ରାଜୀବ ଆଓ୍ବାସ ଯୋଜନା ମାଧ୍ୟମରେ ଆସ୍କାରୋଡ୍ ଆନ୍ଧ୍ରବ୍ୟାଙ୍କ ଶାଖା ଦ୍ୱାରା ଗୃହଋଣ ବଣ୍ଟନ କାର୍ଯକ୍ରମ

0
466

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ରଶ୍ମିତା ପାଣିଗ୍ରାହୀ) : ଆନ୍ଧ୍ର ବ୍ୟାଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ କୂଳଭୂଷଣ ଜୈନ୍ଙ୍କ ଦିନିକିଆ ଆନ୍ଧ୍ରବ୍ୟାଙ୍କ ବ୍ରହ୍ମପୁର ଅଞ୍ଚଳ ପରିଦର୍ଶନ ପରିପ୍ରେକ୍ଷୀରେ ଆଜି ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍ ଶାଖା ଦ୍ୱାରା ସହରାଞ୍ଚଳ ତଳିଆ ଅଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନସ୍ଥ ଗୃହଋଣ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଫାଷ୍ଟ ଗେଟ୍ ନିକଟସ୍ଥ ଧୋବାବନ୍ଧ ହୁଡାଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପୌରପାଳିକା ଦ୍ୱାରା ତିଆରି ହୋଇଥିବା ଘରଗୁଡିକ ପାଇଁ ସହର ତଳିଆ ଅଞ୍ଚଳ ଲୋକଙ୍କ ଥଇଥାନ ଉଦ୍ଦେଶ୍ୟରେ ଗୃହଋଣ ଆବଣ୍ଟନର ବ୍ୟବସ୍ଥା ହୋଇଥିଲା । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୈନ୍ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଶ୍ରୀ ରମାକାନ୍ତ ପ୍ରଧାନ (ସିଜିଏମ୍), ଶ୍ରୀ ଭୁବନେଶ୍ୱର ନାୟକ (ଡିଜିଏମ୍), ଶ୍ରୀ ଅନୋଜ କୁମାର ପ୍ରଧାନ (ଏଜିଏମ୍) ଓ ଆନ୍ଧ୍ର ବ୍ୟାଙ୍କ ଆସ୍କାରୋଡ୍ ଶାଖା ପରିଚାଳକ ଶ୍ରୀ ବାସୁଦେବ ସ୍ବାଇଁ ଯୋଗଦେଇଥିଲେ। ବ୍ରହ୍ମପୁର ପୌରପାଳିକା ଅଧୀନସ୍ଥ ରାଜୀବ ଆଓ୍ବାସ ଯୋଜନାରେ ନିର୍ମିତ ହୋଇଥିବା ସମସ୍ତ ୨୦୦୦ ଗୃହ ପାଇଁ ଗୃହଋଣ ମଞ୍ଜୁର କରିବା ପାଇଁ ଆନ୍ଧ୍ର ବ୍ୟାଙ୍କ୍ ବଦ୍ଧପରିକର । ଅଦ୍ୟାବଧ ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍ ଶାଖା ପ୍ରାୟ ୬୦୦ଜଣଙ୍କୁ ଗୃହ ଋଣ ମଞ୍ଜୁର କରି ସାରିଲେଣି ଏବଂ ଆଜି ପ୍ରାୟ ୬୦ ହିତାଧିକାରୀଙ୍କୁ ଗୃହଋଣ ମଞ୍ଜୁରିପତ୍ର ଶ୍ରୀଯୁକ୍ତ ଜୈନ୍ଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜୈନ୍ ସହରତଳିଆ ଅଞ୍ଚଳ ଗରିବ ଲୋକଙ୍କୁ ଥଇଥାନ ଯୋଜନା ମାଧ୍ୟମରେ ପକ୍କାଘର ପ୍ରଦାନ ପାଇଁ ଆନ୍ଧ୍ରବ୍ୟାଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥି ସହିତ ଶ୍ରୀ ଜୈନ ସମସ୍ତ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ନିୟମିତ ଭାବେ ପରିଶୋଧ କରିବା ପାଇଁ ଉପଦେଶ ଦେଇଥିଲେ । ହିତାଧିକାରୀମାନେ ମଧ୍ୟ ନିଜନିଜର ଖୁସି ପରିପ୍ରକାଶ କରି ବ୍ୟାଙ୍କ ଋଣ ମାଧ୍ୟମରେ ନିଜର ସ୍ୱପ୍ନର ଘର ପାଇପାରିଛନ୍ତି ବୋଲି ଆନ୍ଧ୍ର ବ୍ୟାଙ୍କକୁ ଧନ୍ୟବାଦ ଅର୍ପଣ କରିବା ସହ ନିଜ ନିଜର ଋଣ ରାଶି ସମୟ ସୀମା ମଧ୍ୟରେ ପରିଶୋଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସଭାଶେଷରେ ଆନ୍ଧ୍ରବ୍ୟାଙ୍କ ଆସ୍କାରୋଡ୍ ଶାଖା ପରିଚାଳକ ଶ୍ରୀବାସୁଦେବ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here