ଲେଗିନ୍ସ ପ୍ୟାଣ୍ଟ ଖୋଲି ଥାନାରେ ସ୍କୁଲ ଶିକ୍ଷୟିତ୍ରୀ ; ସ୍ୱୀକାରନାମା ଲେଖି ମୁକୁଳିଲେ

0
750

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ରଶ୍ମିତା ପାଣିଗ୍ରାହୀ) : ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ୬ ବର୍ଷର ଛାତ୍ରୀଙ୍କ ଲେଗିନ୍ସ ଶିକ୍ଷୟିତ୍ରୀ ଖୋଲିନେଇଥିବାରୁ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଘଟଣା ମୁତାବକ,ଗତକାଲି ଶନିବାର ଥିବାରୁ ପିଲାମାନେ ଧଳା ୟୁନିଫର୍ମ ପିନ୍ଧି ବିଦ୍ୟାଳୟ ଆସିବାର ନିୟମ ରହିଥିଲା। ମାତ୍ର ଉକ୍ତ ଛାତ୍ରୀ ଧଳା ଡ୍ରେସ୍ ଓ କଳା ଲେଗିନ୍ସ ପ୍ୟାଣ୍ଟ ପିନ୍ଧି ଆସିଥିଲେ। ଏହାକୁ ଶିକ୍ଷୟିତ୍ରୀ ପୁଷ୍ପଲତା ବିରୋଧ କରିଥିଲେ ଓ ଶ୍ରେଣୀ ଆରମ୍ଭ ବେଳେ ପ୍ୟାଣ୍ଟଟିକୁ ଖୋଲି ଦେଇଥିଲେ। ଫଳରେ ଛାତ୍ରୀ ଜଣକ ମାନସିକ ଭାବେ ଆଘାତ ପାଇଥିଲେ ଓ ଭୟରେ କାହାକୁ କିଛି ନ କହି ଚୁପ୍ ହୋଇ ବସିଥିଲେ । ବିଦ୍ୟାଳୟ ଛାଡ଼ିବା ବେଳେ ସେ ତାଙ୍କ ପିତାଙ୍କୁ ଘଟଣା ସମ୍ପର୍କରେ କହିଥିଲେ। । ଛାତ୍ରୀ ଜଣେ ଆଇନଜୀବୀଙ୍କ ଝିଅ ହୋଇଥିବାରୁ ୫୦ରୁ ଅଧିକ ଆଇନଜୀବୀ ବିଦ୍ୟାଳୟରେ ପହଞ୍ଚି ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ । ଛାତ୍ରୀଙ୍କ ବାପା ଉତ୍କ୍ଷିପ୍ତ ହୋଇ ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ ଏବଂ ପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାକୁ ଗୁରୁତର ସହ ନେଇ ଲେଗିନ୍ସ ଖୋଲିଥିବା ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କୁ ଥାନାକୁ ଡାକି ଜେରା କରିଥିଲା। ସ୍କୁଲର ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷ ଘଟଣାକୁ ମଧ୍ୟ ସ୍ୱୀକାର କରିବା ସହିତ ଏପରି କେବେ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରିକି ସେମାନେ ପୁଲିସ ପାଖରେ ସ୍ୱୀକାରନାମା ଲେଖି ଦେଇଥିଲେ। ବିଶେଷ କରି ଘରୋଇ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପରେ ମାତ୍ରାଧିକ ଚାପ ଦିଆଯାଉଥିବା ମଧ୍ୟ ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here