୍ୟ ଆଇନ୍ଜୀବୀ ପରିଷଦର ସ୍ୱତନ୍ତ୍ର କମିଟିର ଅଧ୍ୟକ୍ଷ ଅଶୋକ ପରିଜା, ଉପସଭାପତି ଏ.କେ. ବରାଳ ଏବଂ ସଦସ୍ୟ ଏମ୍.ଆର୍. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here