ଅନାହାର ମୃତ୍ୟୁ ଅପେକ୍ଷାରେ ରୋଗାକ୍ରାନ୍ତ ଦୁର୍ଯ୍ୟୋଧନ;ଦୁଃଖ ଶୁଣିବାକୁ କେହିନାହିଁ

0
648

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) : ସ୍ୱାସ୍ଥ୍ୟ କ୍ଷେତ୍ରରେ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟ କରୁଛନ୍ତି l କିନ୍ତ ଅଧିକାଂଶ ସ୍ଥାନରେ ଏହାର ସଦୁପଯୋଗ ଠିକ ଭାବରେ ହେଉନଥିବା ପରିଲକ୍ଷିତ ହେଉଛି l କେଉଁଠି ପ୍ରଶାସନର ନଜର ଆଢୁଆଳରେ ହେଉ କିମ୍ବା ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ହେଉ ଏମିତି କିଛି ଘଟଣା ଘଟୁଛି ଯାହା ଦ୍ୱାରା ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ରହିଯାଉଛି l ଫଳରେ ଅନେକ ଲୋକ ଏହାର ସୁଫଳ ନପାଇ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି l
ଏଭଳି ଏକ ଘଟଣା ଘଟିବାକୁ ଯାଉଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ଗ୍ରାମରେ l ଗ୍ରାମର ଦୁର୍ଯ୍ୟୋଧନ ଦାସ(୬୫) ଏକ ଅଜଣା ରୋଗରେ ପୀଡିତ ହୋଇ ଛଟପଟ ହେଉଛନ୍ତି l ରହିବାକୁ ଘର ଖଣ୍ଡେ ନାହିଁ l ଦୁରାରୋଗ୍ୟ ଯୋଗୁଁ ପରିବାର ଠାରୁ ଦୁଇମାସ ହେଲା ଅଲଗା ହୋଇ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ଏକ ଦୋକାନ ପିଣ୍ଡାରେ ପଡ଼ିରହି ଛଟପଟ ହୋଇ ମୃତ୍ୟୁକୁ ଅପେକ୍ଷା କରିବା ଛଡା ଅନ୍ୟ ଉପାୟ ନାହିଁ l

ଦୟାପରବେଶ କେହି ଖାଇବାକୁ ଦେଲେ ଦି’ମୁଠା ଖାଇଦେଇ ପଡ଼ିରହୁଛନ୍ତି l ଗୋଡ଼ରେ ଘା’ର ଯନ୍ତ୍ରଣା, ପେଟରେ ଭୋକର ଯନ୍ତ୍ରଣା ନେଇ ବାହୁନି ବାହୁନି ଆମ ପ୍ରତିନିଧିଙ୍କୁ ଦୁଃଖ ଜଣାଇଛନ୍ତି l ମୋ ଅବସ୍ଥା କେହି ନବୁଝିଲେ ବ୍ଲକ ଆଗରେ ବିଷ ପିଇ ଆତ୍ମହତ୍ୟା କରିବି ବୋଲି ଧମକ ଦେଇଛନ୍ତି l ପ୍ରଶାସନ ଯଦି ତୁରନ୍ତ ହସ୍ତକ୍ଷେପ ନକରେ ତେବେ ଅକାଳରେ ବିଚରାର ଜୀବନ ଚାଲିଯିବା ଆଶଙ୍କା ପ୍ରକାଶ ପାଇଛି l

LEAVE A REPLY

Please enter your comment!
Please enter your name here