ଦିଗପହଣ୍ଡିରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

0
559

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଗପହଣ୍ଡି ସ୍ଥିତ ଜଳସେଚନ କଲୋନୀ ପରିସରରେ ଗଞ୍ଜାମ ଜିଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଉପାଧକ୍ଷା ସ୍ନେହଲତା ପଣ୍ଡା ଯୋଗଦେଇଥିବା ବେଳେ ବ୍ଳକ ଅଧକ୍ଷ ବିପିନ ଚନ୍ଦ୍ର୍ର ପ୍ରଧାନ, ସରପଞ୍ଚ ସଂଘ ସଭାପତି କେ.ହରିବନ୍ଧୁ ରେଡ୍ଡି, ଘୋଡାହାଡ ଜଳ ସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ବିଦ୍ୟାଧର ମହାପାତ୍ର, ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର, ଉଦୟନାଥ ସ୍ୱାଇଁ, ମୁଖ୍ୟ ଯନ୍ତ୍ରୀ ଇଂ ଯଶୋୱନ୍ତ ପରିଡା, ଅଧିକ୍ଷଣ ଯନ୍ତ୍ରୀ ଲଡୁକିଶୋର ସାବତ, ଦିଲ୍ଲୀପ କୁମାର ଦାସ, ଛେଳିଗଡ ଜଳ ସେଚନ ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଭୁଦତ୍ତ ପଣ୍ଡା, ନନ୍ଦ କିଶୋର ପ୍ରଧାନ, କୃଷି ବିଭାଗ ଉପନିର୍ଦ୍ଦେଶକ କାଶୀନାଥ ଖୁଣ୍ଟିଆ, ବ୍ରହ୍ମପୁର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପାଳ, ଜଳସମ୍ପଦ ବିଭାଗ ଦିଗପହଣ୍ଡି ଡିଭିଜନ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚୀସନ ରହି ପାଣି ପଞ୍ଚାୟତ ପକ୍ଷ ପାଳନର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ । ପୂର୍ବରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବିଭିନ୍ନ ସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କୃତ କରାଯାଇଥିଲା । ଏହି ଅବସରରେ ଏକ ସଚେତନତା ରଥ ଦିଗପହଣ୍ଡି ବ୍ଳକର ବିଭିନ୍ନ ଗାଁ ପରିକ୍ରମା କରିବା ପରେ ଆଜି ଜଳସମ୍ପଦ ବିଭାଗୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲା । ପରେ ପାରମ୍ପରିକ ପ୍ରଥାନୁସାରେ ଘଣ୍ଟ କୀର୍ତ୍ତନ ମାଧ୍ୟମରେ ଅତିଥି ମାନଙ୍କୁ ନିମନ୍ତ୍ରଣ କରି ମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ବାଘଲଟି, ଚିକିଟି, ଘୋଡାହାଡ ଏବଂ ଋଷୁକୁଲ୍ୟା ଡିଭିଜନ୍ ଜଳସମ୍ପଦ ବିଭାଗ ଏବଂ ଦିଗପହଣ୍ଡି ଓ ସାନ ଖେମୁଣ୍ଡି ବ୍ଳକର କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଏବଂ ମତ୍ସ୍ୟ ବିଭାଗ ପକ୍ଷରୁ ଚାଷୀ ମାନଙ୍କ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ଷ୍ଟଲ୍ ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଷ୍ଟଲ୍ ଗୁଡିକୁ ଅତିଥି ମାନଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଉନ୍ନତ ଜ୍ଞାନ କୌଶଳ, ପ୍ରୟୋଗ ଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି, ପରିବେଶ ସନ୍ତୁଳନ ଓ ସୁରକ୍ଷା, ସେଚାଞ୍ଚଳ କୃଷକ ମାନଙ୍କର ଜୀବନ ଏବଂ ଜୀବିକାର ଗୁଣାତ୍ମକ ମାନ ବୃଦ୍ଧି, ଜଳସେଚନ ପ୍ରଣାଳୀର ଉତ୍ତମ ରକ୍ଷଣା ବେକ୍ଷଣ, ଜଳସମ୍ପଦର ସୁପରିଚାଳନା ଏବଂ ସୁବିନିଯୋଗ ଏନଂ ସହଭାଗୀ ଜଳସେଚନ ପରିଚାଳନା ସମ୍ପର୍କରେ ଉପସ୍ଥିତ ପାଣି ପଞ୍ଚାୟତ କର୍ମକର୍ତ୍ତା ଏବଂ ଚାଷୀ ମାନଙ୍କୁ ଅତିଥି ମାନେ ଉଦ୍ ବୋଧନରେ କହିଥିଲେ । ପାଣି ପଞ୍ଚାୟତ କେବଳ କୃଷି କ୍ଷେତ୍ରରେ ନୁହେଁ ବରଂ ଏକ ଗଣତାନ୍ତ୍ରିକ କୃଷକ ସଂଗଠନ ଭାବରେ ଗ୍ରାମୀଣ ଅର୍ଥନିତୀ ଓ ସମନ୍ୱିତ ସାମାଜିକ ବିକାଶ ପ୍ରକ୍ରିୟାରେ ନିଜର ଦକ୍ଷତା କିଭଳି ପ୍ରତିପାଦିତ କରିଛି ସେନେଇ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ପଦାରବିନ୍ଦ ସାହୁ, ବିଶ୍ୱ ରଞ୍ଜନ ରାଉତ, ଉଦ୍ୟାନ ବିଭାଗ ସହକାରୀ କୃଷି ଅଧିକାରୀ ଚିନ୍ମୟୀ କୁମାର ସାହୁ ପ୍ରମୁଖଙ୍କ ସମେତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here