ରେଳବାଇ ପକ୍ଷରୁ ପାରା ମେଡ଼ିକାଲ ଷ୍ଟାଫଙ୍କ ନିମନ୍ତେ ବଡ଼ ନିଯୁକ୍ତି ଅଭିଯାନ।

0
646

(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ ) 19/07/19 : ଭାରତୀୟ ରେଳବାଇ ପକ୍ଷରୁ ପାରା ମେଡ଼ିକାଲ ଷ୍ଟାଫଙ୍କ ଲାଗି ସବୁଠୁ ବଡ଼ ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ । ପାରା ମେଡ଼ିକାଲ କର୍ମଚାରୀଙ୍କ ବିଭିନ୍ନ ଶ୍ରେଣୀ ଲାଗି ୧୯୨୩ ପଦବୀ ଲାଗି ୧୯ ଜୁଲାଇ ୨୦୧୯ ଠାରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆୟୋଜନ କରାଯିବ । ଏହି ପରୀକ୍ଷା ଜୁଲାଇ ୧୯ତାରିଖରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିରେ ୪.୩୯ ଲକ୍ଷରୁ ଅଧିକ ପ୍ରାର୍ଥୀ ଭାଗ ନେବେ । ପରୀକ୍ଷା ଲାଗି ଦେଶର ୧୦୭ ଛୋଟ ବଡ଼ ସହରରେ ୩୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପ୍ରଥମ ଥର ଲାଗି ରେଳବାଇ ଦ୍ୱାରା ଆୟୋଜିତ କୌଣସି ନିଯୁକ୍ତି ପରୀକ୍ଷାରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)ର ପ୍ରାର୍ଥୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ପ୍ରତିବର୍ଷ ମୋଟ ଖାଲି ପଦବୀ ମଧ୍ୟରୁ ୧୦ ପ୍ରତିଶତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପ୍ରାର୍ଥୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ସଂରକ୍ଷିତ କରିବାର ନୂଆ ବ୍ୟବସ୍ଥା ଅନ୍ତର୍ଗତ ଏହି ପରୀକ୍ଷରେ ୪୬୫୪ ଇଡବ୍ଲ୍ୟୁଏସ ପ୍ରାର୍ଥୀ ଭାଗ ନେବେ । କମ୍ପ୍ୟୁଟର ଆଧାରିତ ଏହି ପରୀକ୍ଷା ୯୦ ମିନିଟ ଅବଧି ବିଶିଷ୍ଟ ହେବ, ଯେଉଁଥିରେ ଦୃଷ୍ଟିବାଧିତ ଦିବ୍ୟାଙ୍ଗମାନଙ୍କୁ ୩୦ ମିନିଟର ଅତିରିକ୍ତ ସମୟ ଦିଆଯିବ । ପରୀକ୍ଷାରେ ପେସା ସହ ଜଡ଼ିତ ବିଷୟବସ୍ତୁ, ସାଧାରଣ ଜ୍ଞାନ, ଜେନେରାଲ ଏରିଥିମେଟିକ, ସାଧାରଣ ବିଜ୍ଞାନ ଏବଂ ତର୍କ ଓ ବୌଦ୍ଧିକ କ୍ଷମତା ଆକଳନ ସଂକ୍ରାନ୍ତ ବହୁବିକଳ୍ପ ବସ୍ତୁନିଷ୍ଠ ପ୍ରଶ୍ନ ରହିବ । ପରୀକ୍ଷାରେ ପ୍ରଶ୍ନପତ୍ର ଇଂରାଜୀ ଓ ହିନ୍ଦୀ ସମେତ ୧୫ଟି ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ ହେବ । ପ୍ରାର୍ଥୀମାନେ ଇଂରାଜୀ ସହିତ ପରୀକ୍ଷାର ମାଧ୍ୟମ ଭାବେ ଚୟନ କରାଯାଇଥିବା ଭାଷାରେ ମଧ୍ୟ ପ୍ରଶ୍ନପତ୍ର ପାଇପାରିବେ । ଏହି ପରୀକ୍ଷାରେ ସବୁଠୁ ଅଧିକ ୬୪,୫୯୬ ପ୍ରାର୍ଥୀ ଉତ୍ତରପ୍ରଦେଶରୁ ଥିବାବେଳେ ୬୨,୭୭୨ ପ୍ରାର୍ଥୀ ରାଜସ୍ଥାନରୁ, ୩୮,୦୯୭ ଜଣ ମହାରାଷ୍ଟ୍ରରୁ ଏବଂ ୩୫୪୯୬ ପ୍ରାର୍ଥୀ କେରଳରୁ ସାମିଲ ହେବେ । ରେଳବାଇର ଏହି ନିଯୁକ୍ତି ଅଭିଯାନର ବିଶେଷତ୍ୱ ହେଉଛି ଏଥିରେ ଆବେଦନ କରୁଥିବା ମୋଟ ପ୍ରାର୍ଥୀମାନଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ବହୁଗୁଣରେ ଅଧିକ । ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୬୨ ପ୍ରତିଶତ ମହିଳା ଅଛନ୍ତି । ଏହାବ୍ୟତୀତ ଏହି ପରୀକ୍ଷାରେ ୨୮ ଜଣ ଟ୍ରାନ୍ସଜେଣ୍ଡର ବା କିନ୍ନର ପ୍ରାର୍ଥୀ ମଧ୍ୟ ଭାଗ ନେଇଛନ୍ତି । ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଷ୍ଟାଫ ନର୍ସ, ଡାଏଟିସିଆନ, ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ଯାଂଚ ନିରୀକ୍ଷକ, ଫାର୍ମାସିଷ୍ଟ, ଅପ୍ଟୋମେଟ୍ରିଷ୍ଟ ଓ ରେଡିଓଗ୍ରାଫର ପଦବୀରେ ନିଯୁକ୍ତି ଦିଆଯିବ । ୫୦ ପ୍ରତିଶତରୁ ଅଧିକ ପ୍ରାର୍ଥୀ ଷ୍ଟାଫ ନର୍ସ ପଦବୀ ଲାଗି ପରୀକ୍ଷା ଦେବେ।

LEAVE A REPLY

Please enter your comment!
Please enter your name here