ଗଞ୍ଜାମ ଜିଲ୍ଲାପାଳଙ୍କ ସ୍ୱଚ୍ଛତା ଅନୁଧ୍ୟାନ;ମଦ ଦୋକାନୀକୁ ଲକ୍ଷେ ଓ ଅନ୍ୟ ୪ଦୋକାନୀଙ୍କୁ୧୦ହଜାର ଜୋରିମାନା

0
735

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ସମ୍ପାଦକ ପ୍ରଣୟ ପଣ୍ଡା ) : ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ବ୍ରହ୍ମପୁର ସହରର ବିଭିନ୍ନ ସାହି ବୁଲି ସ୍ୱଚ୍ଛତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳ ପ୍ରାୟ ସକାଳ ୬ଟା ସମୟରେ ସହରର ମହାନଗର ନିଗମର କାର୍ଯ୍ୟାଳୟରୁ ଏକ ସାଇକେଲରେ ବାହାରି ଗେଟ ବଜାର, ନୂଆ ବସଷ୍ଟାଣ୍ଡ, କୋର୍ଟପେଟା ଛକ, କମାପଲ୍ଲୀ ଛକ, କମାପଲ୍ଲୀ ଓଭରବ୍ରିଜ୍, ଲାଞ୍ଜିପଲ୍ଲୀ ଛକ ଭଳି ବିଭିନ୍ନ ସ୍ଥାନ ବୁଲିଥିଲେ ସ୍ୱଚ୍ଛତା ଦେଖିବା ନିମନ୍ତେ ।ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ସକାଳ ସମୟରେ ସହର କିଭଳି ଦେଖାଯାଉଛି ତାହା ଜାଣିବା ପାଇଁ ଜିଲ୍ଲାପାଳ ବିଭିନ୍ନ ସ୍ଥାନକୁ ବୁଲିଥିଲେ । ଏହି ସମୟରେ କର୍ପୋରେସନ ରୋଡ଼ରେ ଥିବା ଏକ ଦେଶି ମଦ ଭାଟି ସମ୍ମୁଖ ରୋଡ଼ ଉପରେ ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ମଦ ଭାଟି ମାଲିକଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରିଥିଲେ । ଏହାଛଡ଼ା ସହରର ବିଭିନ୍ନ ଛକରେ ରହିଥିବା ୪ଟି ଦୋକାନକୁ ଯଥା କମାପଲ୍ଲି ନିକଟରେ ରହିଥିବା ଏକ ଛତୁ ଦୋକାନୀ, ଲାଞ୍ଜିପଲ୍ଲୀ ନିକଟରେ ରହିଥିବା ଏକ ଜଳଖିଆ ଦୋକାନୀ ଏବଂ ଅନ୍ୟ ଦୁଇଟି ଦୋକାନୀ ଅଳିଆ ଆବର୍ଜନା ପକାଇଥିବା ଓ ପଲିଥିନ ବ୍ୟବହାର କରୁଥିବା ଯୋଗୁଁ ୧୦ ହଜାର ଲେଖାଏଁ ଜୋରିମାନା ଧାର୍ଯ୍ୟ କରି ଦୋକାନରୁ ପଲିଥିନ୍ ମଧ୍ୟ ଜବତ କରିଥିଲେ । ପୂର୍ବରୁ ସମସ୍ତ ବାଣିଜ୍ୟିକ ଅନୁଷ୍ଠାନ, ବିଭିନ୍ନ ଦୋକାନ ଏବଂ ଲୋକଙ୍କୁ ଅଳିଆ ଆବର୍ଜନା ପକାଇବା ନିମନ୍ତେ ଡ଼ଷ୍ଟବିନ୍ ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିବା ବେଳେ ଯେଉଁମାନେ ଏହାକୁ ପାଳନ ନ କରନ୍ତି ସେମାନଙ୍କ ବିରୁଦ୍ଧରେ ଏଭଳି ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି ମହାନଗର ନିଗମର ଡ଼େପୁଟି କମିଶନର । ତେବେ ସହରକୁ ସ୍ୱଚ୍ଛ ରଖିବା ନିମନ୍ତେ ଖୋଦ୍ ଜିଲ୍ଲାପାଳ ଅନୁଧ୍ୟାନ କରୁଥିବା ଯୋଗୁଁ ଏହାକୁ ସ୍ୱାଗତ କରିଛନ୍ତି ବ୍ରହ୍ମପୁର ବାସିନ୍ଦା । ଆଜି ଜିଲ୍ଲାପାଳଙ୍କ ସମେତ ମହାନଗର ନିଗମର ସାନିଟେଶନ ଇନ୍ସପେକ୍ଟର ଓ ଅନ୍ୟ କର୍ମକର୍ତ୍ତାମାନେ ସାଇକେଲରେ ବୁଲି ସହରର ସ୍ୱଚ୍ଛତା ଯାଞ୍ଚ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ସହରର ବ୍ୟବସାୟୀ ମାନେ ସ୍ୱଚ୍ଛତା ପ୍ରତି ଅଧିକ ସଚେତନ ହୋଇଥିବା ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here