କରୋନା ଆତଙ୍କ : ଓଡ଼ିଶାରେ ପ୍ରଥମ ପଜିଟିଭ ଦଣ୍ଡଯାତ୍ରାନେଇ ସାଧାରଣରେ କୋକୁଆ ଭୟ

0
436

ବୁଗୁଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନା କୁ ଆନ୍ତର୍ଜାତିକ ସ୍ତରରେ ମହାମାରୀ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ଏହାକୁ ରାଜ୍ୟ ବିପତ୍ତୀ ଘୋଷଣା ଓ ପରେ ଭାରତ ସରକାର ଜାତୀୟ ବିପତ୍ତୀ ଘୋଷଣା ପରେ ଜନସାଧାରଣଙ୍କ ମଧରେ କକୁଆ ଭୟ ସୃଷ୍ଟି ହୋଇଛି।କରୋନା ର କରାଳ ରୂପ ଯେମିତି ସାରା ବିଶ୍ୱକୁ କବଳିତ କରି ଚାଲିଛି, ଏହା ମାନବ ସମାଜକୁ ନାଶ କରିଦେବ ବୋଲି ସାଧାରଣରେ ଧାରଣା ସୃଷ୍ଟି ହେଉଛି । କିଏ କହେ ଏହା ମାଳିକା ବଚନର ନୀତି ଅନୁସାରେ ଘଟୁଛି ତ ଆଉ କିଏ କହୁଛି ଦାର୍ଶନିକ ମାନେ କହିଥିବା ଭବିଷ୍ୟବାଣୀ କୁ ଆଧାର କରି ସାରା ବିଶ୍ୱ ଧ୍ବଂସ ହେବାକୁ ଯାଉଛି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୂତାଣୁ ବେଶ କିଛି ଦିନ ହେବ ଚୀନ ରେ ମୃତ୍ୟୁର ତାଣ୍ଡବ ରଚିବା ପରେ ଏବେ ଏହା ଦେଶରୁ ଦେଶ ବ୍ୟାପିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ,ଆଜି ଭୁବନେଶ୍ଵର କ୍ୟାପିଟାଲ ହସପିଟାଲରେ ଓଡ଼ିଶାର ପ୍ରଥମ ପଜିଟିଭ ଚିହ୍ନଟ ହୋଇଛି। କରୋନା ରେ ଆକ୍ରାନ୍ତ ହୋଇଥିବା ଏହି ଘଡିସନ୍ଧି ମୁହୂର୍ତ୍ତରେ କିଛି ଡାକ୍ତର କରୋନାର ପ୍ରତିଷେଧକ ଟୀକା ବାହାର କରିଥିବା କହୁଥିବା ବେଳେ ଆକ୍ରାନ୍ତ ରୋଗୀ ପାଇଁ ଏପର୍ଯ୍ୟନ୍ତ ଔଷଧ ବାହାରି ନାହିଁ। ଗୁଜବ ପ୍ରତି ଧ୍ୟାନ ନଦେଇ ଏହାକୁ କେବଳ ସଚେତନତା ମାଧ୍ୟମରେ ରୋକି ହେବ ବୋଲି ସରକାର ଦୃଢତାର ସହ ପ୍ରକାଶ କରିଛନ୍ତି। ସଚେତନତା କୁ ଆଧାର କରି ଆମ ରାଜ୍ୟ ଓଡ଼ିଶାରେ ଏହି ସଂକ୍ରମଣ କୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଆଦେଶ ଦେଇଥିବା ବେଳେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ବାରଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ସାରା ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି।ଏପରିକି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ଜିମ, ସୁଇମିଙ୍ଗପୁଲ ଏବଂ ବିଭିନ୍ନ ସ୍ଥାନର ଲୋକ ସାମୁହିକ ଭାବେ ଏକାଠି ହେଉଥିବା ସ୍ଥାନକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହାକୁ ନେଇ ଲୋକଙ୍କ ମନରେ ନାନା ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଛି । କାରଣ ଆଉ ମାତ୍ର ପନ୍ଦର ଦିନ ପରେ ଆରମ୍ଭ ହେବାକୁ ଯାଉଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ଯାତ୍ରା । ରୀତି ନୀତି ଅନୁସାରେ ଏହି ଯାତ୍ରା ଆରମ୍ଭ ହେବା ମାତ୍ରେ ରାଜ୍ୟ ତଥା ରାଜ୍ୟ ବାହାରେ କାମ କରୁଥିବା ଲକ୍ଷାଧିକ ଗଞ୍ଜାମ ବାସିନ୍ଦାଙ୍କ ସୁଅ ଛୁଟେ ନିଜ ଜନ୍ମ ମାଟିକୁ । ଏହି ଯାତ୍ରା ପାରମ୍ପରିକ ନୀତି ଅନୁସାରେ ବିଭିନ୍ନ ସ୍ଥାନରେ ୫ ତାରିଖରୁ କୋଡିଏ ଦିନ ଯାଏ ପାଳିତ ହୋଇଥାଏ । ସାରା ଗଂଜାମ ଜିଲ୍ଲା ଏହି ସମୟରେ ଉତ୍ସବ ମୁଖର ହେଉଥିବା ବେଳେ ଯାତ୍ରା ଦେଖିବାକୁ ବହୁ ସ୍ଥାନରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ।ସରକାରଙ୍କ ଏଭଳି ପରାମର୍ଶ ଏବଂ କରୋନାର ଭୟ ଏବେ ଗଞ୍ଜାମବାସୀଙ୍କୁ ଦୋଛକିରେ ଠିଆ କରିଛି । ନିଜର ମାନସିକ ପୂରଣ ପାଇଁ ଠାକୁରଙ୍କ ନିକଟରେ ଗୁହାରି କରି ଯାତ୍ରାକୁ ସଠିକ ରୂପେ ପାଳନ କରିବେ ନା କରୋନା ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବେ ଏନେଇ ଦ୍ଵନ୍ଦରେ ବହୁ ଭକ୍ତ ରହିଛନ୍ତି । ଏକ ଆକଳନରୁ ଜଣା ପଡ଼ିଛି ଯେ ଗଞ୍ଜାମରେ ପ୍ରାୟ ୧୬୦ ରୁ ଉର୍ଦ୍ଧ୍ଵ ଦଣ୍ଡୁଆ ଦଳ ରହିଛନ୍ତି । ସେମାନେ ପ୍ରତିଦିନ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ବୁଲି ଠାକୁରଙ୍କୁ ନେଇ ମାନସିକଧାରୀଙ୍କ ଘରେ ପୂଜା କରିଥାନ୍ତି।ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମକୁ ନେଇ କରୋନା ର ମୁକାବିଲା କରିବା କେବେ ବି ସମ୍ଭବ ହୋଇପାରିବ ନାହିଁ । ପ୍ରଶାସନର ପଦକ୍ଷେପକୁ ସମସ୍ତେ ଗ୍ରହଣ କରବା ନିତାନ୍ତ ଜରୁରୀ ବୋଲି ବୁଦ୍ଧିଜୀବି ବୃନ୍ଦ ମର ପ୍ରକାଶ କରିଛନ୍ତି।ତେବେ ଏ ନେଇ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସମୟ କହିବ।

LEAVE A REPLY

Please enter your comment!
Please enter your name here