ଝଡି ବର୍ଷା ଚୋରଙ୍କୁ ସୁହାଉଛି ! ଡିଫେନ୍ସ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଦୃବୃତ୍ତ

0
807

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁର) : ଗତ ଚାରି ଦିନ ଧରି ଲାଗି ରହିଥିବା ଝଡି ବର୍ଷା ଓ ମେଘୁଆ କୋହୋଲିଆ ପାଗ ଚୋର ଲୁଟେରା ମାନଙ୍କୁ ବେଶ୍ ସୁହାଇଥିବା ସହରରେ ଚର୍ଚ୍ଚା ହେଉଛି । ଚାରି ଦିନ ହେଲା ଦିନ ତମାମ କୋହଲିଆ ପାଗ ରହୁଥିବା ବେଳେ ଅପରାହ୍ନ ସମୟରୁ ଝଡି ବର୍ଷା ଆରମ୍ଭ ହୋଇଯାଉଛି । ଯେଉଁ ଝଡି ବର୍ଷା ଯୋଗୁଁ ଦିଗପହଣ୍ଡି ଥାନା ପୋଲିସ କେବଳ ଥାନା ଗାଡି ମାଧ୍ୟମରେ ସିନା ପାଟ୍ରୋଲିଂ କରୁଛନ୍ତି ହେଲେ ବାଇକ୍ ପାଟ୍ରୋଲିଂ କରିବା କଷ୍ଟ ସାଧ୍ୟ ହୋଇଯାଉଛି । ଯାହାକି ଚୋର ମାନଙ୍କୁ ବେଶ୍ ସୁହାଇଲା ଭଳି ହେଉଥିବା ନେଇ ଶନିବାର ବିଳମ୍ବିତ ରାତ୍ରୀରୁ ରବିବାର ଭୋର ମଧ୍ୟରେ ଘଟିଥିବା ଏକ ଘଟଣାରୁ ସନ୍ଦେହ କରାଯାଉଛି । ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ ସାରଥି ନରସିଂହ ନଗର ରେ ରହୁଥିବା ଜନୈକ ଡିଫେନ୍ସ କର୍ମଚାରୀଙ୍କ ଘରେ ଦୃବୃତ୍ତ ମାନେ କଳାକନା ବୁଲାଇଥିବା ଦେଖିବାକୁ ମିଳିଛି । ଏକ୍ସଆର୍ମି ରବୀନ୍ଦ୍ର କୁମାର ଆଚାର୍ଯ୍ୟ ଏବଂ ତାଙ୍କ ପୁଅ ଅମୀତ କୁମାର ଆଚାର୍ଯ୍ୟ ଏୟାର୍ ଫୋର୍ସରେ କାର୍ଯ୍ୟରତ ଥିବା ବେଳେ ଶନିବାର ରାତ୍ରୀରେ ଘରେ ସମସ୍ତେ ଶୋଇଥିବା ସମୟରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଦୃବୃତ୍ତ ମାନେ ପ୍ରଥମେ ଘର ବାରିପଟେ ଥିବା ଲୁହା ଝରକା ଗ୍ରୀଲ୍ କୁ କାଟିବା ପରେ କାଠ ଝରକା କବାଟ ତାଡି ଘରେ ପଶିଥିଲେ । ପରେ ରୋଷେଇ ଘର କବାଟ ତାଡି ଘରେ ଥିବା ଏକ ଟ୍ରଙ୍କ୍ କୁ ବାହାରକୁ ନେଇଯାଇ ଫୋପାଡିଦେଇଥିଲେ । ପରିବାର ସଦସ୍ୟ ମାନେ ରବିବାର ସକାଳୁ ଉଠି ଏଣେତେଣେ ପଡିଥିବା ଆସବାବ ପତ୍ର ଏବଂ ଭଙ୍ଗା କବାଟ ଆଦି ଦେଖି ଚୋରି ହୋଇଯାଇଥିବା ସ୍ପଷ୍ଟ ହୋଇଥିଲେ । ଦୃବୃତ୍ତ ମାନେ ଏକ ମୋବାଇଲ ଫୋନ୍, ସୁନା ଅଳଙ୍କାର ଏବଂ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଯାଇଥିବା ନେଇ ଅମୀତ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଥାନା ପୋଲିସ କେସନଂ ୩୦ା୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଅହରହ ପୋଲିସ ପାଟ୍ରୋଲିଂ ଦେଉଥିବା ବେଳେ ଶନିବାର ରାତିରେ ବର୍ଷା ଯୋଗୁଁ ବାଇକ୍ ପାଟ୍ରୋଲିଂ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ସେହିପରି ରାତ୍ରୀରେ ପୋଲିସ ପକ୍ଷରୁ ପହରା ଦେବାରେ କେଉଁଠି ନା କେଉଁଠି ଅବହେଳା ରହିଯାଇଥିବା ହେତୁ ହୁଏତ ନିର୍ଭୟରେ ଚୋର ଘରେ ପଶି ଏତେ ସବୁ କାଣ୍ଡ କରିଦେଇଥିବା ଆଲୋଚନା ହେଉଛି ।
ପ୍ରକାଶଥାଉକି, ଦିଗପହଣ୍ଡି ଅଞ୍ଚଳ କଲୋନୀ ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ଜନ ସଂଖ୍ୟା ମଧ୍ୟ ବୃଦ୍ଧି ଘଟୁଛି । ସେପଟେ ୨୪ ଘଣ୍ଟିଆ ପୋଲିସ ପହରା ଦେବାରେ ଅକ୍ଷମ ହେଉଥିବା ବେଳେ ପୋଲିସ ରହୁନଥିବା ସମୟରେ ଦୃବୃତ୍ତ ମାନେ ନିଜର କାଣ୍ଡ ଭିଆଇ ଦେଉଛନ୍ତି । ତେବେ ପୁଞ୍ଜିକୟାଁ ଛକରେ ଥାନା ପୋଲିସ ପକ୍ଷରୁ ଏକ ଆଉଟ୍ ପୋଷ୍ଟ୍ ସ୍ଥାପନ କରାଗଲେ ହୁଏତ ଲୁଟ୍ ତରାଜ୍ ଚୋରି ଆଦି କମିପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here