ମହିଳା ଭାରଉତ୍ତୋଳନରେ ବୁଗୁଡା ପିପୁଲସ କଲେଜର ଛାତ୍ରୀ ପାଇଲେ ବ୍ରୋଞ୍ଜ ପଦକ

0
607

ବୁଗୁଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସର୍ବ ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଖେଲୋ ଇଣ୍ଡିଆ ରେ ବୁଗୁଡା ପିପୁଲସ କଲେଜ ଛାତ୍ରୀ ମହିଳା ଭାରଉତ୍ତୋଳନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଁ କଲେଜ ଓ ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ସର୍ବ ଭାରତୀୟ କ୍ରୀଡା ପ୍ରତିଯୋଗିତା ଖେଲୋ ଇଣ୍ଡିଆରେ ବୁଗୁଡା ପିପୁଲସ କଲେଜ ଛାତ୍ରୀ ପ୍ରମିଳା କ୍ରିଷ୍ଣାନୀ ମହିଳା ଭାର ଉତ୍ତୋଳନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ପାଇ କଲେଜ ଓ ଅଞ୍ଚଳ ପାଇଁ ଗୌରବ ଆଣିପାରିଥିବା ବେଳେ ଏହି ଖେଲୋ ଇଣ୍ଡିଆ ପ୍ରତିଯୋଗିତାର ପୁରୁଷ ଭାର ଉତ୍ତୋଳନ ପ୍ରତିଯୋଗିତାରେ ଏହି କଲେଜର ଛାତ୍ର ବାପୁଜୀ ବିଶ୍ୱାଳ ଚତୁର୍ଥ ସ୍ଥାନ ଅଧିକାର କରି କଲେଜ ପାଇଁ ମଧ୍ୟ ଗୌରବ ଆଣିଛନ୍ତି। ସେହିପରି ସର୍ବଭାରତୀୟ କବାଡି ପ୍ରତିଯୋଗିତା ପାଇଁ ଏହି କଲେଜର ଛାତ୍ର ଶ୍ରୀନିବାସ ମନୋନୀତ ହୋଇଛନ୍ତି। ଏହି ତିନିଜଣଙ୍କୁ କଲେଜ ପକ୍ଷରୁ ଶୁକ୍ରବାର ଦିନ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ସୁବାଷ ଚନ୍ଦ୍ର ପରିଡା ଓ ପ୍ରଫେସର ଏମ ଏନ ପଟ୍ଟନାୟକ ଯୋଗଦେଇ ପ୍ରମିଳା କ୍ରିଷ୍ଣାନୀ, ଶ୍ରୀନିବାସ ଓ ବାପୁଜୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଅଧ୍ୟପାକ କ୍ରିଷ୍ଣା ରାଓ ପାତ୍ର, ଅଧ୍ୟପାକ ଅକ୍ଷୟ କୁମାର ସାହୁ, ଅଧ୍ୟପାକ ରବୀନ୍ଦ୍ର ପୋଲାଇ, ଅଧ୍ୟପାକ ପ୍ରଦୀପ କୁମାର ଦାଶ, ଅଧ୍ୟପାକ ପ୍ରଭଞ୍ଜନ ମୁନି ପ୍ରମୁଖ ଯୋଗ ଦେଇଥିଲେ। ପରେ ଏହି ତିନି ଖେଳାଳିଙ୍କୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here