ଆମେ ଅଛୁ ତମ ପାଇଁ

0
687

ବ୍ରହ୍ମପୁର((ନ୍ୟୁଜଏକ୍ସଟ୍ରା /ଅସିତ ପଣ୍ଡା) : ତମ ପାଇଁ ଆମେ ଏ କଥା ନିହାତି ଆପଣମାନଙ୍କୁ ଅବାକ ଲାଗୁଥିବ। କାହିଁକି ନା ଏ ସମାଜରେ କିଏ କାହା ପାଇଁ ହୋଇନଥାନ୍ତି। ବେଳେ ବେଳେ ନିଜ ରକ୍ତ ବି ପର ହୋଇଯାଆନ୍ତି। ଆଉ ପର ହୋଇଯାଇଥିବା ସେହି ବ୍ୟକ୍ତି ଏ ସମାଜରେ ଅସହାୟ ପାଲଟି ଯାଉଛନ୍ତି। କି ଖରା, କି ଶୀତ, କି ବର୍ଷା ରାସ୍ତା କଡ଼ ହିଁ ସେମାନଙ୍କ ପାଇଁ ପାଲଟି ଯାଇଥାଏ ଆଶ୍ରୟ ସ୍ଥଳି। ତେବେ ଏମାନଙ୍କ ପାଇଁ ଏ ସମାଜରେ କେହି ନାହାନ୍ତି ଏ କଥା ଭାବିବା ଭୁଲ। ସମାଜରେ ଏମତି ବି ଲୋକ ଅଛନ୍ତି ଯେଉଁମାନେ ଏହି ଅସହାୟ ପାଇଁ ଦିନ ରାତି ଏକ କରି ଦେବଦୂତ ସାଜି ଅସହାୟଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡନ୍ତି।ଆଜିକୁ ଦୀର୍ଘ ୭ମାସ ପୂର୍ବେ ବ୍ରହ୍ମପୁର ସହରକୁ ସ୍ୱଚ୍ଛ ଓ ପୋଷ୍ଟର ମୁକ୍ତ ସହର କରିବା ଲକ୍ଷ୍ୟ ନେଇ ସହରରେ ଗଠନ ହୋଇଥିଲା ଟିମ କ୍ଲିନ ସିଟି। ପରେ ଟିମ ସଦସ୍ୟମାନେ ସହରର ବିଭିନ୍ନ ଅଞ୍ଚଳ ମାନଙ୍କରେ ଲାଗିଥିବା ପୋଷ୍ଟର ଗୁଡିକୁ ବାହାର କରିବା ସହ ରେଶମ ସହରକୁ ପୋଷ୍ଟର ମୁକ୍ତ କରିବା ପାଇଁ ସଚେତନତାର ବାର୍ତା ବାଣ୍ଟିଥିଲେ। ଟିମର ଏଭଳି ଉଦ୍ୟମ ଦେଖି ଉକ୍ତ ଟିମରେ ସାମିଲ ହୋଇଥିଲେ ଜଣକ ପରେ ଜଣେ। ଏବେ ଟିମରେ ସଦସ୍ୟ ସଂଖ୍ୟା ୧୦୦ରୁ ଉର୍ଦ୍ଧ ହେଲେଣି। ସହରକୁ ପୋଷ୍ଟର ମୁକ୍ତ କରୁ କରୁ ଟିମର ନଜର ପଡିଥିଲା ରାସ୍ତା କଡରେ ପଡିଥିବା ସେହି ଅସହାୟ ବ୍ୟକ୍ତିଙ୍କ ଉପରେ। ପରେ ସେହି ଅସହାୟ ଅବସ୍ଥାରେ ପଡିଥିବା ବୃଦ୍ଧ ବୃଦ୍ଧାମାନଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଥିଲେ ଏହି ଟିମର ସଦସ୍ୟ ମାନେ। ଯେଉଁଠି ବି ହେଉ ଯେତେବେଳେ ବି ହେଉ ସମୟ ସୀମା କିଛି ନାହିଁ , ଖବର ପାଇଲା ମାତ୍ରେ ସଙ୍ଗେସଙ୍ଗେ ଯାଇ ଉଦ୍ଧାର ଅଭିଯାନ ଆରମ୍ଭ କରିଥାନ୍ତି। ଯାହାକୁ ନେଇ ଏହି ଟିମର ସଦସ୍ୟମାନେ ସହରବାସୀଙ୍କ ନିକଟରୁ ବେଶ ପ୍ରଶଂସା ଲାଭ ମଧ୍ୟ କରିଛନ୍ତି। ଟିମର ଏହି ନିସ୍ୱାର୍ଥ ପର ସେବା ପାଇଁ ବହୁ ସଂଗଠନ ମଧ୍ୟ ସମ୍ମାନିତ କରିଛନ୍ତି। କେବଳ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର ନୁହେଁ ବରଂ ସେମାନଙ୍କୁ ସଫା ସୁତୁରା କରିବା ସହ ନୂତନ ବସ୍ତ୍ର ପିନ୍ଧାଇ ଖାଇବାକୁ ଦେଇ ଆଶ୍ରୟ ମଧ୍ୟ ଦେଇଥାନ୍ତି। ତେବେ ଟିମ ପକ୍ଷରୁ କେବଳ ବ୍ରହ୍ମପୁର ନୁହେଁ, ଗଞ୍ଜାମ, ଗଜପତି, ଫୁଲବାଣୀ ଓ ରାୟଗଡା ଭଳି ବିଭିନ୍ନ ଜିଲ୍ଲାରେ ମଧ୍ୟ ପୋଷ୍ଟର ମୁକ୍ତ ସହ ଅସହାୟଙ୍କୁ ଉଦ୍ଧାର କରିବା ଅଭିଯାନ କରାଯାଇଛି। ଏହା ସହ ଏ ସମସ୍ତ ଜିଲ୍ଲାବାସୀଙ୍କୁ ଏନେଇ ସଚେତନତାର ବାର୍ତା ମଧ୍ୟ ବଣ୍ଟାଯାଇଛି। ଟିମର ଏଭଳି ଉଦ୍ୟମ ପାଇଁ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବେଶ ପ୍ରଶଂସା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଟିମ ପକ୍ଷରୁ ୬୧ ଜଣ ଅସହାୟଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରହିବ ବୋଲି ଟିମ ପକ୍ଷରୁ ସୂଚନା ମିଳିଛି।ଏଭଳି କାର୍ଯ୍ୟ କରିବା ଦ୍ୱାରା ଆତ୍ମ ସନ୍ତୋଷ ମିଳିଥାଏ ବୋଲି ଟିମ ସଦସ୍ୟ ମାନେ କହିଛନ୍ତି। ବ୍ୟସ୍ତ ବହୁଳ ଜୀବନ ଭିତରେ ସମସ୍ତ ସଦସ୍ୟ କିଛି ସମୟ ବାହାର କରି ମାନବ ସେବାରେ ଲାଗିପଡ଼ିଥାନ୍ତି। ଆଉ ସମାଜରେ ଅବହେଳିତ ଲୋକଙ୍କୁ ଦୃଢ଼ତାର ସହ କୁହନ୍ତି, ଭୟ କରନାହିଁ, ତମେ ଅସହାୟ ନୁହଁ, କାହିଁକି ନା ତମ ପାଇଁ ଆମେ ଅଛୁ।

LEAVE A REPLY

Please enter your comment!
Please enter your name here